ଭୁବନେଶ୍ବର: ଆଜି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ବିଧାନସଭାରେ ନ ଥିବାରୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇନାହିଁ। ବାଚସ୍ପତି ଫେରିବା ପରେ ଆସନ୍ତା ୬ ତାରିଖରେ ଶ୍ରୀ ସଗରିଆ ବିଧିବଦ୍ଧ ଭାବେ ଇସ୍ତଫାପତ୍ର ଦେବେ। ଚଳିତ ବିଧାନସଭାର କାର୍ଯ୍ୟକାଳ ଆହୁରି ପ୍ରାୟ ୭ ମାସ ରହିଛି। ଏହା ସତ୍ତ୍ବେ ସେ କାହିଁକି ଇସ୍ତଫା ଦେଉଛନ୍ତି ସେ ନେଇ ରାଜନୈତିକ ମହଲ ବିଶେଷ କରି କଂଗ୍ରେସ ରାଜନୀତିରେ ଚର୍ଚା ସରଗରମ ହୋଇଉଠିଛି।

Advertisment

ଆଜି କୋରାପୁଟ ବିଧାୟକ ଶ୍ରୀ ସଗରିଆ ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ ପାଇଁ ବିଧାନସଭା ଯାଇଥିଲେ। କିନ୍ତୁ ବାଚସ୍ପତି ଶ୍ରୀ ଅମାତ୍‌ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବାରୁ ସେ ତାଙ୍କ ସହିତ ‌ଫୋନ୍‌ ଯୋଗେ କଥାବାର୍ତା କରିଥିଲେ। ତାଙ୍କ ଇସ୍ତଫା ଖବର ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ। ସେ ସେମାନଙ୍କୁ ଇସ୍ତଫା ନେଇ ନିଜ ପ୍ରତିକ୍ରିୟା ଦେଇଥିଲେ। କହିଥିଲେ ଯେ କୁନ୍ଦୁଲିର ୯ମ ଶ୍ରେଣୀ ଛାତ୍ରୀ ତଥା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ସେ ନ୍ୟାୟ ଦେଇପାରିଲେନି। ଏଣୁ ବିଧାୟକ ପଦବିରେ ରହିବାର ତାଙ୍କର ନୈତିକ ଅଧିକାର ନାହିଁ। ବିବେକ ତାଡ଼ନାରେ ସେ ଇସ୍ତଫା ଦେବାକୁ ଆସିଥିବା କହିଥିଲେ। ତେବେ କଂଗ୍ରେସ ଦଳ ସେ ଛାଡ଼ିବେ ନାହିଁ। ଅନ୍ୟ ଦଳରେ ଯୋଗଦେବେ ନାହିଁ। ତାଙ୍କୁ କଂଗ୍ରେସ ଦଳରୁ ଟିକେଟ୍‌ ମିଳିଲେ ସେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ସଗରିଆ କହିଥିଲେ। ବିଧାୟକଙ୍କ ଇସ୍ତଫା ପଛରେ କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ନା ଆଉ କିଛି ସେ ନେଇ ସେ ମୁହଁ ଖୋଲି କହିନାହାନ୍ତି। ନିକଟରେ କଂଗ୍ରେସ ଦଳରେ ତାଙ୍କୁ ଦଳିତ ସେଲ୍‌ ସଭାପତି ପଦରୁ ହଟାଯାଇଥିଲା। ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହିତ ତାଙ୍କର ସଂପର୍କ ତିକ୍ତ। ଏସବୁ କଥା ମଧ୍ୟ ସେ ସ୍ପଷ୍ଟ କରି କହିନାହାନ୍ତି। ସେ ପଟେ ଏହି ଘଟଣାରେ ନିଜ ପ୍ରତିକ୍ରିୟାରେ ତାରା କହିଛନ୍ତି ଯେ ସଗରିଆଙ୍କ ସହିତ ସେ ଦୁଇଦିନ ତଳେ ବସି କଥା ହୋଇଛନ୍ତି। ଯଦି ସେ କଂଗ୍ରେସ ଛାଡ଼ିବାକୁ ନି‌‌‌ଷ୍ପତ୍ତି ନିଅନ୍ତି ଦଳ ଉପରେ ତା’ର କୌଣସି ପ୍ରଭାବ ପଡ଼ିବ ନାହିଁ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସେ ଦଳରେ ଥାଇ କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିେରାଧରେ ଲଢ଼େଇ କରିପାରିବେ।