ବଟକୃଷ୍ଣ ବିହାରୀ
ବାରିପଦା: ଯାଜପୁର ଜିଲ୍ଲାର ନଗଡ଼ା ପରି ଆଉ ଏକ ଗାଁ ରହିଛି ମୟୂରଭଞ୍ଜ ଜିଲ୍ଲାରେ। ନାଁ ସାଗରସାହି। କପ୍ତିପଦା ବ୍ଲକ୍‌ ଶାଳଚୁଆ ପଞ୍ଚାୟତରେ ଥିବା ଏହି ଗାଁରେ ନା ପହଞ୍ଚିଛି ବିଦ୍ୟୁତ୍‌ ନା ଅଛି ରାସ୍ତା। ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନ କହିବା ଭଲ। ଖାଦ୍ୟ ଅଭାବରୁ ଗାଁର ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି। ସରକାରୀ ଯୋଜନା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ପାହାଡ଼ ଚତୁଃପାର୍ଶ୍ବରେ ଘଞ୍ଚ ଜଙ୍ଗଲ। ତା ମଧ୍ୟରେ ରହିଛି ସାଗରସାହି ଗାଁ। ଏହି ଗାଁରେ ୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଲୋକସଂଖ୍ୟା ପାଖାପାଖି ୨୦୦। ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖିନାହାନ୍ତି ଗ୍ରାମବାସୀ। ନୂଆ ଯୋଜନାରେ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ସ୍ଥିର ହୋଇଥିଲା। ହେଲେ ୩ ବର୍ଷ ହେଲା ବହୁ ବିଳମ୍ବରେ ଖୁଣ୍ଟ ପୋତି ତାର ଟଣାଯାଇଛି। ହେଲେ ଆଜିଯାଏ ବିଦ୍ୟୁତ ସଂଯୋଗ ହୋଇନି। ଗାଁରେ କିରାସିନ ମିଳୁନି। ଟର୍ଚ୍ଚ ଚାର୍ଜ କରିବାକୁ ପ୍ରାୟ ୧୦ କିମି ଯିବାକୁ ପଡୁଛି।

Advertisment

ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ଭିତରେ ଗ୍ରାମବାସୀ ଯାତାୟାତ କରୁଛନ୍ତି। ଫଳରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। କାହାର ଦେହପା ଖରାପ ହେଲେ ୨ କିମି ପର୍ଯ୍ୟନ୍ତ ରୋଗୀକୁ ଖଟିଆରେ ବୋହିବାକୁ ପଡୁଛି ବୋଲି କହିଛନ୍ତି ଗାଁର ଚମ୍ପା ସିଂ, ଜେଙ୍ଗି ହେମ୍ବ୍ରମ୍‌, ଯୁବରାଜ ସମ୍ରାଟ ଓ ଗଗ ରାଇ। ପାହାଡ଼ ତଳେ ରହିଛି ଏକ ଅଙ୍ଗନବାଡ଼ି କେନ୍ଦ୍ର। ହେଲେ ବନ୍ୟଜନ୍ତୁ ଭୟରେ ଛୋଟ ଶିଶୁ, ପ୍ରସୂତି ଉକ୍ତ କେନ୍ଦ୍ରକୁ ଯିବା ସମ୍ଭବ ହେଉନାହିଁ। ଫଳରେ ଶିଶୁମାନେ ସୁଷମ ଖାଦ୍ୟରୁ ବଞ୍ଚିତ ହୋଇ ବାସି ପଖାଳ ଓ ଶାଗ ଖାଇ ଅପପୁଷ୍ଟିର ଶିକାର ହେଉଛନ୍ତି। ଅଧିକାଂଶ ଶିଶୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ବୋଲି ଗ୍ରାମର ଦିବାକର ସିଂ ଓ ଫଗୁ ହେମ୍ବ୍ରମ୍‌ କହିଛନ୍ତି। ଏ ସଂପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ବାଇଁ କହିଛନ୍ତି, ଉପଜିଲ୍ଲାପାଳ ଓ ବିଡିଓଙ୍କୁ ଉକ୍ତ ଗାଁକୁ ପଠାଇ ତୁରନ୍ତ ପଦକ୍ଷେପ ନେ‌ବେ।