ନିଆରା ଜଗନ୍ନାଥ ଭକ୍ତି: ୭୦ ବର୍ଷ ବୟସରେ ଗୁରୁଣ୍ଡି ଗୁରୁଣ୍ଡି ରାଜସ୍ଥାନରୁ ପୁରୀ ଯାତ୍ରା

ରେଢ଼ାଖୋଲ: ବୟସ ୭୦ ବର୍ଷ ଛୁଇଁଲାଣି। କିନ୍ତୁ ମନ ଦୁର୍ବଳ ହୋଇନି। ଦୃଢ଼ ଇଚ୍ଛା ଓ ଭକ୍ତିର ଶକ୍ତି ତାଙ୍କୁ ଟାଣି ନେଉଛି ଶ୍ରୀକ୍ଷେତ୍ର। ରାଜସ୍ଥାନରୁ ଗୁରୁଣ୍ଡି ଗୁରୁଣ୍ଡି ସେ ପହଞ୍ଚିଲେଣି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ। ଈଶ୍ବର ଚାହିଁଲେ ତାଙ୍କର ଭକ୍ତିର ଶକ୍ତି ବଳରେ ସେ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ତାଙ୍କର ଏହି ଇଚ୍ଛାଶକ୍ତି ଓ ସାହସକୁ ନେଇ ଗୁରୁବାର ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବିହ୍ବଳ ରାଜସ୍ଥାନ ସବାଇମାଧପୁର ଜିଲ୍ଲା ଖଣ୍ତିଗ୍ରାମର ରାମହଂସ ଦାସ। ବୟସ ପାଖାପାଖି ୭୦। ଦୁର୍ବଳ ସ୍ବାସ୍ଥ୍ୟ ସତ୍ତ୍ବେ ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ତାଙ୍କୁ ସୁସ୍ଥ ଓ ସଶକ୍ତ କରି ଦେଇଛି। ରାଜସ୍ଥାନରୁ ରାସ୍ତାରେ ଦଣ୍ତ ମାରି ମାରି ଗୁରୁବାର ପୂର୍ବାହ୍ନ ୧୧ ଟାରେ ରେଢ଼ାଖୋଲରେ ପହଞ୍ଚିଥିଲେ। ଜଗନ୍ନାଥଙ୍କୁ ଅତିପାଖରୁ ଦର୍ଶନ କରିବା ସାଧୁ ରାମହଂସଙ୍କ ଲକ୍ଷ୍ୟ।

୨୦୨୧ ଏପ୍ରିଲ ମାସ ୨୯ ତାରିଖରେ ସେ ତାଙ୍କ ଗ୍ରାମରୁ ବାହାରିଥିଲେ। ସେହିଦିନଠାରୁ ନିୟମିତ ଦଣ୍ତ ମାରିମାରି ଆଗେଇ ଚାଲିଛନ୍ତି। ସାଧୁଙ୍କ କହିବା ଅନୁସାରେ ଖରା, ବର୍ଷା ଓ ଶୀତ ଭୃକ୍ଷେପ ନକରି ସେ ତାଙ୍କ ଗନ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି। ମହାପ୍ରଭୁଙ୍କ କରୁଣାରୁ ଆଜି ପର୍ଯ୍ୟନ୍ତ ସେ ଥକି ଯାଇ ନାହାନ୍ତି କି ଅସୁସ୍ଥ ହୋଇ ନଥିବା କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ଅପାର କରୁଣ ତାଙ୍କ ଉପରେ ରହିଛି। ତାଙ୍କର ସ୍ବପ୍ନ ଥିଲା ଦିନେ ଗୁରୁଣ୍ତି ଗୁରୁଣ୍ତି ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ସେ ଏଥିରେ ସଫଳ ହେଲେ, ମହାପ୍ରଭୁଙ୍କ ଦର୍ଶନ ପାଇଲେ ଜଗତର କଲ୍ୟାଣ ଏବଂ ସମଗ୍ର ବିଶ୍ବରୁ ମହାମାରୀ ଦୂର କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି। ତେବେ ସେ କେବେ ପୁରୀରେ ପହଞ୍ଚିବେ ଜାଣି ନଥିବା କହିଛନ୍ତି। ଦିନକୁ ପ୍ରାୟ ୩ରୁ ୪ କିମି ଦଣ୍ତ ମାରି ମାରି ଯାଉଥିବା ପ୍ରକାଶ କରିଛନ୍ତି। ଖାଇବା, ପିଇବା ପ୍ରତି ସେତେ ଗୁରୁତ୍ବ ଦେଉ ନଥିବା ବେଳେ ଯିଏ ଯାହା ଦିଅନ୍ତି ତାକୁ ଖାଇ କ୍ଷୁଧା ନିବାରଣ କରନ୍ତି। ରାସ୍ତା ପାର୍ଶ୍ବରେ କୌଣସି ସ୍ଥାନରେ ବିଶ୍ରାମ ନେଉଛନ୍ତି। ରାମହଂସଙ୍କ ସହିତ ତାଙ୍କର ଶିଷ୍ୟ ରାକେଶ ଦାସ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ସାଇକଲ୍‌ରେ ଯାଉଥିବା ଦେଖିବାକୁ ମିଳିଛି। ଦର୍ଶନ ସରିଲେ ଉଭୟ ଟ୍ରେନ୍‌ରେ ଫେରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର