ଓଡ଼ିଶା ଖାଦ୍ୟ ସଂସ୍କୃତିର ପ୍ରଶଂସକ ଓ ପ୍ରଚାରକ ଶାହାବୁଦ୍ଦିନ ମହମ୍ମଦ ଗନିଙ୍କ ପରଲୋକ

କଟକ: ସମଗ୍ର ଦେଶରେ ଜଣେ ପର୍ଯ୍ୟଟନ, ସଂସ୍କୃତି, ଓ ଖାଦ୍ୟ ବିଶାରଦ ଭାବରେ ଯଥେଷ୍ଟ ଖ୍ୟାତି ଓ ସମ୍ମାନ ଅର୍ଜନ କରିଥିବା ଶାହବୁଦ୍ଦିନ ମହମ୍ମଦ ଗନି ବା ସଂକ୍ଷେପରେ ଏସ୍‌.ଏମ୍‌. ଗନିଙ୍କର ଆଜି ପରଲୋକ ହୋଇଯାଇଛି। କେବଳ ମାତ୍ର ଓଡ଼ିଶା ନୁହେଁ; ସମଗ୍ର ଦେଶରେ ଜଣେ ପର୍ଯ୍ୟଟନ, ସଂସ୍କୃତି, ଓ ଖାଦ୍ୟ ବିଶାରଦ ଭାବରେ ସେ ଥିଲେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ଏଥିସହ ସେ ଥିଲେ ଓଡ଼ିଶାର ଖାଦ୍ୟ ସଂସ୍କୃତିର ଜଣେ ପ୍ରଶଂସକ ଓ ପ୍ରଚାରକ।

୧୯୩୭ ମସିହା ଜୁଲାଇ ୯ ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ଏସ୍‌.ଏମ୍‌. ଗନି। କଟକର ସୟିଦ ସେମିନାରୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ସେ ରେଭେନ୍‌ସା କଲେଜରେ ପଢିଥିଲେ ଏବଂ ସେଠାରୁ ଆଧୁନିକ ଭାରତ ଇତିହାସରେ ଏମ୍‌.ଏ.ପାସ୍‌ କରିଥିଲେ। ପରେ ରାଜ୍ୟ ପ୍ରଶାସନିକ ସେବାରେ ଯୋଗଦେଇ ପର୍ଯ୍ୟଟନ ବିଭାଗରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ସେ। ପରେ ସେ ବମ୍ବେ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରୁ ବି ବିଶେଷ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ। ଡବ୍ଲ୍ୟୁ.ଟି.ଓ. ଓ ୟୁ.ଏନ୍‌.ଡି.ଡି.ରେ ବି ସେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିଲେ। ଓଡ଼ିଶାରେ ହୋଟେଲ୍‌ ମ୍ୟାନେଜମେଣ୍ଟ ଓ କ୍ୟାଟରିଙ୍ଗ୍‌ ପାଠ୍ୟକ୍ରମର ପ୍ରବର୍ତ୍ତନ କ୍ଷେତ୍ରରେ ତାଙ୍କର ରହିଥିଲା ବିଶେଷ ଅବଦାନ। ବିଭିନ୍ନ ସମୟରେ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟନ ଉନ୍ନୟନ ନିଗମ ସହ ମଧ୍ୟ ସେ ବୃତ୍ତିଗତ ଭାବେ ବା ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ଭାବେ ଜଡ଼ିତ ରହିଥିଲେ।

୨୦୧୫ ମଧ୍ୟଭାଗରେ ରସଗୋଲାକୁ କେନ୍ଦ୍ରକରି ଓଡ଼ିଶା ଓ ବଙ୍ଗଳା ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ତୀବ୍ର ରୂପ ଧାରଣ କରିଥିଲା ସେତେବେଳେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସ୍ୱର୍ଗତ ଗନି। କାରଣ ତାଙ୍କର ଲେଖାରେ ସେ ରସଗୋଲା ଓଡ଼ିଶାର ବୋଲି ସ୍ପଷ୍ଟ ଭାବେ କହିଥିଲେ। ବିଶେଷକରି ସେ ଏକଦା କୋଲକାତାରେ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଣ୍ଟ୍‌’ର ପ୍ରିନସିପାଲ୍‌ ଥିବାରୁ ତାଙ୍କ ମତର ଗରୁତ୍ୱ ଯଥେଷ୍ଟ ମାତ୍ରାରେ ବଢ଼ିଯାଇଥିଲା।

ଉଲ୍ଲେଖଯୋଗ୍ୟ, ଜଗନ୍ନାଥ ସଂସ୍କୃତି ଗବେଷକ, ସ୍ୱନାମଧନ୍ୟ ଅନୁବାଦକ ତଥା ଲେଖକ ଅସିତ୍‌ ମହାନ୍ତି ତାଙ୍କ ରଚିତ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ଶୀର୍ଷକ ପୁସ୍ତକରେ ଶାହାବୁଦ୍ଦିନ ମହମ୍ମଦ ଗନିଙ୍କ ସଂପର୍କରେ ବିଶଦ ଭାବେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର