ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଅନ୍ତର୍ଗତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ଏବେ ଅନ୍ତଃରାଜ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟିପଡ଼ିଛି। ୧୨ ହଜାର ୯୮୯ ହେକ୍ଟର ପରିବ୍ୟାପ୍ତ ଏହି ଅଞ୍ଚଳକୁ କେତେକ ମୁଷ୍ଟିମେୟ ବ୍ୟକ୍ତି କବ୍ଜା କରି ରଖୁଛନ୍ତି। ମକାଚାଷ ନାଁରେ ପ୍ରତିବର୍ଷ ହଜାର ହଜାର ମୂଲ୍ୟବାନ ଗଛ କଟାଯାଉଛି। ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାର ଉମରକୋଟ, ରାଇଘର, ଚାନ୍ଦାହାଣ୍ଡି, ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଟିକିରି, କାଶୀପୁର ଅଞ୍ଚଳର ଆଦିବାସୀଙ୍କୁ ଏଠାରେ ମକାଚାଷ କରିବା ଲାଗି ମାଫିଆମାନେ ଉସୁକାଉଛନ୍ତି। ମକାଚାଷ ପାଇଁ ସାର, ବିହନ,କୀଟନାଶକ ବାବଦରେ ବିପୁଳ ଟଙ୍କା ବିନିଯୋଗ କରିବା ସହ ସଂପୃକ୍ତ ଆଦିବାସୀଙ୍କୁ ଅର୍ଥଲୋଭ ଦେଖାଉଛନ୍ତି। ଫସଲ ଅମଳ ପରେ ଆଦିବାସୀଙ୍କୁ ଦେଇଥିବା ବିହନ, ସାର ବାବଦ ଟଙ୍କାରେ ମୋଟା ଅଙ୍କର ସୁଧ ଯୋଡୁଛନ୍ତି। ଜିଲ୍ଲା ସୀମା ଡେଇଁ ଜୀବନକୁ ବିପଦରେ ପକାଇ ବେଆଇନ୍ ଚାଷ କରୁଥିବା ଆଦିବାସୀ ଶ୍ରମର ଉଚିତ ମୂଲ୍ୟ ବି ପାଉନାହିଁ।
ଏହାକୁ ନେଇ ଅନେକ ସମୟରେ ମୂଳ ବାସିନ୍ଦାଙ୍କ ସହ ପଡ଼ୋଶୀ ଜିଲ୍ଲାର ଆଦିବାସୀଙ୍କ ମୁହଁମୁହିଁ ସ୍ଥିତି ସୃଷ୍ଟି ହେଉଛି। ଅପରପକ୍ଷରେ କ୍ବିଣ୍ଟାଲ କ୍ବିଣ୍ଟାଲ ମକା ବିକି ମାଲାମାଲ ହେଉଛନ୍ତି ମାଫିଆ।
ଧର୍ମଗଡ଼ ରେଞ୍ଜ୍ ଅଧୀନରେ ଆମପାଣି ଓ ବେହେରା ଫରେଷ୍ଟ ସେକ୍ସନ୍ ରହିଛି। ବନ ସୁରକ୍ଷାରେ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବନ କର୍ମଚାରୀ ରାତିଦିନ ପଇଁତରା ମାରୁଥିବା କହୁଛନ୍ତି। ହେଲେ ଜଙ୍ଗଲ ଜମିରେ ଏଭଳି ବେଆଇନ୍ ମକା ଚାଷରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ବିଭାଗ। ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଆଗରୁ ଥିବା କଲରାପତରିଆ, ବଜ୍ରକାପ୍ତା ଭଳି ବହୁ ବନ୍ୟପ୍ରାଣୀ ବିଲୁପ୍ତ ହେବାରେ ଲାଗିଛନ୍ତି। ବେହେରା ଫରେଷ୍ଟ ସେକ୍ସନ୍ ଗୋତୋମୁଣ୍ଡା ବିଟ୍ ଅଧୀନ ଭଟାପାଣି, ଡୁମେରପାଣି ଅଞ୍ଚଳକୁ ୨୦୨୧ରେ ଧସେଇ ପଶିଥିଲେ ନବରଙ୍ଗପୁର ଜିଲ୍ଲାର ଆଦିବାସୀ। ଉଦ୍ଦେଶ୍ୟ ଥିଲା ଜଙ୍ଗଲ ଜମିରେ ବସତି ସ୍ଥାପନ କରି ମକାଚାଷ କରିବା। ସେତେବେଳେ ଏଭଳି ଅନୁପ୍ରବେଶକୁ ତୀବ୍ର ବିରୋଧ କରିଥିଲା ବନ ବିଭାଗ ଓ ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟି।
କଥା ମାନବାଧିକାର କମିସନ ପର୍ଯ୍ୟନ୍ତ ଯାଇଥିଲା। ଦୁଇ ଜିଲ୍ଲା ମଧ୍ୟରେ ସମ୍ପର୍କ ବିଗୁଡୁଥିବାରୁ ନିଜ ଜିଲ୍ଲାର ଆଦିବାସୀଙ୍କୁ ୬ମାସରେ କଳାହାଣ୍ଡିର ଜଙ୍ଗଲ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ଘଟଣାକୁ ୩ ବର୍ଷ ପୂରିଲାଣି। ତଥାପି ଜିଲ୍ଲା ବାହାରର ଆଦିବାସୀ ସଂରକ୍ଷିତ ଜଙ୍ଗଲରେ ଅବାଧରେ ମକାଚାଷ କରୁଛନ୍ତି। ଅଠରନଳା ସମେତ ୨୨ରୁ ଅଧିକ ପ୍ରାକୃତିକ ଝରଣା ପ୍ରତି ବିପଦ ଘନେଇବାରେ ଲାଗିଛି। ଏ ସଂପର୍କରେ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କାଉରଙ୍କୁ ପଚାରିବାରେ, ଜଙ୍ଗଲରେ ମକାଚାଷ ରୋକିବା ପାଇଁ ପାଟ୍ରୋଲିଂ ଓ ଧରପଗଡ଼ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁମାତ୍ରାରେ ବେଆଇନ୍ ମକାଚାଷ କମିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/aCGQMW9BNuQ6v4y4LcZt.jpg)