କଟକ/ବୌଦ୍ଧ/ବ୍ରହ୍ମପୁର: ଓଡ଼ିଶାର ୪ଟି ଜୋନ୍‌ରେ ଏକକାଳୀନ ଚାଲିଥିବା ୬୪ତମ ବରିଷ୍ଠ ପୁରୁଷ ଫୁଟବଲ୍ ପ୍ରତିଯୋଗିତା ‘ସାହାଣୀ କପ୍‌’ର ତୃତୀୟ ଦିବସରେ ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ, ଝାରସୁଗୁଡ଼ା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ନବରଙ୍ଗପୁର, ଭୁବନେଶ୍ବର ବିଜୟୀ ହୋଇଛନ୍ତି। ବୌଦ୍ଧ ‌ଜୋନ୍‌ରେ ସମ୍ବଲପୁର ୯-୦ ଗୋଲ୍‌ରେ ନୂଆପଡ଼ାକୁ ହରାଇ ବଡ଼ ବିଜୟ ହାସଲ କରିଛି। ପ୍ରଶାନ୍ତ ଓରାମ୍ ଓ ରଂଜନ ମୁଣ୍ଡା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ବିଜୁ ଓରାମ୍ ୨ଟି ଏବଂ ବଣ୍ଟି ମୁଣ୍ଡା ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ବିଜୁ ଓରାମ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ବଲାଙ୍ଗୀର ୪-୦ ଗୋଲ୍‌ରେ ବୌଦ୍ଧକୁ ହରାଇଛି। ବଲାଙ୍ଗୀରର ନରେଶ ଧାନ ଦୁଇଟି, ରାମ ମାଝୀ ଓ ସୁବ୍ରତ ପାତ୍ର ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ନରେଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

Advertisment

କେନ୍ଦ୍ରାପଡ଼ା ଜୋନ୍‌ରେ ଭଦ୍ରକ ୨-୦ ଗୋଲ୍‌ରେ ଜଗତସିଂହପୁରକୁ ଏବଂ ଝାରସୁଗୁଡ଼ା ୬-୧ ଗୋଲ୍‌ରେ କେନ୍ଦ୍ରାପଡ଼ାକୁ ହରାଇ। ଭଦ୍ରକ ପକ୍ଷରୁ ଯୁଧିଷ୍ଠିର ଟୁଡ଼ୁ ଓ ଶେଖର କୁମାର ନାୟକ ଗୋଟିଏ ଲେଖାଏଁ ଗୋଲ୍‌‌ ଦେଇଥିଲେ। ଝାରସୁଗୁଡ଼ାର ସାହିର ସୁନା ଓ କୃଷ୍ଣଚନ୍ଦ୍ର କିଷାନ ଦୁଇଟି ଲେଖାଏଁ ଏବଂ ମନୁ ମହାକୁଡ଼ ଓ ନିର୍ମଳ ମହାନନ୍ଦିଆ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ କେନ୍ଦ୍ରାପଡ଼ାର ‌‌ଶେଖ୍‌ ସରିଫ ଗୋଟିଏ ଗୋଲ୍‌ ଶୁଝିଥିଲେ।

କେନ୍ଦୁଝର ଜୋନ୍‌ରେ କେନ୍ଦୁଝର-ଯାଜପୁର ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଥିବା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ୪-୩ ଗୋଲ୍‌ରେ ଅନୁଗୁଳକୁ ପରାସ୍ତ କରିଛି। କେନ୍ଦୁଝରର ମଙ୍ଗଳ ମୁଣ୍ଡା, ଅଭିମନ୍ୟୁ ମହାକୁଡ଼ ଏବଂ ଯାଜପୁରର ଅଜୟ ସୋରେନ ଓ ଭଞ୍ଜକିଶୋର ହାଁସ୍‌ଦା ଗୋଟିଏ ଲେଖ‌ାଏଁ ଗୋଲ୍‌ କରିଥି‌ଲେ। ରାଉରକେଲାର ସୁରେଶ ଖଡ଼ିଆ ହ୍ୟାଟ୍ରିକ୍‌ ଓ ରମେଶ ଓରାମ ଗୋଟିଏ ଗୋଲ୍‌ କରିଥିଲା ବେ‌ଳେ ଅନୁଗୁଳର ପାରାଓ ମୁର୍ମୁ ଦୁଇଟି ଏବଂ ଅନ୍ତର୍ଯ‌ାମୀ ନାୟକ ଗୋଟିଏ ଗୋଲ୍‌ ଦେଇଥିଲେ। ବ୍ରହ୍ମପୁର ଜୋନ୍‌ରେ ନବରଙ୍ଗପୁର ୭-୦ ଗୋଲ୍‌ରେ ଗଜପତିକୁ ହରାଇଛି। ବିଜୟୀ ଦଳର ଜଗବନ୍ଧୁ ସାନ୍ତା ଦୁଇଟି, ମୋହନ ଗୁଣ୍ଠ, ସ୍ବରାଜ ଜାଗିଅର ସୁନା, ଶମ୍ଭୁନାଥ ମାଝୀ, ମିଥୁନ ସାନ୍ତା ଓ ଚମ୍ପୁ ପୂଜାରୀ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଅସୀମ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ଗୋଲ୍‌ରେ ଭୁବନେଶ୍ବର ୧-୦ରେ ଗଞ୍ଜାମକୁ ମାତ୍‌ ଦେଇଛି।