ଯାଜପୁର/ଚଢ଼େଇଧରା: ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଖାଦାନ କାରବାରକୁ ନେଇ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ବଳରାମପୁର(୧) ରାଜସ୍ବ ସର୍କଲ ଅଧୀନ ସାହାଣିଡିହ ପାହାଡ଼ କଳାପଥର ଖାଦାନ ମାପଚୁପ ପାଇଁ ଯାଇଥିବା ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ମହିଳାମାନେ ଅଟକ ରଖିବା ପରେ ଜେନାପୁର ଥାନା ପୁଲିସ ପହଞ୍ଚି ଉଦ୍ଧାର କରିଛି। ତହସିଲ ପକ୍ଷରୁ ହେବାକୁ ଥିବା ମାପଚୁପ ମଧ୍ୟ ହୋଇପାରି ନାହିଁ।
ପ୍ରକାଶ ଥାଉକି ସାହାଣିଡିହ ପାହାଡ଼ର ସୈରାତ ୧ନମ୍ବର ଓ ୩ ନମ୍ବରକୁ ପିଆରପିପିଏଲ୍‌ ନାମକ ଏକ ଠିକାସଂସ୍ଥା ଦୀର୍ଘମିଆଦୀ ସୂତ୍ରରେ କଳାପଥର ଖନନ ଲାଗି ଚୁକ୍ତି କରିଛି । ୧ ନମ୍ବର ସୈରାତର ୪୧.୮୬ ଏକର ଏବଂ ୩ ନମ୍ବର ସୈରାତର ୭.୫ ଏକର ଅଞ୍ଚଳରୁ କଳାପଥର ଖନନ ଲାଗି ଅନୁମତି ପାଇଛି।

Advertisment

ଠିକସଂସ୍ଥା ଲିଜ୍‌ ସୀମା ବାହାରୁ ପଥର ଖନନ କରୁଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏନେଇ ବିଜେଡି ଯୁବନେତା ସତୀଶ ବିଶ୍ବାଳ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ଧର୍ମଶାଳା ତହସିଲଦାର ଶ୍ରୀ ଦାସ ଓ ତାଙ୍କ ସହଯୋଗୀମାନେ ଉଭୟ ଲିଜ୍‌ଧାରୀ ଓ ଅଭିଯୋଗକାରୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ ଲାଗି ପହଞ୍ଚିଥିଲେ। ୧ ନମ୍ବର ସୈରାତର ସୀମା ଚିହ୍ନଟ ପରେ ୩ ନମ୍ବର ସୈରାତକୁ ଯିବା ବେଳେ ପାହାଡ଼ ଖନନକୁ ବିରୋଧ କରୁଥିବା ଲୋକେ ସେମାନଙ୍କୁ ଅଟକାଇଥିଲେ। ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉପୁଜୁଥିବା ସମସ୍ୟା ଓ କ୍ଷତି ହେଉଥିବାରୁ ଲିଜ୍‌ ବାତିଲ କରିବାକୁ ମହିଳାମାନେ ଦାବି କରି ତହସିଲଦାରଙ୍କ ଗାଡ଼ି ଆଗରେ ଧାରଣା ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ତହସିଲଦାର ଜେନାପୁର ଥାନାକୁ ଜଣାଇଥିଲେ। ପରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ପିଆରପିପିଏଲ୍‌ ସଂସ୍ଥାର କଳାପଥର ଖନନ ଲାଗି ବୈଧ ଅନୁମତି ରହିଛି। ଏହାର ମାପଚୁପ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଆନ୍ଦୋଳନ ନେତୃତ୍ବ ‌ନେଉଥିବା ଶ୍ରୀ ବିଶ୍ବାଳ କହିଛନ୍ତି ୧ନମ୍ବର ସୈରାତ ପାଇଁ ଅନୁମତି ଓ ଚୁକ୍ତିନାମା ହୋଇନାହିଁ। ଏଠାରୁ ଚୋରାରେ ବ୍ୟାପକ କଳାପଥର ବହୁଦିନରୁ ଚାଲାଣ ହେଉଛି। ଏଥିରେ ବ୍ୟବହୃତ ଗାଡ଼ିକୁ ଜବତ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ନ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଏହାର ଉପଯୁକ୍ତ ତଦନ୍ତ କରାନଗଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ବ୍ୟାପକ ଲୁଟ୍ ହେଉଥିବା ‌ବେଳେ ତାହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି। ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି।