ବିଧାନସଭା ଘେରିଲେ ସାହାରା ଜମାକାରୀ

ଭୁବନେଶ୍ବର : ୩ ଦଫା ଦାବି ନେଇ ସାହାରା କ୍ଷତିଗ୍ରସ୍ତ ଜମାକାରୀମାନେ ଆଜି ବିଧାନସଭା ଘେରାଉ କରିଛନ୍ତି। ଦାବିଗୁଡ଼ିକ ହେଲା, ମାଚ୍ୟୁରିଟି ଅବଧି ଶେଷ ହେବା ପରେ ମଧ୍ୟ କମ୍ପାନି ଟଙ୍କା ଫେରସ୍ତ ଦେବା ବଦଳରେ ଗ୍ରାହକଙ୍କୁ ନୂତନ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରି ଜମା ରସିଦ୍‌ ଓ ବଣ୍ଡ ଧରାଇ ଦେଉଛି। ତେଣୁ ପୂର୍ବ ସ୍କିମ୍‌ର ମ୍ୟାଚୁରିଟି ଅବଧି ଯେଉଁଦିନଠାରୁ ଶେଷ ହୋଇଛି, ସେହିଦିନଠାରୁ ଏପର୍ଯ୍ୟନ୍ତ ସୁଧ ହାରରେ କମ୍ପାନି ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରୁ। ପୂରା ଓଡ଼ିଶାରେ ସାହାରା ଠକେଇ କରୁଥିବାରୁ ତାହାର ବିଧିବଦ୍ଧ ତଦନ୍ତ କରାଯାଇ କମ୍ପାନି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସଂସ୍ଥା ବିଭିନ୍ନ ମଲ୍ଟିଷ୍ଟେଟ୍‌ କୋ-ଅପରେଟିଭ୍‌ ଜରିଆରେ ଏଠାରେ ଅନଧିକୃତ ଜମାରାଶି ସଂଗ୍ରହ ସଂପର୍କରେ, ରାଜ୍ୟ ସମବାୟ ବିଭାଗରୁ ଆବଶ୍ୟକ ଅନୁମତି ନେଇନାହିଁ। ତେଣୁ ଏହାର ସ୍ବତନ୍ତ୍ର ତଦନ୍ତ କରାଯାଉ। ଏହାବ୍ୟତୀତ ୨୦ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କଠାରୁ ନେଇଥିବା ୨ହଜାର କୋଟି ଟଙ୍କାର ମୂଳ ଜମା ଉପରେ ମାଚ୍ୟୁରିଟି ଓ ସୁଧ ସହ ଆଗାମୀ ୧୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ, ମାଚ୍ୟୁରିଟି ଟଙ୍କା ଫେରସ୍ତ ଦେବା ପର୍ଯ୍ୟନ୍ତ ଜମା ସଂଗ୍ରହ ବନ୍ଦ ରଖିବା, ସାହାରା ଅଫିସ୍‌ ସିଲ୍‌ କରିବା ପରିବର୍ତ୍ତେ ସରକାରୀ ତତ୍ତ୍ବାବଧାନରେ ଟଙ୍କା ଫେରସ୍ତ ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ଓ ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସହସ୍ରାଧିକ ସାହାରା କ୍ଷତିଗ୍ରସ୍ତ ଜମାକାରୀ ଲୋୟର୍‌ ପିଏମ୍‌ଜିଠାରେ ନାରାବାଜି କରିଥିଲେ।

ଏହି ବିକ୍ଷୋଭରେ କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ପାଦକ ମଧୁସୂଦନ ବିଶ୍ବାଳ, ଅନୁରାଧା ସୁବୁଦ୍ଧି, ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚର ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା, ସୁନିଲ ଦାଶ, ରାଷ୍ଟ୍ରୀୟ ଯୁବା ମଞ୍ଚ ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ, ଶିକ୍ଷକ ଆଶାୟୀ ସଂଘର ସତ୍ୟରଞ୍ଜନ ଦିଆନ୍, ସନ୍ତୋଷ ବରାଳ, ସୁଵ୍ରତ ପଣ୍ଡା, ଦୀପକ ମହାନ୍ତି, ଅମରେଶ ତ୍ରିପାଠୀ, ଲକ୍ଷ୍ମୀଧର ମହାନ୍ତି, ଜଗନ୍ନାଥ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ,ଶୈଳବାଳା ପଣ୍ଡା, ବିନିତା କୁମାରୀ ସାହୁ ଓ ସାବିତ୍ରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମଞ୍ଚ ଦ୍ବୟ ପକ୍ଷରୁ ଯୁଗ୍ମସଚିବ ବିରଞ୍ଚି ନାରାୟଣ ଦାସବର୍ମା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ୧୫ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସେପ୍ଟେମ୍ଵର ଶେଷ ସପ୍ତାହରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର