ବଡ଼ବିଲ/କେନ୍ଦୁଝର : ଦିନେ ଥିଲେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ। ସଂଯୋଗବଶତଃ ଆଜି ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ହିଁ ଆଖି ବୁଜିଛନ୍ତି ଚମ୍ପୁଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମ। ସେ ଦୀର୍ଘ ୬ ବର୍ଷରୁ ଅଧିକ ହେବ ପକ୍ଷାଘାତ ସହ ମଧୁମେହ ରୋଗରେ ପୀଡ଼ିତ ହୋଇ ବଡ଼ବିଲ ଭଦ୍ରାସାହି ବାସଭବନରେ ଶଯ୍ୟାଶାୟୀ ଥିଲେ। ସାଧାରଣ ଜନଜୀବନରେ ତାଙ୍କର ଉପସ୍ଥିତି ଆଉ ଦେଖିବାକୁ ମିଳୁନଥିଲା। ଶେଷରେ ଆଜି ଅରାପହ୍ଣ ୨ଟା ୩୦ ମିନିଟରେ ତାଙ୍କ ବାସଭବନରେ ୭୮ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।
୧୪ ବର୍ଷ ତଳେ ଏକ ଗୁରୁତର ଅସ୍ତ୍ ରୋପଚାର ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା। ୬ ବର୍ଷ ତଳେ ପକ୍ଷାଘାତରେ ପୀଡ଼ିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ହେଁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟି ନଥିଲା। ଡାହାଣ ଗୋଡ଼ ଓ ବାମ ହାତ ଅଚଳ ହୋଇଯାଇଥିଲା।
୧୯୪୨ ଜାନୁଆରି ୮ ତାରିଖରେ କେନ୍ଦୁଝର ଜିଲ୍ଲା, ବଡ଼ବିଲ ତହସିଲ, ଅସେଇଁକଳା ପଞ୍ଚାୟତର ନୟାକୃଷ୍ଣପୁର (ତିତିରିବିଲ) ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ନିଜ ଗାଁରେ ପ୍ରାଥମିକ ଶିକ୍ଷାଲାଭ କରିବାପରେ ତତ୍କାଳୀନ ବିହାର ତଥା ଅଧୁନା ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ଟାଟାନଗର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ କିଛି କାଳ ଶିକ୍ଷକତା କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୬୭ରେ ସେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିତ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ସେହି ଚମ୍ପୁଆ ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ୧୯୭୧ରେ ପ୍ରଥମଥର ପାଇଁ ସେ ଉତ୍କଳ କଂଗ୍ରେସରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୨ରେ ସେ ଖଣି ଓ ଭୂତତ୍ତ୍ବ ତଥା ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୭୭ରେ ଜନତା ଦଳରୁ ପୁଣିଥରେ ବିଧାୟକ ନିର୍ବାଚିତ ହୋଇ ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ପୁଣିଥରେ ୧୯୯୦ରେ ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୧୯୯୦ରୁ ୯୩ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଓ ୯୩ରୁ ୯୫ଯାଏ ଗ୍ରାମ୍ୟ ଉନ୍ନୟନ, ଉଠା ଓ କ୍ଷୁଦ୍ର ଜଳସେଚନ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଶେଷଥର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ଛାତ୍ରଜୀବନରେ ସେ ଷଢ଼େଇକଳା-ଖରସୁଆଁ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ଖଣି ଅଞ୍ଚଳରେ ଜଣେ ଶ୍ରମିକ ନେତା ଭାବେ ମଧ୍ୟ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ୧୯୮୦ରୁ ୯୦ ପର୍ଯ୍ୟନ୍ତ ଜନତା ଦଳ କେନ୍ଦୁଝର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। କିଛିକାଳ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ।
ମୃତ୍ୟୁ ବେଳକୁ ଶେଷଶଯ୍ୟା ନିକଟରେ ଧର୍ମପତ୍ନୀ, ପୁଅ, ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ। ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଯୋଡ଼ାର ପୂର୍ବତନ ପୌରାଧ୍ୟକ୍ଷ ଆର୍କେ ଦାସ, ଭଦ୍ରାସାହି ସରପଞ୍ଚ କସ୍ତୁରୀ ଓରାମ, ପ୍ରଦୀପ କୁମାର ଦାସ, ବିଜୟ ମହାନ୍ତି, ମିତ୍ରଭାନୁ ମହାକୁଡ଼, ନିରଂଜନ ବହିଦାର, କାଶିନାଥ ବେହେରା, ସାନିକା ମୁଣ୍ଡା, ପ୍ରଫୁଲ୍ଲ ପଲେଇ, କାବୁ ଜେନା, ଟିଟୁ ସାହୁ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ବାସୁଦେବପୁର ନିକଟସ୍ଥ ବୈତରଣୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।