ସାହାରପଡ଼ା ଲ୍ୟାମ୍ପସରେ ଧାନ କିଣା ଦୁର୍ନୀତି : ପିସିସି ସଭାପତିଙ୍କ ଅନଶନ ଚେତାବନୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡ଼ା ଲ୍ୟାମ୍ପସରେ ବ୍ୟାପକ ଅନିୟମିତତା ହେଉଛି। ଏହି ଦୁର୍ନୀତି ପଛରେ ସରକାରୀ ଅଧିକାରୀ, ଲ୍ୟାମ୍ପସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ଏଠାରେ ଧାନ ଦେଇ ୬୮ ଜଣ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଜିଲ୍ଲା ପ୍ରଶାସନ ୧୦ ଦିନ ମଧ୍ୟରେ ଲ୍ୟାମ୍ପସ ଅନିୟମିତତାର ତଦନ୍ତ କରି ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ନକଲେ ହଜାର ହଜାର ଚାଷୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତା‌ବନୀ ଦେଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସାହାରପଡା ଲ୍ୟାମ୍ପସରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଏଥିରେ ସରକାରୀ କର୍ମଚାରୀ, ମିଲ ମାଲିକ, ଯୋଗାଣ ବିଭାଗ ଅଧିକାରୀ ଏବଂ ରାଜନେତାମାନେ ସପୃକ୍ତ ଅଛନ୍ତି। ଏଠାରେ ୬୮ ଜଣ ଚାଷୀ ଗତ ମାର୍ଚ୍ଚ ମାସରୁ ଧାନ ଦେଇଥିଲେ ବି ସେମାନଙ୍କ ପ୍ରାପ୍ୟ ମିଳିନାହିଁ। ଏମାନଙ୍କ ପଛରେ ଧାନ ଦେଇଥିବା ଚାଷୀ ଟଙ୍କା ପାଇସାରିଛନ୍ତି। ଏମିତିକି ଯେଉଁ ଚାଷୀଙ୍କର ଜମି ନାହିଁ, ଚାଷ କରି ନାହାନ୍ତି, କାଳିଆ ଯୋଜନାରେ ଟଙ୍କା ନେଇଛନ୍ତି ‌ସେଭଳି ଲୋକେ ଧାନ ନ ଦେଇ ମଧ୍ୟ ପଇସା ପାଇଛନ୍ତି। ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ନିଜ ଜିଲ୍ଲାରେ ଗରିବ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରକୃତ ଚାଷୀ ସେମାନଙ୍କର ପାଉଣା ପାଉ ନାହାନ୍ତି । ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା କିଛି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାପାଳ ଏହି ଲ୍ୟାମ୍ପସ ଦୁର୍ନୀତିର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୬୮ ଜଣ ଚାଷୀଙ୍କୁ ସେମାନଙ୍କ ଧାନ ବାବଦ ପ୍ରାପ୍ୟ ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏହା ନହେଲେ ହଜାର ହଜାର ଚାଷୀଙ୍କ ସହିତ ନିଜେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସାହାରପଡା, ଉଦୟପୁର, ଟଭାସରୁଆ, ମାଛଗଡ଼ର ପ୍ରାୟ ୬୮ ଜଣ ଚାଷୀ ଗତ ମାର୍ଚ୍ଚ ୫ ତାରିଖରେ ଲ୍ୟାମ୍ପସରେ ସରକାରୀ ନିୟମ ପ୍ରକାରେ ଧାନ ବିକ୍ରି କରିଥିଲେ। ମାତ୍ର ଏଯାଏ ସେମାନଙ୍କୁ ଧାନ ବିକ୍ରି ଅର୍ଥ ମିଳୁନାହିଁ। ଏଥିନେଇ ସେମାନେ ଲ୍ୟାମ୍ପସ ଅଧିକାରୀ, ଯୋଗାଣ ବିଭାଗ, ଜିଲ୍ଲାପାଳଙ୍କୁ ଜଣାଇବା ସହିତ ଲ୍ୟାମ୍ପସ ସମ୍ମୁଖରେ ଏକାଧିକ ଥର ଧାରଣା ଦେଇଥିଲେ ବି ପଦକ୍ଷେପ ନିଆଯାଉନି।

ସମ୍ବନ୍ଧିତ ଖବର