ସାହାରପଡ଼ା ଧାନ କିଣା ଦୁର୍ନୀତି : କେନ୍ଦୁଝର ଏଆର୍‌ସିଏସ୍‌, ଡିଆର୍‌ସିଏସ୍‌ ନିଲମ୍ବିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡ଼ା ଧାନ କିଣା ଦୁର୍ନୀତି ଘଟଣାରେ କେନ୍ଦୁଝର ଏଆର୍‌ସିଏସ୍‌ ପର୍ଶୁରାମ ପାତ୍ର ଏବଂ ଡିଆର୍‌ସିଏସ୍‌ ପ୍ରମୋଦ କୁମାର ବରିହା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ମିଳିଥିବା ସୂଚନା ଅନୁସା‌ରେ, ସାହାରପଡ଼ା ବ୍ଲକ୍‌ ମାଛଗଡ଼, ଟଭାସରୁଆ, ସାହରପଡ଼ା, ଉଦୟପୁର ଲ୍ୟାମ୍ପ୍‌ସରେ ୬୮ଜଣ ଚାଷୀ ୩୮୬୬.୭୫ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସେମାନଙ୍କୁ ୭୦ ଲକ୍ଷ ୧୮ ହଜାର ୧୫୧ ଟଙ୍କା ପ୍ରାପ୍ୟ ମିଳିନଥିଲା। ମାଛଗଡ଼ ଶାଖାରେ ୩ଜଣ ଚାଷୀ ୨୧୦ କୁଇଣ୍ଟାଲ ଧାନ ବିକିଥିବା ବେ‌ଳେ ସେମାନଙ୍କ ପ୍ରାପ୍ୟ ହେଉଛି ୩ ଲକ୍ଷ ୮୧ ହଜାର ୧୫୦ ଟଙ୍କା। ସେହିପରି ସାହାରପଡ଼ା ଶାଖାରେ ୮ଜଣ ଚାଷୀ ୪୮୦.୩୬ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସେମାନଙ୍କ ପ୍ରାପ୍ୟ ହେଉଛି ୮ ଲକ୍ଷ ୭୧ ହଜାର ୮୫୩ ଟଙ୍କା। ଟଭାସରୁଆ ଶାଖାରେ ୧୭ଜଣ ଚାଷୀ ୧୦୧୨.୧୯ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସେମାନଙ୍କ ପ୍ରାପ୍ୟ ହେଉଛି ୧୮ ଲକ୍ଷ ୫୩ ହଜାର ୪୯୫ ଟଙ୍କା। ଉଦୟପୁର ଶାଖାରେ ୪୦ଜଣ ଚାଷୀ ୨୧୫୫.୨ କୁଇଣ୍ଟାଲ ଧାନ ବିକ୍ର କରିଥିବାବେଳେ ସେମାନଙ୍କ ପ୍ରାପ୍ୟ ହେଉଛି ୩୯ ଲକ୍ଷ ୧୧ ହଜାର ୬୮୮ ଟଙ୍କା। ବାରମ୍ବାର ଦାବି ସତ୍ତ୍ବେ ସେମାନଙ୍କୁ ଧାନ ବିକ୍ରି ଟଙ୍କା ନ ମିଳିବାରୁ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଚାଷୀଙ୍କ ସମର୍ଥନରେ ବାହାରିିଥିଲେ। ଏହାପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଚାଷୀ। ୬୮ଜଣ ଚାଷୀଙ୍କ ପକ୍ଷରୁ ଧରଣୀଧର ମହାନ୍ତ ପିଟିସନ ଦାଏର କରିବା ପରେ ଡବ୍ଲ୍ୟୁ(ପି)ସି-୧୯୦୧୭/୨୦୨୦ରେ ମାମଲା ରୁଜୁ ହୋଇଥିଲା।

କେନ୍ଦୁଝର ଜିଲ୍ଲାପାଳଙ୍କୁ ମାମଲାର ବିଚାର ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର୨୪ ତାରିଖରେ ଏହି ମାମଲାର ଶୁଣାଣି ଜିଲ୍ଲାପାଳଙ୍କ କୋର୍ଟରେ ହୋଇଥିଲା। ଅଧିକାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା। ଆଜି ରାଜ୍ୟ ସରକାର ଡିଆର୍‌ସିଏସ୍‌ ଏବଂ ଏଆର୍‌ସିଏସ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର