ଆଜି ପହଞ୍ଚିବ ସହିଦ୍ଙ୍କ ପାର୍ଥିବ ଶରୀର : ଝୁରୁଛି ଗାଁ ମାଟି, ଚାହିଁ ବସିଛନ୍ତି ଆତ୍ମୀୟ
ସହିଦ୍ଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨୫ ଲକ୍ଷ ଟଙ୍କା ସହାୟତା
କାମାକ୍ଷାନଗର : ସୋମବାର ସଂଧ୍ୟାରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା କାମାକ୍ଷାନଗର ବ୍ଲକ୍ ବଡ଼ସୁଅାଁଳ ଗାଁର ଅଜିତ କୁମାର ସାହୁଙ୍କ ମରଶରୀର ଆଜି ସଂଧ୍ୟା ସୁଦ୍ଧା ଗାଁରେ ପହଞ୍ଚି ପାରିନାହିଁ। ବିହାରର ପାଟଣାଠାରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମରଶରୀର ଆସିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ତେବେ ଆଜି ରାତି ୨ଟା ସୁଦ୍ଧା ଭୁବନେଶ୍ବରରେ ଏବଂ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବଡ଼ସୁଆଁଳରେ ସହିଦ ଅଜିତଙ୍କ ପାର୍ଥିବ ଶରୀର ପହଞ୍ଚିବାର ସମ୍ଭାବନା ରହିଛି ବୋଲି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଅଜିତଙ୍କ ପାର୍ଥିବ ଶରୀର ଆସିବା ବାଟକୁ ଚାହିଁ ରହିଛନ୍ତି ତାଙ୍କ ଆତ୍ମୀୟସ୍ବଜନ, ଅଞ୍ଚଳବାସୀଙ୍କ ସମେତ ଅଜିତଙ୍କ ସହକର୍ମୀ ଯବାନମାନେ। ସାରା ଗାଁରେ ଲାଗି ରହିଛି ଶୋକାକୁଳ ପରିସ୍ଥିତି। ମା’ କୁମୁଦିନୀ ବାରମ୍ବାର ମୂର୍ଚ୍ଛା ଯାଉଥିବାବେଳେ ବାପା ସନ୍ତୋଷ ହତବାକ୍ ହୋଇପଡ଼ିଛନ୍ତି। ସମସ୍ତେ ଆଖିରୁ ଲୁହ ଝରାଇ ଅଜିତଙ୍କ ଗୁଣ ବାହୁନୁଛନ୍ତି। ନବବିବାହିତା ସାନ ଭଉଣୀ ଶୁଭଲକ୍ଷ୍ମୀ ଶାଶୂଘରୁ ଆସି ଆତ୍ମୀୟସ୍ବଜନଙ୍କୁ ସାନ୍ତ୍ବନା ଦେଉଥିଲେ ମଧ୍ୟ କେହି କିଛି ଶୁଣିବା ଅବସ୍ଥାରେ ନାହାନ୍ତି। ଅଜିତ କୋଲକାତାରେ କାର୍ଯ୍ୟ କରୁଥିବାବେଳେ ଏକାଠି ରହୁଥିବା ଯବାନ ବିଘ୍ନରାଜ ମହାନ୍ତି ଆସି ପରିବାରକୁ ଆଶ୍ବାସନା ଦେଉଛନ୍ତି। ସେ କହିଛନ୍ତି, ଅଜିତ ତାଙ୍କ ସାନଭାଇ ଭଳି ଥିଲେ। ଖୁବ୍ ମେଳାପି ହୋଇଥିବାରୁ ସମସ୍ତେ ତାଙ୍କୁ ଶ୍ରଦ୍ଧା କରୁଥିଲେ। ବଡ଼ସୁଆଁଳର ଅନ୍ୟତମ ଯବାନ ପ୍ରିୟରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ଆତ୍ମୀୟସ୍ବଜନଙ୍କୁ ସାନ୍ତ୍ବନା ଦେଉଛନ୍ତି। ଅଜିତ ଗାଁକୁ ଆସିଲେ ଗାଁର ସେବା ଶକ୍ତି ସଂଗଠନ ଜରିଆରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିଲେ। ଏହି ସଂଗଠନର ସମସ୍ତ ସଭ୍ୟ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଜିଲ୍ଲା ବିଜେପି ଉପସଭାପତି ଶତ୍ରୁଘ୍ନ ଜେନା, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ଅଜିତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ସେହିପରି କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଭୀର ଶୋକ ପ୍ରକାଶ କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଗତ ସୋମବାର ରାତି ପ୍ରାୟ ୨ଟା ସମୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନା ଯବାନ ଅଜିତ ପ୍ରାଣ ହରାଇଥିଲେ।
ସହିଦ୍ଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨୫ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ବର : ଜମ୍ମୁ କାଶ୍ମିରୀରେ ସହିଦ ହୋଇଥିବା ଓଡ଼ିଆ ଜବାନ ଅଜିତ କୁମାର ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରି କହିଛନ୍ତି, ସହିଦ ଅଜିତ ସାହୁ ଦେଶର ସୁରକ୍ଷା ଓ ଏକତା ପାଇଁ ଚରମ ତ୍ୟାଗ ଓ ବଳିଦାନ ଦେଇଛନ୍ତି। ସହିଦଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।