ହଜାର ହଜାର ଲୋକେ ସହିଦ ମାଓନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ନାଚଗୀତରେ ନକ୍ସଲ ନିଜର ବଳିଦାନ ସଂପର୍କରେ ଅବଗତ କଲେ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଲାଲ ପତାକାକୁ ଲାଲ ସଲାମ…ବିପ୍ଲବୀ ଦୀର୍ଘଜୀବି ହୁଅନ୍ତୁ…ଅମର ସହିଦ କମ୍ରେଡ ଅମର ରହେ…ସହିଦଙ୍କ ବଳିଦାନ ବ୍ୟର୍ଥ ଜୀବନୀ ଧ୍ବନୀରେ ଜଂଗଲ ଫାଟି ପଡୁଥିଲା।ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳର ଆଭ୍ୟନ୍ତରୀଣ ଗ୍ରାମରେ ନକ୍ସଲ ପାଳିଲେ ସହିଦ ସପ୍ତାହ। ଗାଁ ଗାଁରେ ଗରିଲା ଯୋଦ୍ଧାଙ୍କ ସ୍ମୃତିସ୍ତମ୍ଭରେ ଲାଲ ପତାକା ଉଡୁଥିଲା। ହଜାର ହଜାର ଲୋକ ନକ୍ସଲ ଡାକରାରେ ଏକତ୍ର ହୋଇଥିଲେ। ଜଂଗଲରେ ଲୋକେ ରାଲି କରିବା ସହ ସହିଦଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଲାଲବାହିନୀ ନିଜର ସଂଘର୍ଷର ଗାଥା ବଖାଣୁଥିଲେ।

ନକ୍ସଲ ଏବଂ ଗ୍ରାମବାସୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସହିଦ ପରିବାରକୁ ନିଜର ପାରିବା ପର୍ଯ୍ୟନ୍ତ ଖାଦ୍ୟସାମଗ୍ରୀ ପ୍ରଦାନ କରିଥିଲେ। ଦୁର୍ଗମ ଗ୍ରାମର ଶେଷ ମୁଣ୍ଡରେ ନକ୍ସଲ ଲାଲ ରଙ୍ଗର ସହିଦସ୍ତମ୍ଭ ନିର୍ମାଣ କରିଥିଲେ। ହଜାର ହଜାର ଲୋକଙ୍କ ଗହଣରେ ନକ୍ସଲ ସହିଦ ହୋଇଥିବା କମ୍ରେଡମାନଙ୍କ ଗାଥା ବଖାଣିଥିଲେ। ସହିଦସ୍ତମ୍ଭରେ ଅମର ଯୋଦ୍ଧାଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଲୋକେ ନିଜର ପାଖରେ ଯାହା ଥିଲା ତାହା ପ୍ରଦାନ କରିଥିଲେ।

ସହିଦସ୍ତମ୍ଭର ଚତୁର୍ପାର୍ଶ୍ବରେ ଲୋକେ ବୁଲି ବୁଲି କମ୍ରେଡମାନେ ଅମର ରହେ ବୋଲି ସ୍ଲୋଗାନ ଦେଉଥିଲେ। ପରେ ଲୋକଙ୍କ ଗଣରେ ନକ୍ସଲଙ୍କ ନାଟ୍ୟ ପାର୍ଟି ପଥପ୍ରାନ୍ତ ନାଟକ ଦେଖାଇବା ସହ ନିଜ ଅଂଚଳର ଭାଷାରେ ନକ୍ସଲଙ୍କ ବଳିଦାନ ସଂପର୍କରେ ଲୋକଙ୍କୁ ବୁଝାଇଥିଲେ। ସ୍ବାଭିମାନ ଅଂଚଳରେ କିପରି ନକ୍ସଲ ଲୋକଙ୍କ ପାଇଁ କାମ କରୁଛି ତାହା ମଧ୍ୟ ବୁଝାଇଥିଲେ। ଏହି ଅଂଚଳରୋ ସରକାର ଖଣିଖାଦନକୁ ଲୁଟ କରିବା ପାଇଁ ନକ୍ସଲକୁ ଦମନ କରିବାକୁ ଚେଷ୍ଟା କରୁଥିବା କହିଥିଲେ। ଜଳ, ଜଂଗଲ ଜମିକୁ ପୁଞ୍ଜିପତିମାନଙ୍କୁ ସରକାର ଟେକି ଦେଇଥିବା ଅଭିଯୋଗ କରିଥିଲେ। ଆଉ କିଛି ତେଲୁଗୁ ଠିକାଦାର ପୁଞ୍ଜିପତିଙ୍କୁ ପ୍ରଜାକୋର୍ଟରେ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି କହିଥିଲେ।

ପ୍ରକାଶ ଥାଉକି ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହି ମଧ୍ୟରେ ନକ୍ସଲ ବିଭିନ୍ନ ଗ୍ରାମରେ ସହିଦସ୍ତମ୍ଭ ନିର୍ମାଣ କରିବା ପରେ ସେଠାରେ ଗ୍ରାମବାସୀଙ୍କୁ ନେଇ ଅମର ଯୋଦ୍ଧାଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କର ଉଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ବୁଝାଉଛନ୍ତି। କମ୍ରେଡମାନେ ଗରିବ, ନିଷ୍ପସିତ ଲୋକଙ୍କ ପାଇଁ ଲଢେଇ କରି ଆଜି ସହିଦ ହୋଇଥିବା କୁହାଯାଇଥିଲା। ଯେଉଁ ପରିବାରର ଲୋକେ ସହିଦ ହୋଇଛନ୍ତି ସେହି ପରିବାରକୁ ପାର୍ଟି ସବୁବେଳେ ସହଯୋଗ କରିଆସିଛି। ତେଣୁ ଆଜି ବି ନିଜର ପାରିବା ପର୍ଯ୍ୟନ୍ତ ସହଯୋଗ କରିବ ବୋଲି ନେତାମାନେ କହିଥିଲେ। ଆନ୍ଧ୍ର ଓ ଓଡିଶାର ଗ୍ରାମବାସୀମାନେ ନିଜ ନିଜ ଘରୁ ଚାଉଳ, ଧାନ, ମାଣ୍ଡିଆ ସୁଆଁ ଇତ୍ୟାଦି ଆଣି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ନକ୍ସଲଙ୍କ ଡାକରାରେ ଲୋକେ ସହିଦ ଦିବସ ପାଳନ କରିବାକୁ ବାଧ୍ୟ ହେଉଥିବା ଜଣାପଡିଛି। ନିଜର ଜୀବନକୁ ବଞ୍ଚାଇବାକୁ ଲୋକେ ଏହି ଦିବସକୁ ପାଳନ କରିବା ସହ ନକ୍ସଲଙ୍କ ସମସ୍ତ କାର୍ଯ୍ୟକୁ କେବଳ ଦେଖିବା ସହ କୌଣସି ଅଭିଯୋଗ କରିନଥାନ୍ତି।

ସମ୍ବନ୍ଧିତ ଖବର