ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ପଂଚଭୂତରେ ଲୀନ ହେଲେ ସହିଦ୍‌ ଓଡ଼ିଆ ଯବାନ ମନୋଜ

ନିଆଳି: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଶନିବାର ରାତି ପଂଚଭୂତରେ ଲୀନ ହୋଇଛି। ଗାଁ ମଶାଣିରେ ଅନ୍ତିମ ସଂସ୍କାର ବେଳେ ଦାଦା ପୁଅ ଭାଇ ରଂଜନ କୁମାର ବେହେରା ଓ ଭଉଣୀ ବାସନ୍ତୀ ବେହେରା ମୁଖାଗ୍ନି ଦେଇଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସିଆରପିଏଫ ଯବାନଙ୍କ ଦ୍ୱାରା ଗାର୍ଡ ଅଫ ଅନର, ତୋପ ସଲାମି ଦିଆଯାଇଛି। ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ପରିବାର ଲୋକ, ବନ୍ଧୁ-ବାନ୍ଧବ, ଗ୍ରାମବାସୀ, ସ୍ଥାନୀୟ ଅଂଚଳରେ ନେତା, ପ୍ରଶାସନ, ତଥା ପ୍ରାୟ ୩୦ ହଜାର ଲୋକ ଉପସ୍ଥିତ ଥିଲେ।

କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ନିଆଳି ବିଧାୟକ ପ୍ରମୋଦ କୁମାର ମଲିକ, କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ। ସହିଦଙ୍କ ଚିତା ଜଳିବା ପୂର୍ବରୁ ଆଂଚଳିକ ଜୀବନ ବୀମା ପ୍ରବନ୍ଧକ ସହିଦଙ୍କ ପିତାଙ୍କୁ ୨ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବୀମାରାଶି ପ୍ରଦାନ କରିଛନ୍ତି। ସେହିପରି ସହିଦଙ୍କ ପାର୍ଥିବ ଶରୀରରେ ଚିତା ଲାଗିବା ପରେ ଉପସ୍ଥିତ ଜନତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଛି।

ସହିଦଙ୍କୁ ଅନ୍ତିମ ବିଦାୟ ଦିଆଯାଉଥିବା ବେଳେ କଟକ ଜିଲ୍ଲାର ନିଆଳି ବ୍ଲକ ରତନପୁର ଗାଁ ସ୍ତବ୍ଧ ପାଲଟି ଯାଇଛି। ଗାଁର ଲୋକଙ୍କ ମୁହଁରୁ କିଛି କଥା ବାହାରୁ ନାହିଁ। ସମେସ୍ତ ଝୁରୁଛନ୍ତି ସେହି ବୀର ଯବାନଙ୍କୁ, ଯିଏକି ୨ ଦିନ ତଳେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଛନ୍ତି।

ଆଜି ଅପରାହ୍ନରେ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ବିମାନ ବନ୍ଦରରୁ ସହିଦ ଯବାନଙ୍କ ପାର୍ଥିବ ଶରୀର ସେମାନଙ୍କ ପୈତୃକ ଗ୍ରାମ ଅଭିମୁଖେ ନିଆ ଯାଇଥିଲା। ରାଜଧାନୀ ଭୁବନେଶ୍ୱର ଠାରୁ ରତନପୁର ପ୍ରାୟ ଏକ ଘଣ୍ଟାର ରାସ୍ତାକୁ ପାଖାପାଖି ୫ ଘଣ୍ଟା ଲାଗିଛି। ବାଟରେ ଭାରତ ମାତା କି, ସହିଦ ଯବାନ ଅମର ରହେ ଶ୍ଲୋଗାନରେ ଚାରି ଦିଗ ଫାଟି ପଡୁଥିଲେ। ସହିଦଙ୍କୁ ସମର୍ଥନ ଜଣାଇବା ପାଇଁ ରାସ୍ତା ଉପରକୁ ହଜାର ହଜାର ଲୋକ ବାହାରି ପଡ଼ିଥିଲେ। ଲୋକମାନେ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇ ଲୁହ ଗଡ଼ାଉଥିଲେ।

ସୂଚନାଯୋଗ୍ୟ ପୁଲବାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାରୁ ସାମିଲ ଅଛନ୍ତି।

କଟକ ଜିଲ୍ଲାର ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ୨ ବର୍ଷ ତଳେ ବିବାହ କରିଥିଲେ। ଇତି ମଧ୍ୟରେ ସେ ଏକ ଶିଶୁ କନ୍ୟାର ପିତା ହୋଇଥିଲେ। ପ୍ରାୟ ଦେଢ଼ ମାସ ଛୁଟିରେ ରହିବା ପରେ ଝିଅର ଜନ୍ମଦିନ ପାଳନ କରି ଫେବ୍ରୁଆରି ୬ରେ ଡ୍ୟୁଟିରେ ଯୋଗ ଦେଇଥିଲେ। ସହିଦ ହେବା ପୂର୍ବରୁ ମନୋଜ ନିଜ ସ୍ତ୍ରୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ।

ସମ୍ବନ୍ଧିତ ଖବର