ଜଗତସିଂହପୁର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀର ଶନିବାର ରାତି ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ପଂଚଭୂତରେ ଲୀନ ହୋଇଛି। ସହିଦ ଯବାନଙ୍କ ପାର୍ଥିବ ଶରୀର ଗାଁ ମଶାଣିରେ ପୁଅ ଜଗନ ସାହୁ (୧୬) ମୁଖାଗ୍ନି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସିଆରପିଏଫ ଯବାନଙ୍କ ଦ୍ୱାରା ଗାର୍ଡ ଅଫ ଅନର, ତୋପ ସଲାମି ଦିଆଯାଇଛି।ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ପରିବାର ଲୋକ, ବନ୍ଧୁ-ବାନ୍ଧବ, ଗ୍ରାମବାସୀ, ସ୍ଥାନୀୟ ଅଂଚଳରେ ନେତା, ପ୍ରଶାସନ, ତଥା ଜଣାଶୁଣା ଲୋକ ଉପସ୍ଥିତ ଥିଲେ। ସହିଦଙ୍କ ନିବାସ ଏବଂ ମଶାଣିରେ ହଜାର ହଜାର ଲୋକ ଉପସ୍ଥିତ ଅଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଗତସିଂହପୁର ସାଂଦଦ କୁଲମଣି ସାମଲ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିିଧାୟକ ଚିରଞ୍ଜିବୀ ବିଶ୍ୱାଳ, ବାଲିକୁଦା ବିଧାୟକ ପ୍ରଶନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଜ୍ୟୋତିସ ଚନ୍ଦ୍ର ଦାସ, ଉମେଶ ଚନ୍ଦ୍ର ସ୍ୱାଇଁ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟୀ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ। ସହିଦଙ୍କ ପାର୍ଥିବ ଶରୀରରେ ଚିତା ଲାଗିବା ପରେ ଉପସ୍ଥିତ ଜନତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଛି।
ସହିଦଙ୍କୁ ଅନ୍ତିମ ବିଦାୟ ଦିଆଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ନାଉଁଗା ବ୍ଲକ ପାରିଶିଖର ଗାଁ ସ୍ତବ୍ଧ ପାଲଟି ଯାଇଛି। ଗାଁର ଲୋକଙ୍କ ମୁହଁରୁ କିଛି କଥା ବାହାରୁ ନାହିଁ। ସମେସ୍ତ ଝୁରୁଛନ୍ତି ସେହି ବୀର ଯବାନଙ୍କୁ, ଯିଏକି ୨ ଦିନ ତଳେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଛନ୍ତି।
ଆଜି ଅପରାହ୍ନରେ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ବିମାନ ବନ୍ଦରରୁ ସହିଦ ଯବାନଙ୍କ ପାର୍ଥିବ ଶରୀର ସେମାନଙ୍କ ପୈତୃକ ଗ୍ରାମ ଅଭିମୁଖେ ନିଆ ଯାଇଥିଲା। ବାଟରେ ଭାରତ ମାତା କି, ସହିଦ ଯବାନ ଅମର ରହେ ଶ୍ଲୋଗାନରେ ଚାରି ଦିଗ ଫାଟି ପଡୁଥିଲେ। ସହିଦଙ୍କୁ ସମର୍ଥନ ଜଣାଇବା ପାଇଁ ରାସ୍ତା ଉପରକୁ ହଜାର ହଜାର ଲୋକ ବାହାରି ପଡ଼ିଥିଲେ। ଲୋକମାନେ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇ ଲୁହ ଗଡ଼ାଉଛନ୍ତି। ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ପରିବାର ଲୋକ, ବନ୍ଧୁ-ବାନ୍ଧବ, ଗ୍ରାମବାସୀ, ସ୍ଥାନୀୟ ଅଂଚଳରେ ନେତା, ତଥା ପ୍ରାୟ ୪୦ ହଜାର ଲୋକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ପୁଲବାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାରୁ ସାମିଲ ଅଛନ୍ତି।
ଜଗତସିଂହପୁର ଜିଲ୍ଲାର ନାଉଁଗା ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଛନ୍ତି। ସିଆରପିଏଫ-୬୧ ବାଟାଲିୟନରେ ସେ ହାବିଲଦାର ଭାବରେ କାର୍ଯ୍ୟରତ ଥିଲେ। ଦୀର୍ଘ ୨୭ ବର୍ଷ ଧରି ସିଆରପିଏଫରେ ଯୋଗଦେଇ ଥିଲେ। ପ୍ରସନ୍ନ ୨୦୧୮ ନଭେମ୍ବରରେ ଘରକୁ ଆସିଥିଲେ ଏବଂ ଅଗଷ୍ଠରେ ପୁଣି ଘରକୁ ଆସିବି ବୋଲି ପରିବାର ଲୋକଙ୍କୁ କଥା ଦେଇଥିଲେ।