ସହିଦଙ୍କୁ ଜନସମୁଦ୍ରର ଅଶ୍ରୁଳ ବିଦାୟ

ସୁନ୍ଦରଗଡ଼/ରାଜଗାଙ୍ଗପୁର : ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଜଗାଙ୍ଗପୁର ଲିପ୍‌ଲୋଇର ଯବାନ ପ୍ରଦୀପ କୁମାର ପଣ୍ଡାଙ୍କୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନତା ଶେଷ ଦର୍ଶନ କରିବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି। ବୀରଗତି ପ୍ରାପ୍ତିର ୩ ଦିନ ପରେ ସହିଦ ପ୍ରଦୀପଙ୍କ ମରଶରୀର ଆଜି ପୂର୍ବାହ୍ନ ୯ଟାରେ ପହଞ୍ଚିବା ପୂର୍ବରୁ ରାଜଗାଙ୍ଗପୁର ମିନି ଷ୍ଟାଡ଼ିୟମ ପାଲଟିଥିଲା ଜନସମୁଦ୍ରରେ। ସହିଦଙ୍କ ପାର୍ଥିବ ଶରୀରକୁ ଗାଡ଼ିରୁ ଓହ୍ଲାଯିବା ପରେ ସେଠାରେ ଉପସ୍ଥିତ ସିଆର୍‌ପିଏଫ୍‌ ଡିଆଇଜି ବି.କେ. ଶର୍ମା, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ଜିଲ୍ଲାପାଳ ବୀନିତ ଭରଦ୍ୱାଜ, ଏସ୍‌ପି ପୀନାକ ମିଶ୍ର, ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ସମେତ ସିଆର୍‌ପିଏଫ୍‌, ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସହିଦ ପ୍ରଦୀପଙ୍କୁ ତିନି ତୋପ ସଲାମି ଦିଆଯାଇଥିଲା। ସହିଦଙ୍କ ଭଣଜା ଜିତୁ ପାଢ଼ୀ ମୁଖାଗ୍ନୀ ଦେଇଥିଲେ।

ସହିଦଙ୍କୁ ନେତାଙ୍କ ସମ୍ମାନ ଏମିତି!

ରାଉରକେଲା : ଦକ୍ଷିଣ କାଶ୍ମୀରର ଫୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲାଥେପୋର ସିଆର୍‌ପିଏଫ୍‌ କ୍ୟାମ୍ପରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିଲେ ରାଜଗାଙ୍ଗପୁର ଲିପ୍‌ଲୋଇର ଯବାନ ପ୍ରଦୀପ କୁମାର ପଣ୍ଡା। ବିଦାୟୀ ବର୍ଷର ଶେଷ ଅପରାହ୍ନରେ ପରିବାରବର୍ଗ ଏହି ଦୁଃଖଦ ଖବର ପାଇବା ପରେ ସମଗ୍ର ରାଜଗାଙ୍ଗପୁର ଅଞ୍ଚଳରେ ଖେଳିଯାଇଥିଲା ଶୋକର ଛାୟା। ସହିଦଙ୍କ ମରଶରୀର ଅପେକ୍ଷାରେ ଥିଲେ ସମଗ୍ର ଅଞ୍ଚଳବାସୀ। ଗତକାଲି ରାତି ପ୍ରାୟ ୯ଟା ବେଳେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା ଭୁବନେଶ୍ୱର ବିମାନ ବନ୍ଦରରେ। ଓଡ଼ିଆ ବୀରଙ୍କୁ ସେଠାରେ ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ମନ୍ତ୍ରୀ ପରିଷଦର କୌଣସି ସଦସ୍ୟ ଯାଇନଥିଲେ। ଏପରିକି ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମେତ ଜିଲ୍ଲାର ଅନ୍ୟ କେତେଜଣ ବିଧାୟକ ରାଜଧାନୀରେ ନୂଆ ବର୍ଷ ପାଳନ ପାଇଁ ଡେରା ପକାଇଥିଲେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ କେହି ଯାଇନଥିଲେ।

ଅଞ୍ଚଳବାସୀ ଆଶା କରିଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ଭଳି ସେମାନଙ୍କ ବିଧାୟକ ଶ୍ରୀ କିଷାନ ବିମାନ ବନ୍ଦରରେ ମରଶରୀରକୁ ଗ୍ରହଣ କରି ରାଜଗାଙ୍ଗପୁର ପର୍ଯ୍ୟନ୍ତ ସାଥିରେ ଆସିବେ। ମାତ୍ର ତାହା ହେଲା ନାହିଁ, ବରଂ ସେ ଆଜି ଲିପ୍‌ଲୋଇରେ ପହଞ୍ଚିବା ବେଳେକୁ ସହିଦଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇ ସାରିଥିଲା। ଜନ୍ମମାଟିରେ ସହିଦଙ୍କୁ ଅଶ୍ରୁଳ ବିଦାୟ ଦେଇଥିବା ଜନସମୁଦ୍ର ବିଧାୟକଙ୍କୁ ନଦେଖି କେବଳ ଯେ ହତ୍‌ଚକିତ ହୋଇଥିଲେ ତାହା ନୁହେଁ, ବରଂ ସହିଦଙ୍କ ପ୍ରତି ତାଙ୍କ ସମ୍ମାନକୁ ନେଇ ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଚାପା ଗୁଞ୍ଜରଣ। ସମ୍ଭବତଃ ଏଭଳି ଅପବାଦରୁ ତ୍ରାହି ପାଇବା ପାଇଁ ଅଘି ଶୀତଳ ହେବା ବେଳକୁ ଦୁଇ ଜଣ ଅନୁଗତଙ୍କ ସହ ବିଧାୟକ ପହଞ୍ଚିଥିଲେ ସତ୍କାରସ୍ଥଳରେ ଓ ସେଠାରୁ ଫଟୋ ଉଠାଇ ଗଣମାଧ୍ୟମକୁ ପଠାଇଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କୁ ପ୍ରଶ୍ନ ହେବାରୁ ସେ ସାଢ଼େ ୧୨ଟାରୁ ସେଠାରେ ଥିବା ଦାବି କରିଛନ୍ତି। ମାତ୍ର ସହିଦଙ୍କ ଶବ ସତ୍କାର ଶେଷ ପର୍ଯ୍ୟନ୍ତ କେହି ତାଙ୍କୁ ଦେଖିନପାରିବା ବିସ୍ମୟଜନକ।

ସମ୍ବନ୍ଧିତ ଖବର