ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଶଶାଙ୍କ ଶେଖର ସାମଲଙ୍କ ଶେଷକୃତ୍ୟ ସଂପନ୍ନ

ଲୁହରେ ଭିଜିଲା କ୍ଷେତ୍ରାପାଳ ଗାଁ, ହଜାର ହଜାର ଜନତା ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କଣ୍ଟିଗଡ଼ିଆ : ଲୁହରେ ଭିଜିଲା ସହିଦ ଶଶାଙ୍କ ଶେଖର ସାମଲଙ୍କ ଜନ୍ମମାଟି କ୍ଷେତ୍ରାପାଳ ଗାଁ। ଚାରିଆଡ଼େ ଶୋକାକୁଳ ପରିବେଶ। ସମସ୍ତ ଆଖିରେ ଲୁହ, ଛାତିରେ‌ କୋହ। ଯବାନ ପୁଅଙ୍କୁ ହରାଇ ପରିବାର ଲୋକ ନିର୍ବାକ ଓ ନିସ୍ପନ୍ଦ। ଦୁଇବର୍ଷର ଶିଶୁପୁତ୍ର କେବଳ ଚାହିଁ ରହୁଛି। ଏତେ ଭିଡ଼ ଭିତରେ କ’ଣ ହେଉଛି ସେ ବୁଝିପାରୁନାହିଁ। ଏଭଳି‌ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ସହିଦ ଶଶାଙ୍କଙ୍କ ପାର୍ଥିବ ଶରୀର ଧର୍ମଶାଳା ବ୍ଲକ କ୍ଷେତ୍ରାପାଳ ଗାଁରେ ପହଞ୍ଚିବା ପରେ। ଆଜି ବିଳମ୍ବିତ ରାତିରେ ହଜାରହଜାର ଶୋକାକୁଳ ଜନତାଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସିଆଚୀନର ଲଦାଖଠାରୁ ତାଙ୍କ ମରଶରୀରର ବିମାନ ଯୋଗେ ଆସି ରବିବାର ଅପରାହ୍‌ଣରେ ଭୁବନେଶ୍ବରରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନପୂର୍ବକ ନିଜ ଗାଁ ଅଭିମୁଖେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ବଡ଼ଚଣା ଛକରେ ହଜାରହଜାର ଲୋକ ଶେଷଦର୍ଶନ ପାଇଁ ଅପେକ୍ଷା କରିଥିଲେ।‌ ସେଠାରୁ ଶୋଭାଯାତ୍ରାରେ ବୀର ଯବାନ ଅମର ରହେ ଧ୍ବନି ମଧ୍ୟରେ ଚଣ୍ଡିଖୋଲ ଛକରେ ପହଞ୍ଚିଥିଲା। ସେଠାରେ ପ୍ରାୟ ୧୦ ହଜାର ଲୋକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କ୍ଷେତ୍ରାପାଳ ଗାଁରେ ମଧ୍ୟ ବହୁ ବିଶିଷ୍ଟ ନେତୃବୃନ୍ଦ ତଥା ପ୍ରଶାସନ ପକ୍ଷରୁ ଉଚ୍ଚ ଅଧିକାରୀ ଅପେକ୍ଷା କରି ରହିଥିଲେ। ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଏସ୍‌ପି ବାଉରୀବନ୍ଧୁ ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ‌ କୁମାର ସେଠୀ, ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ, ବିଡିଓ ଅରବିନ୍ଦ ବେହେରା, ଥାନା ଅଧିକାରୀ ସରୋଜ ସାହୁ ପ୍ରଭୃତି ଉପସ୍ଥିତ ଥିଲେ। ସେହିପରି ବରୀ ବିଧାୟିକା ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପିସିସି ମୁଖପାତ୍ର ସ୍ମୃତିରେଖା ପହି, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ସର୍ବେଶ୍ବର ବେହେରରା, ବିଜେପି ରାଜ୍ୟ ସାଧାରଣ ସଂପାଦକ ରମାକାନ୍ତ ରାଉତ, ବିଜେପି ମୁଖପାତ୍ର ଅମର ନାୟକ ପ୍ରଭୃତି ଏହି ଶୋଭାଯାତ୍ରା‌ରେ ସାମିଲ ହୋଇଥିଲେ। ପାର୍ଥିବ ଶରୀର ତାଙ୍କ ଘର ନିକଟରେ ପହଞ୍ଚିବା ସମୟରେ ସହିଦ ଶଶାଙ୍କ ଅମର ରହେ ଧ୍ବନିରେ ଚତୁର୍ଦିଗ ପ୍ରକମ୍ପିତ ହୋଇଥିଲା। ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନକୁ ନିଆଯାଇ ରାଷ୍ଟ୍ରୀୟ ସମ୍ମାନ ଓ ତୋପ ସଲାମି ପରେ ଅନ୍ତିମ ସଂସ୍କାର କରାଯାଇଥିଲା।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ (୩୨) ୨୦୦୭ ମସିହାରେ ସେନାବାହିନୀରେ ଯୋଗଦେଇଥିଲେ। ମାଟି ମା’ର ସେବା କରିଆସୁଥିବା ଏହି ବୀର ଯବାନ ସିଆଚୀନର ଲଦାଖଠାରେ ଗୁରୁବାର ବିଳମ୍ବିତ ରାତିରେ ଶିବିରକୁ ଫେରୁଥିବାବେଳେ ଗାଡ଼ିଟି ୩ ଶହ ଫୁଟ ଘାଟି ଉପରୁ ତଳକୁ ଖସି ପଡ଼ିଥିଲା। ଗାଡ଼ିରେ ଥିବା ଅନ୍ୟ କେତେଜଣ ଯବାନ ସହିଦ ହୋଇଥିବା ବେଳେ ଓଡ଼ିଶାର ଶଶାଙ୍କ ଶେଖର ମଧ୍ୟ ସେଥିରେ ଥିଲେ। ସେ ଛୁଟି ନେଇ ଆସନ୍ତାମାସ ୧୨ ତାରିଖରେ ନିଜ ଗାଁକୁ ଆସିଥାନ୍ତେ। ଭାଗ୍ୟର ବିଡ଼ମ୍ବନା ୧୨ ତାରିଖ ପରିବେର୍ତ୍ତ ଆଜି ୨୧ ତାରିଖରେ ତାଙ୍କ ମରଶରୀର ଗାଁରେ ପହଞ୍ଚିଛି। ଶଶାଙ୍କଙ୍କ ପିତା ଯଦୁନାଥ ସାମଲ ମଧ୍ୟ ସେନା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ପରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର