ଦୁଇ ବୀର ଓଡ଼ିଆ ଯବାନ ସହିଦ : ଚନ୍ଦ୍ରକାନ୍ତ ଓ ନନ୍ଦୁରାମଙ୍କୁ ଝୁରୁଛି ଜନ୍ମମାଟି

କନ୍ଧମାଳ ଓ ମୟୂରଭଞ୍ଜରେ ଶୋକର ଛାୟା, ଆଜି ଗାଁରେ ପହଞ୍ଚିବ ମରଶରୀର, ସହିଦ ପରିବାରଙ୍କୁ ମିଳିବ ୨୫ ଲକ୍ଷ

ଫୁଲବାଣୀ/ରାଇକିଆ/ରାଇରଙ୍ଗପୁର/ବିଜାତଳା : ପୂର୍ବ ଲଦାଖ ଗଲୱାନ୍ ଘାଟିରେ ଭାରତ-ଚୀନ୍ ସେନା ମଧ୍ୟରେ ଘମାଘୋଟ ସଂଘର୍ଷରେ ଯେଉଁ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଦୁଇ ବୀର ଓଡ଼ିଆ ଯବାନ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଏବଂ ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରେନ(୪୩) ଅଛନ୍ତି। ଆଜି ଏହା ଜଣାପଡ଼ିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ଦୁଇ ବୀର ସହିଦଙ୍କୁ ସେମାନଙ୍କ ଜନ୍ମମାଟି ଝୁରୁଥିବାବେଳେ ସେମାନଙ୍କ ପରିବାରବର୍ଗ, ଆତ୍ମୀୟସ୍ବଜନ ଓ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି। ଗୁରୁବାର ଉଭୟଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସଂପନ୍ନ କରିବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସହିଦ ‌ହୋଇଥିବା କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତଙ୍କ ଜନ୍ମ ଜିଲ୍ଲା ସଦରମହକୁମା ଫୁଲବାଣୀଠାରୁ ୭୫ କିଲୋମିଟର ଦୂର ରାଇକିଆ ବ୍ଲକ୍ ବିଅରପାଙ୍ଗା ଗାଁରେ। ୨୦୧୪ରେ ଭାରତୀୟ ସେନାବାହିନୀରେ ଚାକିରି ପାଇ ୧୬-ବିହାର ରେଜିମେଣ୍ଟ୍‌ରେ ଯୋଗ ଦେଇଥିଲେ। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଭାବେ ଦୁଇ ଭାଇ ଓ ଗୋଟିଏ ଭଉଣୀଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବାକୁ ଚନ୍ଦ୍ରକାନ୍ତ ଅଣ୍ଟା ଭିଡ଼ିଥିଲେ। ଗତବର୍ଷ ‌ଡିସେମ୍ବର ମାସରେ ‌ସେ ଶେଷ ଥର ପାଇଁ ଗାଁକୁ ଛୁଟିରେ ଆସିଥିଲେ। ଆସନ୍ତାବର୍ଷ ଚନ୍ଦ୍ରକାନ୍ତଙ୍କ ବିବାହ ପାଇଁ ବାପାମା’ ଯୋଜନା ରଖିଥିଲେ।

ଦେଶ ପାଇଁ ପୁଅ ଜୀବନ ଦେଇଛି। ଗର୍ବରେ ଛାତି ଫୁଲି ଉଠୁଥିଲେ ବି ପୁଅକୁ ଝୁରି ମା’ ବିଳାସିନୀ କାନ୍ଦୁଛନ୍ତି। ଆଉ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା କରୁଣାକର କୋହ ସମ୍ଭରଣ କରିପାରୁନାହାନ୍ତି। ଭାଇଉଭଣୀଙ୍କ ବୁକୁଫଟା କାନ୍ଦରେ ଗାଁ ଦାଣ୍ଡ ଫାଟି ପଡ଼ୁଛି। ତେବେ ବୀର ପୁଅ ସହିଦ ଚନ୍ଦ୍ରକାନ୍ତଙ୍କ ପାଇଁ କନ୍ଧମାଳ ମାଟି ଆଜି ଗର୍ବିତ ବୋଲି ଅଞ୍ଚଳବାସୀ କହିଛନ୍ତି।

ସେହିଭଳି ସହିଦ୍‌ ହୋଇଥିବା ମୟୂରଭଞ୍ଜ ମାଟିର ବୀର ସନ୍ତାନ ନନ୍ଦୁରାମଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗାଁରେ। ୧୬ ବି‌ହାର ରେଜିମେଣ୍ଟ ବାଟାଲିୟନରେ ଲେଫ୍ଟନାଣ୍ଟ ସୁବେଦାର ପଦରେ ଥିବା ନନ୍ଦୁରାମ ୨୩ ବର୍ଷ ଧରି ସେନାରେ କାର୍ଯ୍ୟରତ ଥିଲେ। ସ୍ତ୍ରୀ ଲକ୍ଷ୍ମୀମଣି ଓ ତାଙ୍କର ୩ ଝିଅ ଜ୍ଞାନେଶ୍ୱରୀ, ମାନେଶ୍ୱରୀ ଓ ସୋନାଲି ରାଇରଙ୍ଗପୁର ସହର ଇଚିଣ୍ଡାରେ ଏକ ଭଡ଼ା ଘରେ ରହୁଛନ୍ତି।

ନନ୍ଦୁରାମ ସହିଦ ହୋଇଥିବା ଖବର ପହଞ୍ଚିବା ପରେ ତାଙ୍କ ପୈତୃକ ଗ୍ରାମ ବଡ଼ଚମ୍ପାଉଦା ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି। କରୋନା ଲକ୍‌ଡାଉନ୍‌ ପୂର୍ବରୁ ନନ୍ଦୁରାମ ବଡ଼ଭାଇଙ୍କ ଶୁଦ୍ଧିକ୍ରିୟା ପାଇଁ ଘରକୁ ଆସିଥିଲେ। ପରିବାର ଲୋକଙ୍କ ସହ ୪୫ ଦିନ ଲମ୍ବା ଛୁଟି କାଟି କର୍ମକ୍ଷେତ୍ରକୁ ଫେରିଥିଲେ। ତିନି ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ବେଶ ସଚେତନ ଥିବାରୁ ସେମାନଙ୍କୁ ରାଇରଙ୍ଗପୁରରେ ରଖି ପାଠ ପଢ଼ାଉଥିଲେ। ନନ୍ଦୁରାମଙ୍କ ଭଳି ବୀର ଯବାନଙ୍କୁ ହରାଇ ମୟୂରଭଞ୍ଜ ଜିଲ୍ଲାବାସୀ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି।

ସହିଦ ପରିବାରଙ୍କୁ ମିଳିବ ୨୫ ଲକ୍ଷ
ଭୁବନେଶ୍ବର : ଗଲୱାନ ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ନିଜ ମାଟି ମା’ ପାଇଁ ବଳିଦାନ ଦେଇଥିବା ଏହି ଦୁଇ ଓଡ଼ିଆ ଯବାନଙ୍କ ସାହାସିକତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।

ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ୍‌ କରି ସେ କହିଛନ୍ତି ଯେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ସହିଦ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଶ୍ରୀ ପ୍ରଧାନ ଉଭୟଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର