ଭୁବନେଶ୍ୱର: ଛତିଶଗଡ଼ରେ ନକ୍ସଲଙ୍କ ହିଂସାରେ ପୁଣି ପ୍ରାଣ ହରାଇଛନ୍ତି ଆଉ ଜଣେ ଓଡ଼ିଆ। ଗତ ଦୁଇଦିନ ତଳେ ସିଆର୍ପିଏଫରେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳର ବ୍ରଜମୋହନ ବେହେରା ଛତିଶଗଡ଼ର ବିଜାପୁରରେ ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିଲେ। ଆଜି ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଛନ୍ତି ଦୂରଦର୍ଶନରେ ଗ୍ରେଡ-୨ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ। ଜିଲ୍ଲାରେ କାର୍ଯ୍ୟରତ ଅଚ୍ୟୁତାନନ୍ଦ ଦୂରଦର୍ଶନ ଟିମ୍ ସହ ଛତିଶଗଡ଼ରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମ୍ବାଦ ସଂଗ୍ରହ ଲାଗି ଆସିଥିଲେ। ଦାନ୍ତେଓ୍ଵାଡା ଅଞ୍ଚଳର ଅରଣପୁରଠାରେ ନକ୍ସଲଙ୍କ ଆକ୍ରମଣରେ ତାଙ୍କର ଅକାଳରେ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2018/10/900-1.jpg)
ଅଚ୍ୟୁତାନନ୍ଦଙ୍କ ଫେସ୍ବୁକ୍ ଆକାଉଣ୍ଟରୁ ମିଳିଥିବା ସୂଚନା ଅନୁସାରେ ସେ ୨୦୧୧ ମସିହାରେ ଦୂରଦର୍ଶନରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ରହୁଥିବା ଅଚ୍ୟୁତାନନ୍ଦଙ୍କ ସ୍କୁଲ ଓ କଲେଜ ଜୀବନ କଟିଥିଲା ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ। ସେ ବୀରମହାରାଜପୁର ହାଇସ୍କୁଲ ଓ ବୀରମହାରାଜପୁର କଲେଜରେ ପାଠ ପଢ଼ିଥିଲେ। ଏହାପରେ ସେ ଭାରତୀୟ ସେନାରେ ଚାକିରି କରିଥିଲେ ଏବଂ ସେନାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟରେ ସିନେମାଟୋଗ୍ରାଫି ପଢ଼ିଥିଲେ। ଏହାପରେ ସେ ଦୂରଦର୍ଶନରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଯୋଗ ଦେଇଥିଲେ। ମାତ୍ର ୨ବର୍ଷ ତଳେ ତାଙ୍କର ବିବାହ ହୋଇଥିବା ଜଣାପଡ଼ିଛି।
ଦୁଃଖର କଥା ହେଉଛ ଏହି ରିପୋର୍ଟ ଲେଖାଯିବାର ମାତ୍ର ୭ ଘଣ୍ଟା ତଳେ ଅଚ୍ୟୁତନନ୍ଦ ତାଙ୍କର ଫେସ୍ବୁକ୍ ପେଜରେ ‘ଦାନ୍ତେଓ୍ଵାଡା ଇଲେକ୍ସନ୍ ଯାତ୍ରା’ ଶୀର୍ଷକରେ ୩ଟି ଫଟୋ ଏବଂ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ। ଅଚ୍ୟୁତାନନ୍ଦଙ୍କ ବିୟୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧକ ସିଂ ରାଠୋର ଦୁଃଖ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/45069636_1723917981050000_475529192646115328_o.jpg)