ପୁରୀ, ୨୬/୩ (ଇମିସ): ବୀର ବାଦ୍ୟରେ କମ୍ପୁଛି ଆଖଡ଼ାଘର। ସେଇ ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହେବ ପୁରୀ ସହର। ଅନୁଷ୍ଠିତ ହେବ ପୁରୀର ସର୍ବବୃହତ୍ ମୁକ୍ତାକାଶ ଯାତ୍ରା ‘ସାହିଯାତ’। ସାହି ଭାଇଚାରାର ଏହି ବୃହତ୍ ପର୍ବରେ ସାମିଲ ହେବାକୁ ପୂରା ସହର ଚାହିଁ ବସିଥିବା ବେଳେ ଦର୍ଶକଙ୍କ ମନ ଜିଣିବାକୁ କଳାକାରଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତାମୂଳକ ଅଭ୍ୟାସ। କାର୍ତ୍ତିକ ମାସ ପରଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ମେଢ଼ ବନ୍ଧାଇବା ବେଳେ ୫୦ କେଜିର ଭାର ବହନ କରିବାକୁ ପଡ଼ୁଥିବାରୁ ପ୍ରଥମ ଦୁଇମାସ ଜାଗାଘରେ କସରତରେ ସମୟ ବିତିଛି। ଏବେ ମେଢ଼ ବନ୍ଧେଇ ନାଚ ଅଭ୍ୟାସରେ ତଲ୍ଲୀନ ହୋଇଛନ୍ତି କଳାକାର। ରାମନବମୀରୁ ଆରମ୍ଭ ହେବ ଏହି ପର୍ବ। ତେଣୁ ସାହିଯାତରେ ନୃତ୍ୟ ଓ ସମରକଳା ପରିବେଷଣ ପାଇଁ ଚାଲିଛି ଅଭ୍ୟାସ। ସାତସାହିରେ ଆୟୋଜିତ ହେଉଥିବା ଏହି ପରମ୍ପରା ୩ ବର୍ଷ ହେଲା ୮ସାହିକୁ ବ୍ୟାପିଛି। ଖାଲି ମେଢ଼ ନୃତ୍ୟ ନୁହେଁ, ବନାଟି, ଢାଲ ସୁପାରି, ପଟାଖେଳ, ବାଙ୍କା, ଛଡ଼ି ଖେଳ, ସନ୍ନ୍ୟାସୀ, ସଠରା ତଥା ନାଗଚେଲା ଭଳି ସମରକଳା ମଧ୍ୟ ପରିବେଷଣ ହେବ। ଜନଜୀବନକୁ ନେଇ ସୁଆଙ୍ଗ, ବ୍ୟଙ୍ଗଗୀତ, ଢଗଢ଼ମାଳି ଓ ବଚନିକା ମଧ୍ୟ ଏହାକୁ ଆହୁରି ଆକର୍ଷଣୀୟ କରିବ। ସାହିଯାତ ସନ୍ଧ୍ୟରୁ ଆରମ୍ଭ ହୋଇ ପରଦିନ ରାତି ପାହିବା ପର୍ଯ୍ୟନ୍ତ ପରିବେଷଣ ହେଉଥିବା ବେଳେ ଏହାକୁ ପ୍ରତ୍ୟକ୍ଷ କରିବା ପାଇଁ ପୁରୀ ବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେଲିଙ୍ଗି ବାଜା, ମହୁରୀ, ଢୋଲ, ଚାଚେଡ଼ି, ଚାଙ୍ଗୁ, ମହୁରୀର ତାଳେତାଳେ ନାଚିବା ବେଳେ ଦେଖୁଥିବା ଲୋକଙ୍କର ପାଦ ବି ଉଠପଡ଼ ହୁଏ। ସାହିଯାତ କେବଳ ମନୋରଂଜନର ମାଧ୍ୟମ ସାଜି ନାହିଁ, ବରଂ ପୂର୍ବ ପିଢ଼ିମାନଙ୍କର ବୀରତ୍ବର ଗାଥାର ସ୍ମୃତିଚାରଣ କରୁଛି।
ଇତିହାସ କୁହେ...
ଶ୍ରୀକ୍ଷେତ୍ରର ସାଂସ୍କୃତିକ ବୈଭବରେ ଓଡ୍ର ସମରକଳାର ନିଦର୍ଶନ ଯେତିକି ଅନନ୍ୟ ଏହାର ପ୍ରଚ୍ଛଦପଟରେ ଥିବା କାହାଣୀ ସେତିକି ସମୃଦ୍ଧ। ଇତିହାସ କୁହେ, ଲୁଣ୍ଠନକାରୀ ଓ ଆକ୍ରମଣକାରୀଙ୍କ କବଳରୁ ଶ୍ରୀମନ୍ଦିରକୁ ସୁରକ୍ଷା ପାଇଁ ଆଖଡ଼ା, ଜାଗା, ଗୁରୁଜ, କୋଟ ଓ ଗଡ଼ର ଆବିର୍ଭାବ ହୋଇଥିଲା। ସେବାୟତ, ବ୍ରାହ୍ମଣ ଓ ପୁରୀର ଅଧିବାସୀମାନେ ଅହର୍ନିଶି ସମର୍ପିତ ଭାବନା ନେଇ ସମର କଳା ଅଭ୍ୟାସ କରୁଥିଲେ। ଆବଶ୍ୟକସ୍ଥଳେ ଜୀବନକୁ ଉତ୍ସର୍ଗ କରିଦେଉଥିଲେ। ସମୟସ୍ରୋତରେ ଆକ୍ରମଣକାରୀ ଆୟତ୍ତ ହେଲେ, କିନ୍ତୁ ପୁରୁଖା ଅଧିବାସୀ ଏହି କଳାକୁ ମରିବାକୁ ନଦେଇ ଏକ ସାଂସ୍କୃତିକ ବିଭବ ଭାବେ ଏହାକୁ ବଞ୍ଚାଇ ରଖିଲେ।
୯ଦିନର ଯାତ୍ରା ପାଇଁ ୪ ମାସର ଅଭ୍ୟାସ
୫୦ କେଜିର ମେଢ଼ କାନ୍ଧେଇ ୧୦ ଘଣ୍ଟା ନୃତ୍ୟ
ସାହିଯାତ ପୁରୀର ପରିଚୟ ଓ ଅସ୍ମିତା। ୯ଦିନର ଯାତ୍ରା ପାଇଁ ଶ୍ରୀମନ୍ଦିର ସଂଲଗ୍ନ ସାହି ବାସିନ୍ଦାଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଥାଏ। ବାଲିସାହି ଆଖଡ଼ାର ସମ୍ପାଦକ ନରେନ୍ଦ୍ର ମହାନ୍ତି କୁହନ୍ତି, ସାହିରେ ଯେବେ ଯାତ ବୁଲେ, ପିଲାଏ ଦେଖିବା ପରେ ତାଙ୍କ ବାପାଙ୍କୁ କୁହନ୍ତି ମୁଁ ମେଢ଼ ବନ୍ଧେଇବି। ତେଣୁ ଦେଶ ବିଦେଶରେ ଯିଏ ଯେଉଁଠି ଥାଉନା କାହିଁକି ସାହିଯାତ ପୂର୍ବରୁ ଘରକୁ ଫେରି ଆସନ୍ତି। ଏଥିପାଇଁ ସାହି ଆଖଡ଼ାରେ କଳାକାରମାନେ ନିରବଚ୍ଛିନ୍ନ ଅଭ୍ୟାସ କରନ୍ତି। ସାତ୍ତ୍ବିକ ଭୋଜନ ଖାଇ ଦେବଦେବୀଙ୍କ ଶରଣରେ ରହି ଅଭ୍ୟାସ କରନ୍ତି। ମେଢ଼ର ଓଜନ ପ୍ରାୟ ୫୦ କେଜି ହୋଇଥିବାରୁ ଏଥିପାଇଁ କାର୍ତ୍ତିକ ମାସ ପରଠୁ ଅଭ୍ୟାସ ଆରମ୍ଭ ହୁଏ। ପ୍ରଥମ ଦୁଇମାସ ଜାଗାଘରେ ବ୍ୟାୟମ କରି ଶରୀରକୁ ମଜଭୁତ କରିବାକୁ ପଡ଼େ। ସାହିଯାତ ସନ୍ଧ୍ୟା ୮ଟାରୁ ଆରମ୍ଭ ହୋଇ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଚାଲୁଥିବାରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ୫୦ କେଜିର ମେଢ଼ ବନ୍ଧାଇବା ପାଇଁ ଶରୀରକୁ ପ୍ରସ୍ତୁତ କରିବାକୁ ପଡ଼େ। ଦୁଇମାସ କେବଳ ନୃତ୍ୟ, ଠାଣି, ବଚନିକା ଶ୍ଳୋକ ଓ ଚାଲି ଆଦିରେ ଅଭ୍ୟାସ କରିବାକୁ ପଡ଼େ।
/sambad/media/post_attachments/wp-content/uploads/2023/03/46-12.jpg)
କାଳିକାଦେବୀସାହିରୁ ଆରମ୍ଭ, ଗୌଡ଼ବାଡ଼ସାହିରେ ଶେଷ
ଶ୍ରୀମନ୍ଦିର ସଂଲଗ୍ନ ଆଠସାହିର ବିଭିନ୍ନ ମେଳ ତଥା ଜାଗା ଆଖଡ଼ା ଘର ଏହି ଅନନ୍ୟ ପରମ୍ପରାରେ ସାମିଲ୍ ହେବେ। କାଳିକାଦେବୀସାହି, ବାଲିସାହି, ହରଚଣ୍ଡୀସାହି, ଦୋଳମଣ୍ଡପସାହି, କୁଣ୍ଢେଇବେଣ୍ଟସାହି, ମାର୍କଣ୍ଡେଶ୍ବରସାହି, ଗୌବାଡ଼ସାହି, ମାଟିମଣ୍ଡପସାହି ସାମିଲ୍ ହେବେ। ଚୈତ୍ର ଶୁକ୍ଳପକ୍ଷର ଅଷ୍ଟମି ତିଥିରୁ ଆରମ୍ଭ ହୋଇ ବୈଶାଖ କୃଷ୍ଣପକ୍ଷ ଦ୍ବିତୀୟା ପର୍ଯ୍ୟନ୍ତ ଏହା ପାଳିତ ହେବ। ଶ୍ରୀମନ୍ଦିରରେ ରାମନବମୀ ଜନ୍ମବିଧି ପରେ ମହାସୁଆର ଜୟବିଜୟ ଦ୍ବାରଠାରେ ଚରୁ ଭାତ ମଣୋହି କରିବେ। କାଳିକାଦେବୀସାହି ମେଳ ଚରୁଅନ୍ନ ଗ୍ରହଣ ପରେ ସାହିଯାତର ଶୁଭାରମ୍ଭ ହେବ। କାଳିକାଦେବୀସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ବିଶ୍ବାମିତ୍ର ବାହାରି ଶ୍ରୀମନ୍ଦିରକୁ ଯାଇ ଫେରିବା ବାଟରେ ସାହି ପରିକ୍ରମା କରିବେ। ନାଗା, ମେଢ଼, ତରବାରୀ ଚାଳକ, ଲାଠି ଚାଳକ, ବନାଟି ଚାଳକ, ଫୁଲ ମେଢ଼, ଦୁର୍ଗାମେଢ଼, କାଳୀ ମେଢ଼, ଶିବତାଣ୍ଡବ ମେଢ଼, ମକରଧ୍ବଜ, ହରିଣ୍ୟକଶ୍ୟପୁ, ପ୍ରହ୍ଲାଦଙ୍କ ଚରିତ୍ରରେ କଳାକାରମାନେ ଅବତୀର୍ଣ୍ଣ ହେବେ। ୯ ଦିନ ଧରି ଏହି ଯାତ୍ରାରେ ଶ୍ରୀରାମଙ୍କ ଜନ୍ମଠୁ ନେଇ ରାମ ବନବାସ ଓ ଲଙ୍କାପୋଡ଼ି ଭଳି କଥାବସ୍ତୁକୁ ବୟାନ କରିବ। ଏହି ଯାତ୍ରା ଗଉଡ଼ବାଡ଼ସାହିରେ ରାମ ଅଭିଷେକ ସହ ଶେଷ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/45-15.jpg)