ନୂଆଦିଲ୍ଲୀ: ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ଓଡ଼ିଆ ଭାଷା ଲାଗି ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇଛନ୍ତି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମ।
ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୨୦୧୯ ବର୍ଷ ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟ ଅକାଦେମିର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ.ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବି ଗୁଲଜାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଦେଶର ବିଭିନ୍ନ ଭାଷାର ଶ୍ରେଷ୍ଠ କୃତୀ ଲାଗି ୨୪ ଜଣ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତି ପୁରସ୍କୃତ ପ୍ରତିଭାଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଥର ସାହିତ୍ୟ ଅକାଦେମିର ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ମାଳବିକା ରାୟ ଏବଂ ଡକ୍ଟର ଫନୀ ମହାନ୍ତି।
/sambad/media/post_attachments/wp-content/uploads/2020/02/hembram.jpg)
ତରୁଣକାନ୍ତି ମିଶ୍ର ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହେଉଥିବାବେଳେ ‘ଆସନ୍ତାକାଲି’ ପତ୍ରିକାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ଗଳ୍ପ ‘ହେ ପୃଥିବୀର ନାଗରିକ’। ୧୯୬୮ରେ ବିଜେବି କଲେଜରେ ପଢ଼ିବା ସମୟରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଆବର୍ତ୍ତର ଦୁଇଟି ସ୍ବର’ ପ୍ରକାଶିତ ହୋଇଥିଲା। ଏଯାବତ ତାଙ୍କର ଅଠରଟି ଗଳ୍ପ ସଂକଳନ ଓ କୋରାପୁଟ ଦଣ୍ଡକାରଣ୍ୟ ଉପରେ ପର୍ଯ୍ୟବସିତ ଗୋଟିଏ ଉପନ୍ୟାସ ‘ଶରଦଃ ଶତମ୍’ ପ୍ରକାଶିତ ହୋଇ ପ୍ରଚୁର ପାଠକୀୟତା ଅର୍ଜନ କରିଛି। ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ସେ ୨୦୧୦ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଛନ୍ତି। ଅବସର ପରେ ସେ ଓଡ଼ିଶା ସରକାରଙ୍କ ମୁଖ୍ୟ ସୂଚନା କମିସନର ଦାୟିତ୍ବ ମଧ୍ୟ ନିର୍ବାହ କରିଛନ୍ତି।
ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମ ତାଙ୍କ ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି । ଏଥର ଶଶି ଥରୁର (ଇଂରାଜୀ), ଜୟଶ୍ରୀ ଗୋସ୍ବାମୀ (ଅହମିୟା), ଚିନ୍ମୟ ଗୁହା (ବଙ୍ଗଳା) ଏବଂ ନନ୍ଦ କିଶୋର ଆଚାର୍ଯ୍ୟ (ହିନ୍ଦୀ)ଙ୍କ ଭଳି ବିଶିଷ୍ଟ ଲେଖକ ଏହି ପୁରସ୍କାର ଲାଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/tarun-kanti-mishra.jpg)