ବଦଳିଲା ସାହିତ୍ୟ ଏକାଡେମି ପୁରସ୍କାର ନିୟମ

ସାମିଲ୍ ହେବନି ‘ସରସ୍ବତୀ ସମ୍ମାନ’ପ୍ରାପ୍ତ ପୁସ୍ତକ, ଆଇଏସ୍‌ବିଏନ୍‌ ନମ୍ବର ଆଉ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ବର : ୨୦୧୭ରୁ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ପୁସ୍ତକ ଆହ୍ବାନ ବିଜ୍ଞପ୍ତିରେ କିଛି ନିୟମ ପରିବର୍ତ୍ତନ କରି ଏକାଡେମି ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ‘ସରସ୍ବତୀ ସମ୍ମାନ’ ପାଇଥିବା ପୁସ୍ତକ ଏକାଡେମି ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏଥିସହ ଆଇଏସ୍‌ବିଏନ୍‌ ଲିପିବଦ୍ଧ ନଥିବା ପୁସ୍ତକ ପୁରସ୍କାର ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ ବୋଲି ଥିବା ନିୟମକୁ ମଧ୍ୟ ଏକାଡେମି ଉଚ୍ଛେଦ କରିଛି। ଆଇଏସ୍‌ବିଏନ୍‌ ନମ୍ବର ନଥିଲେ ମଧ୍ୟ ପୁସ୍ତକଟି ଏକାଡେମି ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବ ବୋଲି ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନର ଆଇନଗତ କଟକଣା ଉଠିବା ପରେ ଗତ ୨୨ ତାରିଖରେ ଏକାଡେମି ପକ୍ଷରୁ ୨୦୧୭ରୁ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ପୁସ୍ତକ ଆହ୍ବାନ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକକୁ ଏହି ପୁରସ୍କାର ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବ ବୋଲି ଉଲ୍ଲେଖ କହିଥିଲା। ‘ଜ୍ଞାନପୀଠ ପୁରସ୍କାର’ ଓ ‘ସରସ୍ବତୀ ସମ୍ମାନ’ ଉଭୟ ଦୁଇଟି ଘରୋଇ ସଂସ୍ଥା ଯଥାକ୍ରମେ ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ ଗ୍ରୁପ୍‌’ ଓ ‘ହିନ୍ଦୁସ୍ଥାନ ଟାଇମ୍‌ସ୍‌ ଗ୍ରୁପ୍‌’ ପକ୍ଷରୁ ଦିଆଯାଉଥିବା ଘରୋଇ ସମ୍ମାନ ହୋଇଥିବା ବେଳେ ଉଭୟର ପୁରସ୍କାର ରାଶି ପାଖାପାଖି ସମାନ ରହିଛି। ଏଣୁ ପୁରସ୍କାର ଚୟନ ପ୍ରକ୍ରିୟାରୁ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକ ବାଦ୍‌ ପଡ଼ିବା ଓ ସରସ୍ବତୀ ସମ୍ମାନ ପୁରସ୍କାରପ୍ରାପ୍ତ ପୁସ୍ତକ ସାମିଲ କରାଯିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ଆଜି ଏକାଡେମି ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି।

ସେହିଭଳି କେବଳ ଆଇଏସ୍‌ବିଏନ୍‌ ନମ୍ବର ଥିବା ପୁସ୍ତକ ହିଁ ଏହି ପୁରସ୍କାର ପ୍ରକ୍ରିୟାରେ ସାମିଲ ହେବା ପାଇଁ କରାଯାଇଥିବା ନିୟମକୁ ନେଇ ପ୍ରତିବାଦର ସ୍ବର ଉଠିଥିଲା। ପୁସ୍ତକର ଗୁଣାତ୍ମକ ମାନକୁ ଦେଖି ପୁରସ୍କାର ଦିଆଯାଉଥିବା ବେଳେ ଆଇଏସ୍‌ବିଏନ୍‌ ଭଳି ନମ୍ବରକୁ ବାଧ୍ୟତାମୂଳକ ନିୟମ ଅତ୍ୟନ୍ତ ଅବାସ୍ତବ ଥିଲା। ଅଧିକାଂଶ ଗ୍ରାମୀଣ ଲେଖକ ଆଇଏସ୍‌ବିଏନ୍‌ ଭଳି ନମ୍ବର ସମ୍ପର୍କରେ ଅଜ୍ଞ। ଅନ୍ୟପଟେ ପ୍ରକାଶକମାନେ ଜାଲି ଆଇଏସ୍‌ବିଏନ୍‌ ନମ୍ବର ବ୍ୟବହାର କରି ପୁସ୍ତକ ଛାପୁଥିବାରୁ ଏହା ଲେଖକଙ୍କ ସମ୍ମାନ ହାନି କରିବାର ବି ଭୟ ରହୁଛି। ଏଣୁ ଆଇଏସ୍‌ବିଏନ୍‌ ଭଳି ନମ୍ବର ବାଧ୍ୟତାମୂଳକକୁ ନେଇ ଅନେକ ସାହିତ୍ୟିକ କ୍ଷୋଭ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର