ସାହିତ୍ୟ ଅକାଦେମି ପକ୍ଷରୁ ‘ବ୍ୟକ୍ତି ଓ ବହି’ କାର୍ଯ୍ୟକ୍ରମ : ‘ଜ୍ଞାନ ଓ ସକାରାତ୍ମକ ଚିନ୍ତାର ଉତ୍ସ ହେଉଛି ବହି’

କଟକ : ଜ୍ଞାନ ଓ ସକାରାତ୍ମକ ଚିନ୍ତାଧାରାର ଉତ୍ସ ହେଉଛି ବହି। ଏହା ସମାଜରେ ମୂଲ୍ୟବୋଧ ସୃଷ୍ଟି କରିଥାଏ। ମଣିଷକୁ ପ୍ରଭାବିତ କରିଥାଏ। ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ସଫଳତା ପଛରେ ବହିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏଣୁ ଯେତେ ସମ୍ଭବ ଅଧିକରୁ ଅଧିକ ଉପାଦେୟ ପୁସ୍ତକ ପଢ଼ିବା ପାଇଁ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ତଥା ଏସ୍‌ଆଇଟିର ଉପାଧ୍ୟକ୍ଷ ଡକ୍ଟର ଜଷ୍ଟିସ ଅରିଜିତ୍‌ ପଶାୟତ ଆହ୍ବାନ ଦେଇଛନ୍ତି।

ଜଷ୍ଟିସ୍ ପଶାୟତ କେନ୍ଦ୍ର ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ଶତାବ୍ଦୀ ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବ୍ୟକ୍ତି ଓ ବହି’ରେ ମୁଖ୍ୟବକ୍ତା ଭବେ ଯୋଗଦେଇଥିଲେ। ସେ କହିଥିଲେ,‘ ବିଦ୍ୟାଳୟରୁ ଆରମ୍ଭ କରି ସୁପ୍ରିମ୍‌ କୋର୍ଟ ପର୍ଯ୍ୟନ୍ତ ଅନେକ ପୁସ୍ତକ ଦ୍ବାରା ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛି। ଏପରିକି କୋର୍ଟରେ ରାୟ ଲେଖିବା ‌ସମୟରେ ଅନେକ ପୁସ୍ତକ ଦ୍ବାରା ପ୍ରଭାବିତ ହୋଇଛି ଏବଂ ସେଥିରୁ ପାଇଥିବା ଜ୍ଞାନକୁ ଉପଯୋଗ କରିଛି। ବହି ପଢ଼ୁଥିବା ଜଣେ ପାଠକ ନିଜ ମୃତ୍ୟୁ ପୂର୍ବରୁ ହଜାର ଜୀବନ ବଞ୍ଚିଥାଏ, ହେଲେ ବହି ପଢ଼ୁନଥିବା ବ୍ୟକ୍ତି ଜଣଙ୍କ ଗୋଟିଏ ମାତ୍ର ଜୀବନ ବଞ୍ଚିଥାଏ।’ ଇଂରାଜୀ ସାହିତ୍ୟରେ ଜୁଲିୟସ୍ ସିଜର, ସେକ୍ସପିୟର, ଓଡ଼ିଆ ସାହିତ୍ୟରେ ଆଦିକବି ସାରଳା ଦାସଙ୍କ ମହାଭାରତ, ଫତୁରାନନ୍ଦ ଓ ଉପେନ୍ଦ୍ର ଭଞ୍ଜଙ୍କ ପୁସ୍ତକ ତାଙ୍କୁ ବି‌ଶେଷ ଆନ୍ଦୋଳିତ କରିଥିବା ସେ ପ୍ରକାଶ କରିଥିଲେ। ହେଲେ, ଜୁଲିୟସ୍ ସିଜର ଓ ସେକ୍ସପିୟରଙ୍କ ଭଳି ଓଡ଼ିଆ ସ୍ରଷ୍ଟା ଫତୁରାନନ୍ଦ ଓ ଉପେନ୍ଦ୍ର ଭଞ୍ଜ ବିଶ୍ବସ୍ତରୀୟରେ ଲୋକପ୍ରିୟ ହେବାର କ୍ଷମତା ଥାଇ ବି ହେଇ ପାରିନଥିବାରୁ ଜଷ୍ଟିସ୍‌ ପଶାୟତ କ୍ଷୋଭ ପ୍ରକାଶ କରିଥି‌ଲେ। ଏହି ଅବସରରେ ବିଭିନ୍ନ ପ୍ରଶ୍ନର ଜଷ୍ଟିସ ପଶାୟତ ଉତ୍ତର ଦେଇ ନିଜ ସ୍କୁଲ ଜୀବନ, ତାଙ୍କୁ ଗଢ଼ିଥିବା ଧନେଶ୍ବର ମହାପାତ୍ର ସାର, ନିଜ ବାପା ସଂଗ୍ରାମୀ ବିଶ୍ବନାଥ ପଶାୟତ, ବୃତ୍ତିଗତ ଜୀବନରେ ତାଙ୍କୁ ପ୍ରେରଣା ଦେଉଥିବା ପତ୍ନୀ ସୁବଳା ପଶାୟତଙ୍କ ଭୂମିକା ଅବତାରଣା କରିଥିଲେ।

କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆକାଦେମିର ଆଞ୍ଚଳିକ ଅଧିକାରୀ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ‌ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଡକ୍ଟର ଜଷ୍ଟିସ୍ ପଶାୟତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଶା ଉପଦେଷ୍ଟା ମଣ୍ଡଳୀ ସଭ୍ୟ ସାହିତ୍ୟିକ ଡକ୍ଟର କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥ‌ିଲେ।ସମାରୋହରେ ଅକାଦେମିର ସଦସ୍ୟ ଡକ୍ଟର ବିଜୟ କୁମାର ଶତପଥୀ, କବି ଅମରେଶ ପଟ୍ଟନାୟକ, ପ୍ରଦୀପ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର