୮ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୮ ତାରିଖରୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଶୈଳବାଳା ମହିଳା ମହାବିଦ୍ୟାଳୟ, କଟକ ସହଭାଗିତାରେ ୮ ତାରିଖ ସକାଳ ୧୦ଟା ୩୦ରେ ଏହି କଲେଜର ସମ୍ମିଳନୀ କକ୍ଷରେ ଉତ୍କଳ ଗୌରବ ମଧୁସୂଦନ ଦାସ ଆଲୋଚନାଚକ୍ର ଆୟୋଜିତ ହୋଇଛି। ଏହାକୁ ଉଦ୍‌ଘାଟନ କରିବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମଜା ମିଶ୍ର। ସେହିଦିନ ସନ୍ଧ୍ୟା ୬ଟାରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷ ଭୁବନେଶ୍ୱରରେ ଆୟୋଜିତ ହୋଇଛି ‘ମୋ ଦୃଷ୍ଟିରେ’ କାର୍ଯ୍ୟକ୍ରମ। ଏଥିରେ ବିଶିଷ୍ଟ ନାଟ୍ୟକାର ରମେଶ ପାଣିଗ୍ରାହୀଙ୍କ ଜୀବନ ଓ ସୃଜନ ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବେ ବିଶିଷ୍ଟ ଲେଖିକା ସଂଘମିତ୍ରା ମିଶ୍ର। ୯ ତାରିଖ ସକାଳ ୧୦ଟା ୩୦ରେ ସାହିତ୍ୟ ଅକାଦେମି ଏବଂ ବିଜେବି କଲେଜ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ନଟବର ସାମନ୍ତରାୟ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଆୟୋଜିତ ହୋଇଛି। ବିଜେବି କଲେଜର ପ୍ରଶାସନିକ ବିଲ୍‌ଡିଂ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ବିଶିଷ୍ଟ ପ୍ରାବନ୍ଧିକ ଦାଶରଥି ଦାସ। ଚଳିତ ମାସ ୧୪ ତାରିଖ ପୂର୍ବାହ୍‌ଣରେ ଚୌଦ୍ୱାର ଏବଂ ୧୬ ତାରିଖ ଅପରାହ୍‌ଣରେ ସାଲେପୁରରେ ଗ୍ରାମାଲୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର