ସାହିତ୍ୟ ଅକାଦେମିର ସାହିତ୍ୟୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର : ନୂଆଦିଲ୍ଲୀରେ ଆଜି ସାହିତ୍ୟ ଅକାଦେମିର ବାର୍ଷିକ ସାହିତ୍ୟୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବ ଆସନ୍ତା ଫେବ୍ରୁଆରି ୨ ତାରିଖ ଯାଏ ଚାଲିବ। ଏଥର ଓଡ଼ିଶାର କିଛି ଲୋକପ୍ରିୟ ବରିଷ୍ଠ ସାହିତ୍ୟିକ ଏବଂ ଜଣେ ଯୁବ ଲେଖକ ଏହି ଉତ୍ସବରେ ଯୋଗ ଦେଉଛନ୍ତି।

ଆଜି ଏହି ଉତ୍ସବକୁ ବିଶିଷ୍ଟ ଲେଖକ ମୃଣାଳ ମିରି ଉଦ୍‌ଘାଟନ କରିଥିଲେ। ଅପରାହ୍‌ଣରେ ଭାଷା ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏଥର ଓଡ଼ିଶାରୁ ଗଗ‌େନନ୍ଦ୍ର ନାଥ ଦାଶ, ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏବଂ ହଳଧର ନାଗ ଏହି ସମ୍ମାନ ପାଇଛନ୍ତି। ଗଗନେନ୍ଦ୍ର ନାଥ ଦାଶ ଅନୁପସ୍ଥିତ ଥିବାରୁ ତାଙ୍କ ତରଫରୁ ପୁଅ ତପନ ଦାଶ ସମ୍ମାନ ଗ୍ରହଣ କରିଥିଲେ। ଆସନ୍ତା କାଲି ହେବାକୁଥିବା ୨୦୧୮ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବିଖ୍ୟାତ ଲେଖକ ମନୋଜ ଦାସ। ଓଡ଼ିଆରେ ଦାଶରଥି ଦାସ ପୁରସ୍କାର ପାଇବେ। ଉତ୍ସବରେ ହେବାକୁ ଥିବା ଜାତୀୟ ଆଲୋଚନାଚକ୍ରର ବିଷୟ ରହିଛି ‘ଭାରତୀୟ ସାହିତ୍ୟରେ ଗାନ୍ଧୀ।’ ଏଥିରେ ଯୋଗ ଦେଇ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଉଦ୍‌ଘାଟନୀ ବକ୍ତବ୍ୟ ପ୍ରଦାନ କରିବେ। ଉତ୍ସବରେ ଯୋଗ ଦେଉଥିବା ଅନ୍ୟ ଓଡ଼ିଆ ଲେଖକ ମଧ୍ୟରେ ଅଛନ୍ତି ବିଶିଷ୍ଟ ଗାଳ୍ପିକ ଗୌରହରି ଦାସ, ମହେନ୍ଦ୍ର କୁମାର ମିଶ୍ର ଏବଂ ଯୁବ ଗାଳ୍ପିକ ରବିନାରାୟଣ ଦାଶ। ସାହିତ୍ୟୋତ୍ସବରେ ଲେଖକଲେଖିକାମାନେ ଯୋଗ ଦେବାପାଇଁ ଅକାଦେମିର ସଚିବ କେ ଶ୍ରୀନିବାସରାଓ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର