ବିଧାୟକ ବଖାଣିଲେ ସାହିତ୍ୟ ଏକାଡେମି ଦୁଃଖ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମି ନିର୍ବାଚନ ପାଟକୁରା ନିର୍ବାଚନକୁ ବଳି ଯାଇଛି। ଆଜି ଶୂନ୍ୟକାଳରେ ବିେରାଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିଧାନସଭାରେ ଏଭଳି କଟାକ୍ଷ କରିଥିଲେ। କେବଳ ସେତିକି ନୁେହଁ, ଏକାଡେମି ନେଇ ତାଙ୍କ ମନରେ ଥିବା ଅସନ୍ତୋଷ ଓ ଅଭିେଯାଗ ଗୃହ ସାମ୍ନାକୁ ଆଣିଥିଲେ। ଦାବି କରିଥିଲେ, ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ।

ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଶ୍ରୀ ସେଠୀ କହିଥିଲେ, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଯେମିତି ଅଭିଲେଖାଗାର, ସଂଗ୍ରହାଳୟ ହୋଇଛି, ସେମିତି ସାହିତ୍ୟ ଏକାଡେମି ଗଠନ ପଛରେ ମଧ୍ୟ ଏକ ସ୍ପଷ୍ଟ ଆଭିମୁଖ୍ୟ ରହିଛି। ଲକ୍ଷ୍ୟ ରହିଛି। ସରକାର କିନ୍ତୁ କାଳିଆ ଯୋଜନାକୁ ଯେତେ ଗୁରୁତ୍ୱ ଦେଉଛନ୍ତି, ସାହିତ୍ୟ ଏକାଡେମିକୁ ସେତିକି ଗୁରୁତ୍ୱ ଦେଉନାହାନ୍ତି। ଭବିଷ୍ୟତ ପିଢ଼ି ପାଇଁ କି ବାର୍ତା ଯିବ? ଗୋଟିଏ ସମୟରେ ସୁରେନ୍ଦ୍ର ମହାନ୍ତି, ସଚ୍ଚି ରାଉତରାୟ, କିଶୋରୀ ଚରଣ ଦାସଙ୍କ ଭଳି ସାହିତ୍ୟିକ ଏହାର ସଭାପତି ଥିଲେ। ଏମାନଙ୍କ ନେତୃତ୍ୱରେ ଏକାଡେମି ପରିଚାଳନା ହେଉଥିଲା।

ଶ୍ରୀ େସଠୀ କହିଥିଲେ, ସାହିତ୍ୟ ଏକାଡେମି ସଭାପତି ଚୟନ ପାଇଁ ନିର୍ବାଚନ ହୋଇଥାଏ। ନିର୍ବାଚିତ ହୋଇ ସଭ୍ୟ ଯାଆନ୍ତି ଓ ସଭାପତି ନିର୍ବାଚନ ହୁଏ। ଏବେ କିନ୍ତୁ ପାଟକୁରା ନିର୍ବାଚନକୁ ଏହା ବଳାଇଗଲାଣି। ଯେଉଁମାନେ ଭୋଟ ଦେବେ, ସେମାନେ ସାହିତ୍ୟିକ ଓ ଯିଏ ନିର୍ବାଚିତ ହେବେ ସେ ବି ସାହିତ୍ୟିକ। କିନ୍ତୁ ନିର୍ବାଚନ ବେଳେ ସଭ୍ୟଙ୍କ ପାଇଁ ହୋଟେଲ ସଂରକ୍ଷଣ କରାଯାଉଛି। ମୋଟା ଅଙ୍କର କାରବାର ହେଉଛି । ସେଠି ଏମିତି କଣ ଅଛି କି?

ଏକାଡେମିର ଗୁଣବତ୍ତା ଓ ଗୁଣାତ୍ମକ ମାନ ରକ୍ଷା ହୋଇପାରୁନାହିଁ ବୋଲି ଅଭିଯୋଗ କରି ଶ୍ରୀ ସେଠୀ କହିଥିଲେ, ମାଦଳାପାଞ୍ଜି, ପୋଥି ଆଦିର ପୁନରୁଦ୍ଧାର କରି ଏହାକୁ ପଠନ ଉପଯୋଗୀ କରାଯିବା କଥା। କିନ୍ତୁ ସଭାପତିମାନେ ନିଜେ ଗୀତ ଲେଖିବାରେ ବ୍ୟସ୍ତ ଓ ଛାପିବା ପାଇଁ ବି। ପ୍ରାଚୀନ ଇତିହାସ ଆଉ ମିଳୁନାହିଁ। ଯଦି ଏକାଡେମିରେ ମିଳିବ ନାହିଁ, ଆଉ କେଉଁଠୁ ମିଳିବ? ଗୋଟିଏ ସମୟରେ କାନପା ଲୁଇପା ଶବରପା ତନ୍ତ୍ର ସାହିତ୍ୟ କଥା ଉଲ୍ଲେଖ କରିଥିଲେ। ପରବର୍ତୀ ସମୟରେ ପଣ୍ଡିତ ଦୋଳଗୋବିନ୍ଦ ଶାସ୍ତ୍ରୀ ଏହାର ଉଦ୍ଧାର କରିଛନ୍ତି। ବିଭିନ୍ନ ଭାଷାଭାଷୀ ଏହାକୁ ସେମାନଙ୍କର ବୋଲି ଦାବି କରିଥିଲେ। ଏହାକୁ ଚର୍ଯ୍ୟା ସାହିତ୍ୟ ବୋଲି କୁହାଯାଏ। ଏହା କିନ୍ତୁ ଓଡ଼ିଶାର। ଏକାଡେମିର ସ୍ୱାସ୍ଥ୍ୟ ଯଦି ଠିକ୍‍ ନହୁଏ, ସରକାର ଯଦି ଏ ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ ଏଭଳି ପ୍ରାଚୀନ ସାହିତ୍ୟର କିଭଳି ରକ୍ଷା ହେବ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର