ହୃଷୀକେଶ ମଲ୍ଲିକଙ୍କୁ ଅକାଦେମି ପୁରସ୍କାର

ଦିଗରାଜ ବ୍ରହ୍ମାଙ୍କୁ ବାଲ୍‌ସାହିତ୍ୟ, ଦେବବ୍ରତ ଦାସଙ୍କୁ ଯୁବ ପୁରସ୍କାର

ଭୁବନେଶ୍ୱର : କବିତା ସଙ୍କଳନ ‘ସରିଯାଇଥିବା ଅପେରା’ ପାଇଁ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଓଡ଼ିଆ ଭାଷାର ବିଶିଷ୍ଟ କବି ଡକ୍ଟର ହୃଷୀକେଶ ମଲ୍ଲିକ। ସେହିପରି ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍ ଡକ୍ଟର ଦିଗରାଜ ବ୍ରହ୍ମା ଶିଶୁ କବିତା ସଙ୍କଳନ ‘ଗୀତ କହେ ମିତର କଥା’ ପାଇଁ ବାଲ୍‌ସାହିତ୍ୟ ପୁରସ୍କାର ଏବଂ ଗଳ୍ପ ସଙ୍କଳନ ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଦେବବ୍ରତ ଦାସ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ବୈଠକରେ ୨୦୨୧ ବର୍ଷ ପାଇଁ ୨୦ଟି ଭାଷାର ଅକାଦେମି ପୁରସ୍କାର ଏବଂ ୨୨ଟି ଭାଷାର ବାଲ୍‌ସାହିତ୍ୟ ପୁରସ୍କାର ଓ ଯୁବପୁରସ୍କାର ଘୋଷଣା କରାଯାଇଛି।

ହୃଷୀକେଶ ମଲ୍ଲିକ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଅଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ଅହଲ୍ୟା’, ‘ବସୁଷେଣ’, ‘ଧାନ ସାଉଁଟା‌ ଝିଅ’, ‘ଉଜୁଡ଼ା କ୍ଷେତର ଗୀତ’, ‘ଘଟଆକାଶ’, ‘ଧର୍ମପତ୍ନୀ’, ‘ସାକ୍ଷୀ ଚନ୍ଦ୍ରସୂର୍ଯ୍ୟ’ ଏବଂ ‘ଜେଜେ ଦେଖି ନଥିବା ଭାରତ’ ଇତ୍ୟାଦି। ପୁରସ୍କୃତ କବିତା ସଙ୍କଳନ ‘ସରିଯାଇଥିବା ଅପେରା’ ୨୦୧୯ରେ ପ୍ରବାହ ପ୍ରକାଶନ ଦ୍ବାରା ପ୍ରକାଶିତ। ଡକ୍ଟର ମଲ୍ଲିକ କହିଛନ୍ତି ଯେ, ‘ମୋର କବିତା ପୁସ୍ତକ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଁ ଖୁବ୍ ଖୁସି ଓ ଆନନ୍ଦିତ। ଏହି ସଙ୍କଳନରେ ଜୀବନ ଓ ସମାଜଧର୍ମୀ ପଇଁଚାଳିଶଟି କବିତା ରହିଛି। କେତେକ କବିତାରେ ସମାଜର ବିଭିନ୍ନ ପ୍ରକାର ସ୍ଖଳନ ଏବଂ ଅମଲାତାନ୍ତ୍ରିକ ଅବକ୍ଷୟ ବିରୋଧରେ ସ୍ବର ଉତ୍ତୋଳନ ତଥା ମିଥ୍‌ର ପୁନରାବଲୋକନ କରାଯାଇଛି। ସାହିତ୍ୟରେ ପରିତ୍ୟାଜ୍ୟ ବୋଲାଯାଉଥିବା କେତେକ ବିଷୟରେ ରଚିତ କବିତା ମଧ୍ୟ ଏଥିରେ ସ୍ଥାନୀତ। ମୋ କବିତାରେ ଜୀବନାନୁଭୂତିର ସକାରାତ୍ମକ ଚିତ୍ରଣ ଏବଂ ସଂସ୍କୃତିକୁ ଗୁରୁତ୍ବ ଦେବାପାଇଁ ପ୍ରୟାସ କରିଛି।’ ଏହା ପୂର୍ବରୁ ସେ ୧୯୮୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୬ରେ ଶାରଳା ପୁରସ୍କାର ଲାଭ କରିଛନ୍ତି।

ଓଡ଼ିଆରେ ବାଲ୍‌ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ଆସ ସଙ୍ଗାତ ବଣକୁ ଯିବା’, ‘ମୁନା ଡାକ୍ତର’, ‘ଚକା ଭଉଁରୀ’, ‘ବଜାରେ ବାଜା ବାଜାବାଲା’ ଏବଂ ‘ଭିଟାମାଟିର ମୋହ’ ଇତ୍ୟାଦି। ଡକ୍ଟର ବ୍ରହ୍ମା କହିଛନ୍ତି ଯେ, ‘ଗୀତ କହେ ମିତର କଥା’ରେ ଆମ ଚାରିପଟେ ଥିବା ପଶୁପକ୍ଷୀ କେମିତି ବୈଜ୍ଞାନିକ ନୀତି ନିୟମ ମାନି କାର୍ଯ୍ୟ କରୁଛନ୍ତି ତାହା ଗୀତ ଭାବରେ ପ୍ରକାଶ କରିଛି। ଆଜିର ସମୟରେ ପିଲାମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ନିହାତି ଆବଶ୍ୟକ।’ ଯୁବପୁରସ୍କାର ବିଜେତା ଦେବବ୍ରତ ଦାସଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ହେଉଛି ‘ଆଉଜଣେ ଆମ୍ରପାଲି’, ‘ମାୟା’ ଏବଂ ‘ଚାଲ ରୁପା ଗାଁ ଦେଖିଆସିବା‌ ଚାଲ’। ସେ କହିଛନ୍ତି, ‘କବିତା, ଗଳ୍ପ ହେଉ ଅବା ଉପନ୍ୟାସ, ଲେଖିସାରିବା ପରର ଆନନ୍ଦଠାରୁ ବଳି ଆଉ କିଛି ଆନନ୍ଦ ନାହିଁ। ପୁରସ୍କାର ଖୁସି, ଉତ୍ସାହ ଓ ଦାୟିତ୍ବ ଦିଏ। ଯୁବପୁରସ୍କାର ପାଇଥିବାରୁ ମୁଁ ଖୁସି ଓ ଆନନ୍ଦିତ।’

ଏଥର ସାହିତ୍ୟ ଏକାଡେମୀ ମୁଖ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର, ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଏବଂ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ। ବାଲ୍‌ସାହିତ୍ୟ ପୁରସ୍କାରର ବିଚାରକ ମଣ୍ଡଳୀରେ ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର କୁମାର ସାମନ୍ତରାୟ, ବିଶିଷ୍ଟ ଗାଳ୍ପିକ ଡକ୍ଟର ଗୌରହରି ଦାସ ଏବଂ ଡକ୍ଟର ମନୋରମା ବିଶ୍ବାଳ ମହାପାତ୍ର ଥିଲାବେଳେ ଯୁବପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ଔପନ୍ୟାସିକା ଡକ୍ଟର ପ୍ରତିଭା ରାୟ, ଡକ୍ଟର ଦୀପକ ସାମନ୍ତରାୟ ଏବଂ ପ୍ରଫେସର ସବିତା ପ୍ରଧାନ। ମୁଖ୍ୟ ପୁରସ୍କାର ସ୍ବରୂପ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କା ଏବଂ ବାଲ୍‌ସାହିତ୍ୟ ଓ ଯୁବପୁରସ୍କାର ପାଇଁ ଫଳକ ସହିତ ପଚାଶ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ଅକାଦେମିର ସଚିବ କେ.ଶ୍ରୀନିବାସରାଓ ଜଣାଇଛନ୍ତି। କାର୍ଯ୍ୟକାରିଣୀ ବୈଠକରେ ଅକାଦେମିର ସଭାପତି ଡକ୍ଟର ଚନ୍ଦ୍ର‌େଶଖର କମ୍ବର ଅଧ୍ୟକ୍ଷତା କରିଥିବାବେଳେ ଉପସଭାପତି ମାଧବ କୌଶିକ ଏବଂ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।

ଏଥର ୨୦ଟି ଭାଷାରେ ଅକାଦେମି ପୁରସ୍କାର ଘୋଷଣା ହୋଇଥିବାବେଳେ ଗୁଜୁରାଟୀ, ମୈଥିଳୀ, ମଣିପୁରୀ ଏବଂ ଉର୍ଦ୍ଦୁ ଭାଷାର ପୁରସ୍କାର ପରେ ଘୋଷଣା କରାଯିବ। ରାଜସ୍ଥାନୀ ଭାଷାରେ ଯୁବପୁରସ୍କାର ପାଇଁ କେହି ଯୋଗ୍ୟ ବିବେଚିତ ହୋଇ ନ ଥିବା ବେଳେ ତାମିଲ ଭାଷାର ପୁରସ୍କାର ପରେ ଘୋଷଣା ହେବ। ସେହିପରି ଗୁଜୁରାଟୀ ଓ ପଞ୍ଜାବୀରେ ବାଲ୍‌ସାହିତ୍ୟ ପୁରସ୍କାର ପାଇଁ କେହି ଯୋଗ୍ୟ ବିବେଚିତ ହୋଇନାହାନ୍ତି ବୋଲି ଅକାଦେମି ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର