୧୫ରେ ଦିଆଯିବ ସାହିତ୍ୟ ଏକାଡେମି ପୁରସ୍କାର : ବୀଣାପାଣି ମହାନ୍ତିଙ୍କୁ ପୁରସ୍କାର ରାଶି ୫ଲକ୍ଷ ଦିଆଯିବ ନାହିଁ କାହିଁକି?

ଆଜି ଏକାଡେମି ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର : ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯିବ। ୨୦୧୯ ମସିହା ପାଇଁ ମନୋନୀତ ୧୫ଜଣ ସାରସ୍ବତ ପ୍ରତିଭାଙ୍କୁ ମଧ୍ୟ ଆସନ୍ତା ୧୫ ତାରିଖରେ ଆୟୋଜିତ ଉତ୍ସବରେ ସମ୍ବର୍ଧିତ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥର ସାରସ୍ବତ ପ୍ରତିଭାମାନଙ୍କୁ ପରିବର୍ଦ୍ଧିତ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯିବ। ଏକାଡେମି ପୁରସ୍କାର ବାବଦରେ ୨ଲକ୍ଷ ଏବଂ ସମ୍ବର୍ଧନା ବାବଦରେ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସାରସ୍ବତ‌ ପ୍ରତିଭାଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ତେବେ ସେହି ୨୦୧୯ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ କାହିଁକି ୧ଲକ୍ଷ ଟଙ୍କାର ପୁରସ୍କାର ରାଶିରେ ସୀମିତ ରଖାଯିବ, ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଗତ ମାର୍ଚ୍ଚ ମାସରେ ୨୦୧୯ ମସିହା ନିମନ୍ତେ ଅତିବଡ଼ୀ ପୁରସ୍କାର ପାଇଁ ବୀଣାପାଣି ମହାନ୍ତି ଓ ସମ୍ବର୍ଧନା ଲାଗି ୧୫ଜଣ ସାହିତ୍ୟିକଙ୍କ ନାମ ‌ଘୋଷଣା କରାଯାଇଥିଲା। ତେବେ କରୋନା ଯୋଗୁଁ ପୁରସ୍କାର ଉତ୍ସବ ଆୟୋଜନ ହୋଇପାରିନଥିଲା। କିନ୍ତୁ ବୀଣାପାଣି ମହାନ୍ତି ଅସୁସ୍ଥ ଥିବାରୁ ଓ ବୟସାଧିକ ହେତୁ ତାଙ୍କୁ ଗତ ଜୁଲାଇ ମାସରେ ଘରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଅତିବଡ଼ୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ସେପ୍ଟେମ୍ବରରେ ଐତିହ୍ୟ କ୍ୟାବିନେଟ୍‌ରେ ସର୍ବୋଚ୍ଚ ପୁରସ୍କାର ରାଶି ୧ଲକ୍ଷରୁ ୫ଲକ୍ଷ, ଏକାଡେମି ପୁରସ୍କାର ୫୦ ହଜାରରୁ ୨ଲକ୍ଷ ଏବଂ ସମ୍ବର୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଇ ଆଧାରରେ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକାଡେମି ଓ ସମ୍ବର୍ଧନା ରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ। ଏପରିକି ୨୦୧୫-୧୬ ମସିହାର ଏକାଡେମି ପୁରସ୍କାର ରାଶି ମଧ୍ୟ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଯଦିଓ ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ପୂର୍ବରୁ ବୀଣାପାଣି ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି, ଏସବୁ ସତ୍ତ୍ବେ କାହିଁକି ତାଙ୍କୁ ବିଚାରକୁ ନିଆଯିବ ନାହିଁ ବୋଲି ସାହିତ୍ୟିକ ମହଲରେ ପ୍ରଶ୍ନ ଉଠିଛି। ଏ ବାବଦରେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି, ସରକାରୀ ନିଷ୍ପତ୍ତି ମୁତାବକ ବର୍ଦ୍ଧିତ ପୁରସ୍କାର ରାଶି ଦିଆଯାଉଛି। ପୂର୍ବରୁ ବୀଣାପାଣି ମହାନ୍ତିଙ୍କୁ ପୁରସ୍କାର ଦିଆସରିଥିବାରୁ ଏ ସଂକ୍ରାନ୍ତରେ ସେପରି କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ବିଭାଗ ସହ ଆଲୋଚନା ପରେ ଶ୍ରୀମତୀ ମହାନ୍ତିଙ୍କୁ ଦିଆଯାଇଥିବା ପୁରସ୍କାର ରାଶି ସମ୍ବନ୍ଧ‌ରେ ଆମେ ସରକାରଙ୍କୁ ଅବଗତ କରାଇବୁ ବୋଲି ସେ କହିଛନ୍ତି।

ଅପରପକ୍ଷେ ଆସନ୍ତାକାଲି (ଶୁକ୍ରବାର) ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ସଂପ୍ରତି ପରିଷଦରେ ୪୮ଜଣ ରହିଥିବା ବେଳେ ନିୟମ ମୁତାବକ ଆଉ ୮ଜଣଙ୍କୁ ନିର୍ବାଚନ ଜରିଆରେ ଚୟନ କରାଯିବ। ସାଧାରଣ ପରିଷଦ ପୂର୍ଣ୍ଣାଙ୍ଗ ହେବା ପରେ ଏକାଡେମିର ବକେୟା ପୁରସ୍କାର ପ୍ରଦାନ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର