ଭୁବନେଶ୍ବର: ‌କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଓ ୨୪ଟି ଭାଷା ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥର ଓଡ଼ିଆ ଭାଷାରେ ଅକାଦେମିର ଯୁବ ପୁରସ୍କାର ପାଇବେ ଲେଖକ ସୁବ୍ରତ କୁମାର ସେନାପତି। ସେହିପରି ବାଲ୍ ସାହିତ୍ୟ ପୁରସ୍କାର ପାଇବେ ଜଣାଶୁଣା ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ।

Advertisment

ଗଳ୍ପ ସଂକଳନ ‘କଦମ୍ବବନ’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ୨୦୨୫ ପାଇବେ ସୁବ୍ରତ କୁମାର ସେନାପତି। ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପୁରସ୍କାର ବାବଦକୁ ତାଙ୍କୁ ତାମ୍ରଫଳକ ସହ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଯୁବ ପୁରସ୍କାର ପାଇଁ ପ୍ରତ୍ୟେକ ଭାଷାରେ ତିନିଜଣିଆ ସଦସ୍ୟ ବିଶିଷ୍ଟ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ସେହି ବିଚାରକ ମଣ୍ଡଳୀଗୁଡ଼ିକର ସୁପାରିସକ୍ରମେ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷା ପାଇଁ ଗଠିତ ବିଚାରକମଣ୍ଡଳୀରେ ବିଶିଷ୍ଟ ଲେଖିକା ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁଭାଷ ଶତପଥୀ ସଦସ୍ୟ ଥିଲେ।
ଶ୍ରୀ ସେନାପତିଙ୍କ ଗଳ୍ପ ସଂକଳନ ‘କଦମ୍ବବନ’ରେ ୧୫ଟି ଗଳ୍ପ ରହିଛି। ‘କଦମ୍ବବନ’ ସହିତ ଏହି ଗଳ୍ପ ସଂକଳନରେ ସ୍ଥାନିତ ଅନ୍ୟ ଗପଗୁଡ଼ିକ ହେଉଛି; ଖୁଚୁରା, ବାସ୍ନା, ଦାୟାଦ, ଶୀର୍ଷସୁଖ, ସର୍ପମନସ୍କ, ଅନ୍ଧାର, ଇନ୍ଧନ, ପଲ୍ଲୀ ପତନ, ଦେବୀ ଦର୍ଶନ, ଗୋଟାଏ ସମତଳ: ତିନୋଟି ସମାନ୍ତର ସରଳରେଖା, ଶୀତରାତିର ଫୁଲମାନେ, ଡିସେମ୍ବରୀ ରଙ୍ଗର ଶାଢ଼ି, ନିବୁଜ କଠୋରି ଓ ମୃତ୍ୟୁର ପରିଧି ବାହାରେ। ୨୦୨୩ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା। ‘କଦମ୍ବବନ’ ପୂର୍ବରୁ ତାଙ୍କର ଆଉ ଏକ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା। ତା’ର ନାଁ ‘ନିଷିଦ୍ଧବନ’। ଏହି ଗଳ୍ପ ସଂକଳନ ପାଇଁ ସେ ପ୍ରସିଦ୍ଧି ସାଉଁଟିଥିଲେ। ସେ ‘କଥା ନବପ୍ରତିଭା ପୁରସ୍କାର (୨୦୧୨)’ ସମେତ ‘ସୃଜନଝର ଗଳ୍ପ ସମ୍ମାନ’ ଓ ‘ବ୍ରହ୍ମପୁର ସାହିତ୍ୟ ପରିଷଦ ଯୁବପ୍ରତିଭା ସମ୍ମାନ’ ଆଦି ଅନେକ ପୁରସ୍କାର ପାଇଛନ୍ତି।

ସେହିପରି କବିତା ସଙ୍କଳନ ‘କେତେ ଫୁଲ ଫୁଟିଚି’ ପାଇଁ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ବି ଏକ ତାମ୍ରଫଳକ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ‘କେତେ ଫୁଲ ଫୁଟିଚି’ର ପ୍ରଥମ ସଂସ୍କରଣ ୨୦୨୩ରେ ପ୍ରକାଶିତ ହୋଇଥିଲା। ଯୁବ ପୁରସ୍କାର ଭଳି ବାଲ୍ ପୁରସ୍କାର ପାଇଁ ପ୍ରତି ଭାଷାରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ଓଡ଼ିଆ ଭାଷା ପାଇଁ ଗଠିତ ବିଚାରକମଣ୍ଡଳୀରେ ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ, ଶକୁନ୍ତଳା ବଳିୟାରସିଂହ ଓ ଶିଶୁ ସାହିତ୍ୟିକ ରାମଚନ୍ଦ୍ର ନାୟକ ରହିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଡୋଗରୀ ଭାଷା ପାଇଁ କାହାକୁ ଯୁବ ପୁରସ୍କାର ଦେବାକୁ ମନୋନୀତ କରାଯାଇନାହିଁ। 

dgdgddgvccv

ସାନ୍ତାଳୀ ଭାଷା ପାଇଁ ଫାଗୁ ବାସ୍କେଙ୍କୁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର’
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଭୋଳାଗଡ଼ିଆ ଗ୍ରାମର ଯୁବ କବି ଫାଗୁ ବାସ୍କେଙ୍କୁ ସାନ୍ତାଳୀ ଭାଷା ବର୍ଗରେ ତାଙ୍କ ସାନ୍ତାଳୀ କବିତା ସଂକଳନ ‘ଆଳା ସାଅଁ ଇଞ୍’ ପାଇଁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର-୨୦୨୫’ ପାଇଁ ଚୟନ କରାଯାଇଛି। ଫାଗୁ ବାସ୍କେ ହେଉଛନ୍ତି ସମରାୟ ବାସ୍କେ ଓ ସାକ୍ରା ବାସ୍କେଙ୍କର ଜ୍ୟେଷ୍ଠ ପୁତ୍ର ଏବଂ ସାତ ଭାଇ-ଭଉଣୀ ମଧ୍ୟରୁ ବଡ଼। ସେ ଏବେ ବାଙ୍ଗିରିପୋଷି ବ୍ଲକର ବ୍ରାହ୍ମଣ ଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମ୍ଭୀର ମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସହଯୋଗୀ ଶିକ୍ଷକ ଭାବରେ କାର୍ଯ୍ୟରତ। ଶ୍ରୀ ବାସ୍କେଙ୍କର ସାନ୍ତାଳୀ ସାହିତ୍ୟରେ ରୁଚି ରହିଥିବା ବେଳେ ସାନ୍ତାଳୀ ଭାଷାର ଡିଜିଟାଲ୍‌ ବିକାଶ ପାଇଁ ମଧ୍ୟ ତାଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସେ ସାନ୍ତାଳୀ ଉଇକିପିଡିଆର ସଂସ୍ଥାପକ ସଦସ୍ୟ ଓ ସାନ୍ତାଳୀ ଇ-ମାଗାଜିନ୍ ‘ବିରମାଲି’ର ସମ୍ପାଦକ। ସାନ୍ତାଳୀ ଭାଷା ସାହିତ୍ୟକୁ ଡିଜିଟାଲ୍‌କରଣ କରୁଥିବା ରାମଜିତ ଟୁଡୁ ଓ ଆର୍ ଅଶ୍ବିନୀ ରଞ୍ଜନ ମୁର୍ମୁଙ୍କର ସେ ପ୍ରମୁଖ ସହଯୋଗୀ। ଫାଗୁ ବାସ୍କେଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳ ସହ ଓଡ଼ିଶାର ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ଆମ ମାତୃଭାଷାରେ ଲିଖିତ ପୁସ୍ତକ ଆସ ଖୁବ୍‌ ପଢ଼ିବା: ସୁବ୍ରତ କୁମାର ସେନାପତି
ପୁରସ୍କାର ପାଇ ଖୁସି ଲାଗୁଛି। ଲାଗୁଛି କେଉଁଠୁ ମେଞ୍ଚାଏ ମଲ୍ଲୀ ଫୁଲର ମହକ ପଶି ଆସୁଛି ମୋ ଝର୍କାର ରେଲିଂ ଡେଇଁ। କିନ୍ତୁ ଜାଣେ ଏ ଖୁସି ବି ସାମୟିକ। ଖୁସି ହେବା ସହ ଗଳ୍ପ ପ୍ରତି ଆହୁରି ନିଷ୍ଠାପର ହେବାକୁ ଯେମିତି ଏ ପୁରସ୍କାର ମୋତେ ଭିତରେ ଭିତରେ ପ୍ରେରଣା ଦେଉଛି। ହଁ, ସାରସ୍ବତ ସାଧନା ପାଇଁ ପୁରସ୍କାର ଆହୁରି ପ୍ରୋତ୍ସାହିତ କରେ। ଏହା ସତ କଥା। କିନ୍ତୁ ଏହା ନିହାତି ଯେ ଜରୁରୀ ତାହା ମୁଁ ଅସ୍ବୀକାର କରିବି। କମଳାକାନ୍ତ ମହାପାତ୍ର, ଅକ୍ଷୟ ମହାନ୍ତି ଅନେକ ଚମତ୍କାର ଗଳ୍ପ ଲେଖିଛନ୍ତି ସତ କିନ୍ତୁ ସେମିତି କିଛି ପୁରସ୍କାର ତାଙ୍କୁ ମିଳିନାହିଁ। ତେଣୁ ସତ୍ ସାରସ୍ୱତ ସାଧକ ପାଇଁ ପୁରସ୍କାର ନିହାତି ଜରୁରୀ ନୁହଁ। ଏଥିସହ ନିଜ ସମସାମୟିକମାନଙ୍କୁ ଏତିକି କହିବି ଆମ ଭାଷା, ସାହିତ୍ୟ ଖୁବ୍ ସମୃଦ୍ଧ। ଆମ ମାତୃଭାଷାରେ ଯେତିକି ଉପାଦେୟ ପୁସ୍ତକ ଅଛି ତାକୁ ପଢ଼ିବା ପାଇଁ ହୁଏତ ଗୋଟିଏ ଜନ୍ମ ବି ଯଥେଷ୍ଟ ନୁହଁ। ତେଣୁ ଆସ ଖୁବ୍ ପଢ଼ିବା, ଆମ ସାହିତ୍ୟର, ଭାଷାର ଜୟଗାନ କରିବା।

ପାଠକୀୟ ଆଦୃତି ହିଁ ଲେଖକ ପାଇଁ ସବୁ କିଛି ହେଉ: ରାଜକିଶୋର
ମୁଁ ୫ ଦଶନ୍ଧିରୁ ଅଧିକ ସମୟ ଧରି ଲେଖାଲେଖି କରିଚାଲିଛି। ଅନ୍ୟ କୌଣସି ପୁସ୍ତକ କାହିଁକି ପୁରସ୍କାର ପାଇଲାନି ଓ ଏହି ପୁସ୍ତକଟି କାହିଁ ପାଇଲା, ସେ କଥା ମୁଁ ଜାଣିନି। କିନ୍ତୁ ଆଜି ଏହି ପୁରସ୍କାର ପାଇଁ ଖୁସି ଲାଗୁଛି। ଲେଖାରେ ଯେଉଁ ଆନନ୍ଦ ଥାଏ, ଲେଖାକୁ ନୂଆ ଦିଗ ଦେବାରେ, ପାଠକଙ୍କୁ ଭିନ୍ନ ଏକ ବାର୍ତ୍ତା ଦେବାରେ ଓ ଲେଖାରେ ଭିନ୍ନ ଏକ ମୌଳିକତା ଭରିବାରେ ଯେଉଁ ଆନନ୍ଦ ଥାଏ, ସେଥିରେ ଲେଖକମାନେ ମନନିବେଶ କରିବା ବଡ଼ କଥା। ଅନେକ କ୍ଷେତ୍ରରେ ଦେଖାଯାଏ, ପତ୍ରିକାରେ ଲେଖାଟିଏ ବାହାରିଗଲେ ଓ କିଛି ଗୋଟେ ପୁରସ୍କାର ମିଳିଗଲେ, ଖବରକାଗଜରେ ଫଟୋଟିଏ ବାହାରିଗଲେ ଯେମିତି ଅନେକଙ୍କୁ ସାର୍ଥକତା ମିଳିଯାଏ। ସେ ସବୁ ଛାଡ଼ି ଗତାନୁଗତିକତାକୁ ଭାଙ୍ଗି ଲେଖାରେ ଅନନ୍ୟତା ଓ ଭିନ୍ନତା ପ୍ରକାଶ ପାଉ। ଲେଖକଟିଏ ଲେଖା ଜାରି ରଖୁ। ‌ପାଠକୀୟ ଆଦୃତି ହିଁ ଲେଖକଟିଏ ପାଇଁ ସବୁ କିଛି ହେଉ।