ମିଥ୍ ହିଁ ଆଦିବାସୀ ପରମ୍ପରାକୁ ବଞ୍ଚାଇ ରଖିଛି

ସାହିତ୍ୟ ଅକାଦେମୀ ପକ୍ଷରୁ ଆଲୋଚନାଚକ୍ର

ଦାମନଯୋଡି : ସାହିତ୍ୟ ଅକାଦେମୀ ଓ ନାଲକୋର ମିଳିତ ଆନୁକୂଲ୍ୟରେ ଏକ ସାରସ୍ବତ ଆଲୋଚନାଚକ୍ର ଆଜି ଉଦ୍‌ଘାଟିତ ହୋଇଛି। ନାଲକୋ କ୍ଲବ ଠାରେ ଅନୁଷ୍ଠିତ ଏହି ‘ପୂର୍ବ ଭାରତୀୟ ଆଂଚଳିକ ଭାଷା ପରିପ୍ରେକ୍ଷିରେ ଆଦିବାସୀ ସାହିତ୍ୟରେ ସୃଷ୍ଟି ରୂପକଥା (ମିଥ)’ ଶୀର୍ଷକ ଆଲୋଚନା ଚକ୍ରକୁ ନେକଲ ସାହିତ୍ୟ ଏକାଡେମୀର ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ମୁରାସିଂହ ଉଦଘାଟଟନ କରିଥିଲେ। ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ରବି ଶଙ୍କର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଗବେଷକ ଗଦାଧର ପରିଡା ମୂଳ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ମିଥ୍ ପାଇଁ ହିଁ ଆଦିବାସୀ ପରମ୍ପରା ଓ ବିଶ୍ବାସ ଏ ପର୍ଯ୍ୟନ୍ତ ବଂଚି ରହିଛି। ଆଦିବାସୀମାନଙ୍କ ଭିତରେ ଥିବା ମିଥ ଗୁଡିକୁ ଲିଖିତ ଅବସ୍ଥାରେ ନାହିଁ। ଏହା ଗୋଟିଏ ପିଢି ପାଖରୁ ଅନ୍ୟ ଏକ ପିଢିକୁ ଯାଇଛି। ଫଳରେ ମିଥର କାୟା ବି ବଦଳିଛି। କିନ୍ତୁ ସବୁଥିରେ ପ୍ରକୃତି ଓ ଭଗବାନଙ୍କ ଉପରେ ଥିବା ଅଗାଧ ବିଶ୍ବାସର ପ୍ରତିଫଳନ ହୋଇଛି। ଏହା ସେମାନଙ୍କ ଆତ୍ମାକୁ ବଳ ଦେଇଛି ଓ ଧର୍ମୀୟ ଭାବନାକୁ ଶକ୍ତି ଦେଇଛି ବୋଲି ଶ୍ରୀ ପରିଡା କହିଥିଲେ।

ସମାରୋହରେ ସାହିତ୍ୟ ଅକାଦେମୀର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ପ୍ରଦାନ କରି ଅକାଦେମୀର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଉଦଘାଟନୀ ସମାରୋହରେ ସାହିତ୍ୟ ଅକାଦେମୀର ଅସମୀୟା ଉପଦେଷ୍ଟା ପରିଷଦର ଆବାହକ ଧ୍ରୁବଜ୍ୟୋତି ବୋରା ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଉଦଘାଟନୀ ସମାରୋହ ପରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ଡ. ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରିଥିଲା ବେଳେ ବରିଷ୍ଠ ସାହିତ୍ୟିକ ଡ. ଗୌରହରି ଦାସ ପ୍ରଥମ ପ୍ରବନ୍ଧ ପାଠ କରିଥିଲେ। ଆଦିବାସୀ ସାହିତ୍ୟରେ ଥିବା ବିଭିନ୍ନ ମିଥ୍‌ ଗୁଡିକ ବର୍ଣ୍ଣନା କରି ଏହା ଭିତରେ ଥିବା ଅନ୍ତଃସ୍ବରକୁ ବାଖ୍ୟା କରିଥିଲେ। ସେ କହିଥିଲେ ଯେ, ମିଥ ଗୁଡିକୁ ଆମେ ସୂକ୍ଷ୍ମ ଦୃଷ୍ଟିକୋଣରେ ଦେଖିବା ଆବଶ୍ୟକ। ହେତୁବାଦ ଓ ବୈଜ୍ଞାନିକ ନଜରରେ ମିଥ ଗୁଡିକୁ ଆଲୋଚନା କରିବା ଠିକ ହେବନି। ପ୍ରକୃତି, ସୂର୍ଯ୍ୟ, ମାଟି, ଜଳ, ଖାଦ୍ୟ, ସୃଷ୍ଟିକୁ ଆଦିବାସୀ ସାହିତ୍ୟରେ ଅନେକ ଚମତ୍କାର ମିଥ ଥିବା ସେ କହିଥିଲେ। ଏହାପରେ ମଣିପୁରର ଏମ. ପାଓମିନଲାଲ ତାଙ୍କ ପ୍ରବନ୍ଧପାଠ କରିଥିଲେ। ବିଜୟାନନ୍ଦ ସିଂହ କହିଥିଲେ ଯେ, ଆଦିବାସୀ ସାହିତ୍ୟକୁ ନେଇ କୋରାପୁଟ ଜିଲ୍ଲାରେ ଏକ ଆଲୋଚନାଚକ୍ର ହେବା ସ୍ବାଗତଯୋଗ୍ୟ ପଦକ୍ଷେପ।

ସମ୍ବନ୍ଧିତ ଖବର