ମାର୍ଚ୍ଚ ୩ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ମାର୍ଚ୍ଚ ୩ ତାରିଖରୁ ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୩ ତାରିଖ ସକାଳ ୧୦ଟାରେ ସାହିତ୍ୟ ଅକାଦେମି ଏବଂ ଉତ୍କଳ ସାହିତ୍ୟ ସମାଜ, କଟକର ମିଳିତ ଆନୁକୂଲ୍ୟରେ ଶତାବ୍ଦୀ ଭବନ, କଟକ ଠାରେ ଚନ୍ଦ୍ରମଣି ଦାସ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହାକୁ ଉଦ୍‌ଘାଟନ କରିବେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଏଥିରେ ମୂଳ ଭାଷଣ ପ୍ରଦାନ କରିବେ ବିଶିଷ୍ଟ ସମାଲୋଚକ ବୈଷ୍ଣବ ଚରଣ ସାମଲ। ଦୁଇଟି ଅଧିବେଶନରେ ମହେଶ୍ବର ମହାନ୍ତି ଏବଂ ତରୁଣ କୁମାର ସାହୁଙ୍କ ସଭାପତିତ୍ବରେ ବିଶିଷ୍ଟ ଲେଖକ ଓ ଗବେଷକମାନେ ପ୍ରବନ୍ଧ ପାଠ କରିବେ। ସେହିଦିନ ସନ୍ଧ୍ୟା ୫ଟାରେ ଶତାବ୍ଦୀ ଭବନରେ ଆୟୋଜିତ ‘ବ୍ୟକ୍ତି ଓ ବହି’ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଜୀବନରେ ବହିର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବେ ପ୍ରାକ୍ତନ ଆଡଭୋକେଟ୍‌ ଜେନେରାଲ ଜଗନ୍ନାଥ ପଟ୍ଟନାୟକ।

୫ ତାରିଖ ସକାଳ ୧୦ଟାରେ ଓଡ଼ିଆ ବିଭାଗ, ଉତ୍କଳ ବିଶ୍ବବିଦ୍ୟାଳୟର ସହଯୋଗିତାରେ ସ୍ନାତକୋତ୍ତର ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମ୍ପାନର ପ୍ରସଙ୍ଗ ରହିଛି ‘ଓଡ଼ିଆ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ: ଅତୀତ ଓ ବର୍ତ୍ତମାନ।’ ଏହାକୁ ଉଦ୍‌ଘାଟନ କରିବେ ବିଶ୍ବବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ। ଏଥିରେ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହ ସଭାପତିତ୍ବ କରିବେ ଏବଂ ମୂଳ ଭାଷଣ ପ୍ରଦାନ କରିବେ ବିଷ୍ଣୁପ୍ରିୟା ଓତା। ପ୍ରଫେସର ଆଦିକନ୍ଦ ସାହୁ ଏବଂ ପଞ୍ଚାନନ ମିଶ୍ରଙ୍କ ସଭାପତିତ୍ବରେ ଦୁଇଟି ଅଧିବେଶନରେ ପ୍ରବନ୍ଧ ପାଠ କରାଯିବ। ସେହିଦିନ ସଂସ୍କୃତି ଭବନ, ପୁରୀଠାରେ ଆଉ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅପରାହ୍‌ଣ ୩ଟାରେ ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି ସହାୟତାରେ ଆୟୋଜିତ ନୀଳକଣ୍ଠ ଦାସ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର। ଅପରାହ୍‌ଣ ୫ଟାରେ ହେବାକୁ ଥିବା ‘ଅସ୍ମିତା’ କାର୍ଯ୍ୟକ୍ରମରେ ପାଞ୍ଚ ଜଣ ଲେଖିକା ସ୍ବରଚିତ ଗଳ୍ପ ଓ କବିତା ପାଠ କରିବେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର