ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ସମାରୋହ ଆଜି କୋଲକାତାସ୍ଥିତ ଜାତୀୟ ଗ୍ରନ୍ଥାଗାରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାଷା ଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଅକାଦେମିର ସଭାପତି ମାଧବ କୌଶିକ ଏଥିରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ସୁକାନ୍ତ ଚୌଧୁରୀ ଯୋଗ ଦେଇ କହିଥିଲେ, ଭାଷା ଓ ସାହିତ୍ୟର ସମୃଦ୍ଧିରେ ଅନୁବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଭାଷା ସହ ଆଉ ଗୋଟିଏ ଭାଷା ମଧ୍ୟରେ ଏକ ସେତୁ ଭଳି କାମ କରିଥାଏ ଅନୁବାଦ। ସାହିତ୍ୟ ଅକାଦେମିର ଉପାଧ୍ୟକ୍ଷ ପ୍ରଫେସର କୁମୁଦ ଶର୍ମା ସମାପନୀ ଭାଷଣ ପ୍ରଦାନ କରିଥିଲେ। ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ପୁରସ୍କାରର ମାନପତ୍ର ପାଠ କରିଥିଲେ ଅକାଦେମିର ସଚିବ କେ. ଶ୍ରୀନିବାସରାଓ। 

Advertisment

ଆଜିର ସମାରୋହରେ ଅନୁବାଦ ପୁରସ୍କାର ଗ୍ରହଣ କରିଥିଲେ ଅଞ୍ଜନ ଶର୍ମା (ଅହମିୟା), ବାସୁଦେବ ଦାସ (ବଙ୍ଗଳା), ଉତ୍ତରା ବିସୁମୁଥିଆରି (ବୋଡୋ), ଅର୍ଚ୍ଚନା କେସର (ଡୋଗ୍ରି), ଅନିସୁର ରହମାନ (ଇଂରାଜୀ), ରମଣିକ ଅଗ୍ରାୱତ (ଗୁଜୁରାଟୀ), ମଦନ ସୋନି (ହିନ୍ଦୀ), ସିଦ୍ଧଲିଙ୍ଗ ପତ୍ତନସେଟ୍ଟି (କନ୍ନଡ), ମିଲିନ୍ଦ ମହାମଲ (କୋଙ୍କଣୀ), କେଶକର ଠାକୁର (ମୈଥିଳି), କେ. କୁମାରନ୍ (ମାଲୟାଲମ୍), ସୋଏବାମଚା ଇନ୍ଦ୍ରକୁମାର (ମଣିପୁରୀ), ସୁଦର୍ଶନ ଅଠାବଲେ (ମରାଠୀ), ଅମର ବାନିଆ ‘ଲୋହୋରୋ (ନେପାଳୀ),  ସୋହାନ୍ଦନ ଚାରଣ (ରାଜସ୍ଥାନୀ), ସ୍ବର୍ଗତ ଶୋଭା ଲାଲଚାନ୍ଦନୀ (ସିନ୍ଧି), ପି ବିମଳା (ତାମିଲ) ପ୍ରମୁଖ।   ସେହିଭଳି ଏଥର ଓଡ଼ିଶାର ତିନି ଜଣ ଅନୁବାଦକ ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା ପାଇଁ ସୁଭାଷ ଚନ୍ଦ୍ର ଶତପଥୀ, ସଂସ୍କୃତ ପାଇଁ ସୋମନାଥ ଦାଶ ଓ ତେଲୁଗୁ ଭାଷା ପାଇଁ ବ୍ରହ୍ମପୁର ନିବାସୀ ତୁର୍ଲାପାଟୀ ରାଜେଶ୍ବରୀ ପୁରସ୍କୃତ ହୋଇଛନ୍ତି। ଗୁଲାମ ନବୀ ଆତସ (କାଶ୍ମୀରୀ) ଅନୁପସ୍ଥିତ ଥିଲେ ଏବଂ ଚନ୍ଦନ ନେଗି (ପଞ୍ଜାବୀ)ଙ୍କ ପୁରସ୍କାର ତାଙ୍କ କନ୍ୟା ଅରବିନ୍ଦର ଘାଇ ଗ୍ରହଣ କରିଥିଲେ। ସିନ୍ଧୀ ଭାଷାର ପୁରସ୍କୃତ ଲେଖିକାଙ୍କର ଦେହାନ୍ତ ହୋଇଯାଇଥିଲା। ଉର୍ଦୁ ଭାଷାରେ ଏଥର କାହାରିକୁ ପୁରସ୍କାର ଦିଆଯାଇନାହିଁ। ଏହି ପୁରସ୍କାର ସମାରୋହରେ ବହୁ ଭାରତୀୟ ଭାଷାର ଲେଖକ, ଲେଖିକା ଯୋଗ ଦେଇଥିଲେ।