ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର: ‘ଛେଳି ଚ‌ରେଇବାର ଦିନ’ ପାଇଁ ଗୌରହରି ମନୋନୀତ

ସାନ୍ତାଳୀ ଭାଷାରେ ପୁରସ୍କୃତ ହେବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା 

ଭୁବନେଶ୍ବର : ୨୦୨୧ ମସିହାର କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ଆଜି ଘୋଷିତ ହୋଇଛି। ବେନିୟାମିନଙ୍କ ମାଲୟାଲମ ଉପନ୍ୟାସ ‘ଆବୁଜୀବୀଥମ୍‌’ (ଇଂରାଜୀ: ଗୋଟ୍‌ ଡେଜ୍)ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ପାଇଁ ବିଶିଷ୍ଟ ଲେଖକ ଗୌରହରି ଦାସ ଏହି ପୁରସ୍କାର ପାଇବେ।

ବୃତ୍ତି ଅନ୍ବେଷଣରେ ମଧ୍ୟପ୍ରାଚ୍ୟକୁ ଯାଇଥିବା ଜଣେ ବ୍ୟକ୍ତିଙ୍କର ଲୋମଟାଙ୍କୁରା କାହାଣୀ ଏହି ଉପନ୍ୟାସରେ ଅତି ମାର୍ମିକ ଭାବରେ ବର୍ଣ୍ଣିତ। ସଂପ୍ରତି ଦୈନିକ ‘ସମ୍ବାଦ’ର ଫିଚର ସଂପାଦକ ତଥା ଗଳ୍ପ ପତ୍ରିକା ‘କଥା’ର ସଂପାଦକ ଭାବେ କାର୍ଯ୍ୟରତ ଶ୍ରୀ ଦାସଙ୍କର ମୋଟ ସତୁରିରୁ ଅଧିକ ପୁସ୍ତକ ପ୍ରକାଶିତ। ପୁରସ୍କୃତ ପୁସ୍ତକ ବ୍ୟତୀତ ତାଙ୍କ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ‘ଯଶପାଲ୍‌ଙ୍କ କାହାଣୀ’, ‘ମିତ୍ର ମରଜାଣି’, ‘ଭଗବାନ ରଜନୀଶ’, ‘ସେହିସବୁ ପିଲାଦିନ’ ଏବଂ ‘ଗୋଟିଏ ଜୀବନ ଯଥେଷ୍ଟ ନୁହେଁ’ ଇତ୍ୟାଦି। ୨୦୧୨ ମସିହାରେ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ସାହିତ୍ୟ ଅକାଦେମି ପୁରସ୍କାର ପାଇଥିଲେ। ଅନୁବାଦ ପୁରସ୍କାର ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ, ‘ସୃଜନଶୀଳ ଲେଖକମାନଙ୍କୁ ଅନୁବାଦ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ଅନୁବାଦ କାର୍ଯ୍ୟ ହେଉଛି ମାଆ ଯଶୋଦା କୃଷ୍ଣଙ୍କ ଲାଳନପାଳନ କରିବା ଭଳି କଥା। ମୂଳ ଲେଖାର କାହାଣୀ ଓ ଭାବକୁ ନିଜ ଭାଷାରେ ଠିକ୍ ଢଙ୍ଗରେ ଅନୁବାଦ କଲେ ପାଠକଙ୍କ ମନକୁ ତାହା ଛୁଇଁଥାଏ।’

ସାନ୍ତାଳୀ ଭାଷାରେ ପୁରସ୍କୃତ ହେବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା 
ଜୟଦେବଙ୍କ ଗୀତଗୋବିନ୍ଦର ରୂପାନ୍ତର ପାଇଁ ସାନ୍ତାଳୀ ଭାଷାର ଅନୁବାଦ ପୁରସ୍କାର ପାଇବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା‌। ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷିକା ଭାବରେ ତାଙ୍କର ସୁଖ୍ୟାତି ରହିଛି। ସେ ୨୦୦୯ରେ ସାହିତ୍ୟ ଅକାଦେମି ପୁରସ୍କାର ତଥା ୨୦୨୦ରେ ପଦ୍ମଶ୍ରୀ ଉପାଧି ଲାଭ କରିଛନ୍ତି।
ନୂଆଦିଲ୍ଲୀରେ ଅନୁଷ୍ଠିତ ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ ଏବଂ ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ମଦନ ମୋହନ ସୋରେନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର