ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମି ଦେବ ‘ସାରଳା ସାହିତ୍ୟ ପୁରସ୍କାର’। ୧୦ ଲକ୍ଷ ଟଙ୍କା ଅର୍ଥରାଶି ବିଶିଷ୍ଟ ଏହି ପୁରସ୍କାର ଖୁବ୍‌ଶୀଘ୍ର ଯୋଡ଼ି ହେବ ସାହିତ୍ୟ ଏକାଡେମି ପୁରସ୍କାର ତାଲିକାରେ। ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓଡ଼ିଶାର ସର୍ବୋଚ୍ଚ ସମ୍ମାନ ହେବ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାକୁ ପହଞ୍ଚାଇଥିବା ସାରସ୍ବତ ସାଧକଙ୍କୁ ଦିଆଯିବ ‘ସାରଳା ସାହିତ୍ୟ ପୁରସ୍କାର’।

Advertisment

ଏହି ପୁରସ୍କାରକୁ ଏକାଡେମି ପୁରସ୍କାର ତାଲିକାରେ ଯୋଡ଼ିବାକୁ ସାହିତ୍ୟ ଏକାଡେମି ପକ୍ଷରୁ ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଖାଲି ସେତିକି ନୁହେଁ, ଯୁବ ସାହିତ୍ୟ ପୁରସ୍କାର, ଭକ୍ତି ସାହିତ୍ୟ ପୁରସ୍କାର ଓ ପ୍ରକାଶକ ପୁରସ୍କାର ଦେବାକୁ ମଧ୍ୟ ଏକାଡେମି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୧୧ଟି ବର୍ଗରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଲେଖନୀ ଚାଳନା କରୁଥିବା ଯୁବ ସାହିତ୍ୟିକମାନଙ୍କୁ ‘ଯୁବ ପୁରସ୍କାର’ ଦିଆଯିବ। ଏଥିପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରସ୍ତାବିତ ହୋଇଛି। ଏଥିସହ ଆଧ୍ୟାତ୍ମିକ ସାହିତ୍ୟରେ ଲେଖନୀ ଚାଳନା କରୁଥିବା ସାହିତ୍ୟିକମାନଙ୍କୁ ‘ଭକ୍ତି ସାହିତ୍ୟ ପୁରସ୍କାର’ ଦିଆଯିବ। ଏଥିପାଇଁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିବ। ଲେଖାକୁ ସୁନ୍ଦର ଭାବେରେ ପାଠକ ଆଗରେ ପରସି ଦେଉଥିବା ପ୍ରକାଶକମାନଙ୍କ ମଧ୍ୟ ଏହି ପୁରସ୍କାର ତାଲିକାରେ ସାମିଲ କରାଯାଇଛି। ଏଥିପାଇଁ ଏକାଡେମି ନେଇଆସୁଛି ‘ପ୍ରକାଶକ ପୁରସ୍କାର’। ଏହାର ପୁରସ୍କାର ରାଶି ୨ ଲକ୍ଷ ଟଙ୍କା ରହିବ।

ଏଥିସହ ଏକାଡେମି ପକ୍ଷରୁ ‘ସାରଳା ସାହିତ୍ୟ ପତ୍ରିକା’ ପ୍ରକାଶନ ଦିଗରେ ଉଦ୍ୟମ ଜାରି ରହିଛି। ସାରସ୍ବତ ସାଧକମାନଙ୍କୁ ଓଡ଼ିଆ ଜାତି ପକ୍ଷରୁ କୃତଜ୍ଞତା ଜଣାଇବା ତଥା ତାଙ୍କ ସୃଷ୍ଟି ପାଇଁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପୁରସ୍କାର ସଂଖ୍ୟା ଓ ପରିସରକୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଉଥିବା ଏକାଡେମିର ସଚିବ ପ୍ରବୋଧ ରାଉତ ସୂଚନା ଦେଇଛନ୍ତି।