ସାହିତ୍ୟ ଅକାଦେମିର କୋଶଲି-ସମ୍ବଲପୁରୀ ଭାଷା ସମ୍ମିଳନୀ ୨ରୁ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୨ ଓ ୩ ତାରିଖରେ ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ‘କୋଶଲି – ସମ୍ବଲପୁରୀ ଭାଷା ସମ୍ମିଳନୀ’ ଅନୁଷ୍ଠିତ ହେବ। ୨ ତାରିଖ ଅପରାହ୍‌ଣ ୨ଟାରେ ଉଦ୍‌ଘାଟନୀ ଅଧିବେଶନରେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ, ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଲୋକକବି ପଦ୍ମଶ୍ରୀ ହଳଧର ନାଗ, ସାହିତ୍ୟ ଅକାଦେମିର ମହତ୍ତର ସଦସ୍ୟ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ଐତିହାସିକ ପ୍ରୀତୀଶ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେବେ।

ଦୁଇଦିନିଆ ସମ୍ମିଳନୀର ବିଭିନ୍ନ ଅଧିବେଶନରେ କୋଶଲି- ସମ୍ବଲପୁରୀ ଭାଷାର ଲୋକସାହିତ୍ୟ, ଭାଷାତାତ୍ତ୍ୱିକ ଅଧ୍ୟୟନ, ସାଂସ୍କୃତିକ ଦୃଷ୍ଟିକୋଣ ଓ ଭାଷାର ଆଧୁନିକତା ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ। ଆଲୋଚକ ଭାବରେ କୁମୁଦ ରଞ୍ଜନ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ଦାସ, ଶୁଭେନ୍ଦୁ ମୁଣ୍ଡ, ଦ୍ୱାରିକାନାଥ ନାୟକ, ସନ୍ତୋଷ କୁମାର ରଥ, କେଶରଂଜନ ପ୍ରଧାନ ଏବଂ ଅଭୟ କୁମାର ପାଢ଼ୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଲେଖକ ଲେଖିକା, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ଯୋଗଦେବା ପାଇଁ ସାହିତ୍ୟ ଅକାଦେମିର ସଚିବ ଡକ୍ଟର ରାଓ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର