ଦୁଃଖ ଜୀବନ ଗଛର ଚେର, ସୁଖ ଶାଖାପ୍ରଶାଖା: ଗୌରହରି

ସାହିତ୍ୟ ଅକାଦେମିର ‘ଲେଖକଙ୍କ ସହିତ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ସାହିତ୍ୟ ମୋ ପାଇଁ ମନୋରଞ୍ଜନର ମାଧ୍ୟମ କିମ୍ବା କଳ୍ପନା ବିଳାସ ନୁହେଁ। ଏହା ସାମାଜିକ ବ୍ୟବସ୍ଥା ଉପରେ ମୋର ହସ୍ତକ୍ଷେପ। ମୁଁ ଚିରଦିନ ମଣିଷ ସପକ୍ଷରେ, ଶ୍ରଦ୍ଧା, ସମାନୁଭୂତି ଓ କରୁଣାର ପକ୍ଷରେ। ଶତ ଅନ୍ଧାର, ଦୁର୍ବିପାକ, ବିପର୍ଯ୍ୟୟ ଓ ବିଭାଜନର ଷଡ଼ଯନ୍ତ୍ର ସତ୍ତ୍ବେ, ଧ୍ବସଂ ସ୍ତୂପ ଭିତରୁ ସବୁଜିମାର ଅଙ୍କୁରୋଦ୍‌ଗମ ହେବା ପରି ମଣିଷପଣିଆ ବଞ୍ଚି ରହିବ ଓ ତା’ର ଏହି ଯୁଯୁତ୍ସାରେ ସାହିତ୍ୟ ସୂର୍ଯ୍ୟାଲୋକ ପରି ସହାୟକ ହେବ। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଶନିବାର ଦିନ ଭାରତୀୟ ବିଦ୍ୟାଭବନଠାରେ ଆୟୋଜିତ ‘ଲେଖକଙ୍କ ସହିତ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ କଥାକାର ଗୌରହରି ଦାସ ନିଜ ଜୀବନ ଓ ସାହିତ୍ୟାନୁଭୂତି ସମ୍ପର୍କରେ ଏହା କହିଛନ୍ତି।

ଏହି ଅବସରରେ ଶ୍ରୀ ଦାସ ତାଙ୍କର ପ୍ରଥମ ଗଳ୍ପ ‘କ୍ଷୀଣାଲୋକ’ରୁ ଆରମ୍ଭ କରି ପ୍ରଥମ ପୁସ୍ତକ ‘ଜୁଆର ଭଟ୍ଟା’ ପର୍ଯ୍ୟନ୍ତର କାହାଣୀ ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବାପାଙ୍କ ଆଲମିରାର ବହି, ପ୍ରାଥମିକ ଶିକ୍ଷକ ଧନେଶ୍ବର ଓଝା, ମାଇନର୍‌ ସ୍କୁଲ ଶିକ୍ଷକ ପ୍ରଭାକର ସାହୁ ଓ ହାଇସ୍କୁଲ ଶିକ୍ଷକ ନିତ୍ୟାନନ୍ଦ ବଳ ତାଙ୍କ ସାହିତ୍ୟ ଯାତ୍ରାର ଆଦ୍ୟ ପ୍ରେରଣା ଥିଲେ। ଗାଁର ମନ୍ତେଇ ନଈ, ଅର୍ଜୁନ ବାଆଜୀ ମଧ୍ୟ ତାଙ୍କ ପ୍ରେରଣାର ଉତ୍ସ ବୋଲି ରୋଚକ ଢଙ୍ଗରେ ବର୍ଣ୍ଣନା କରିଥିଲେ।

ଗାଁର ସୁନ୍ଦରୀ ବୋହୂ ବନ୍ଧ୍ୟା ଅପବାଦ ସହି ନ ପାରି ଆତ୍ମହତ୍ୟା କରିବା, ଯୌଥ ପରିବାର ବିଭାଜନ ଓ ଭାଇ ଭାଗର ଛଳନା ଓ ପ୍ରତାରଣାପୂର୍ଣ୍ଣ ବ୍ୟବହାର, ଗାଁ ନାଟକରେ ଅଭିନୟ କରିଥିବା ଝିଅଟିକୁ କଳଙ୍କିନୀ ସଜାଇ ଦେବା ଓ ପରେ ତା’ର ଆତ୍ମହତ୍ୟା, ଅର୍ଜୁନ ବାଆଜୀର ଟଙ୍କା ଉଧାର ଦେବା ଓ ଫେରସ୍ତ ପାଇବାର ଅଦ୍ଭୁତ ଉପାୟ ଏବଂ ସମାଜରୁ ବିଭିନ୍ନ ସମୟରେ ମିଳିଥିବା ଉପେକ୍ଷା, ଅନାଦର, ଈର୍ଷା, ଅସୂୟା ଓ ସ୍ନେହ, ଶ୍ରଦ୍ଧା ଆଦି ଉପାଦାନ ତାଙ୍କ ମନକୁ ପ୍ରଭାବିତ କରିଥିଲା। ଏହି ଭାବନା ସବୁ ପରେ ଶବ୍ଦର ରୂପ ନେଇ କାଗଜ‌କୁ ଉତ୍ତରିଥିଲେ ବୋଲି ସେ କହିଥିଲେ।

କବି ଗିରିଜା କୁମାର ବଳିୟାରସିଂହ, ବିଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ ଓ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କ ପରିଚୟ, ତାଙ୍କୁ ଲେଖକ ଭାବେ ଗଢ଼ିବାରେ ଦାୟୀ ବୋଲି ସେ କହିଥିଲେ। ସେହିପରି ନାଟ୍ୟକାର ଅନନ୍ତ ମହାପାତ୍ର ଓ ଲଲାଟେନ୍ଦୁ ରଥଙ୍କ ପ୍ରୋତ୍ସାହନରେ ସେ ନାଟକ ଲେଖିବା ଆରମ୍ଭ କରିଥିଲେ ବୋଲି କହିଥିଲେ। ସେ କହିଥିଲେ, ଦୁଃଖ ଜୀବନ ଗଛର ଚେର, ସୁଖ ଯେ ଗଛର ଶାଖାପ୍ରଶାଖା। ବୃକ୍ଷର ପଲ୍ଲବନ ଓ ପ୍ରସାର ପାଇଁ ଚେର ଗଭୀରକୁ ଯିବା ପ୍ରୟୋଜନ। ଜୀବନରେ ବହୁ ଦୁଃଖ ଓ ଉପେକ୍ଷା ପାଇଥିବାରୁ ସେ ଜୀବନକୁ ଅଧିକ ହୃଦୟଙ୍ଗମ କରି ପାରିଛନ୍ତି ଓ ସାହିତ୍ୟ‌ରେ ଢାଳି ପାରିଛନ୍ତି ବୋଲି କହିଥିଲେ। ଏଣୁ ତାଙ୍କୁ ଜଣେ ଲେଖକ ହିସାବରେ ସମାଜ ହିଁ ଗଢ଼ି ତୋଳିଛି ବୋଲି ସେ କହିଥିଲେ। ଶେଷରେ ଶ୍ରୀ ଦାସ ସ୍ବରଚିତ ଏକ ଗଳ୍ପ ଓ କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମରେ ଅକାଦେମିର ଓଡ଼ିଆ ଉ‌ପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଓ ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଖ୍ୟାତ କବି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ପ୍ରତିଭା ଶତପଥୀ, ରାଜେନ୍ଦ୍ର କିଶୋର ପଣ୍ଡା, ଅମରେଶ ପଟ୍ଟନାୟକ, ଆଦିକନ୍ଦ ସାହୁ, ଧନେଶ୍ବର ସାହୁ, ଅର୍ଚ୍ଚନା ନା‌ୟକ, ମହେନ୍ଦ୍ର ପ୍ରତାପ, ସୁନନ୍ଦା ପ୍ରଧାନ ଓ କ୍ଷେତ୍ରବାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ‌ଶେଷରେ ଡ. ଦାସ ପାଠକମାନଙ୍କ କିଛି ପ୍ରଶ୍ନର ଉତ୍ତର ରଖିଥିଲେ। ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପ୍ରଫେସର ବିଜୟ କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର