ସାହିତ୍ୟ ଅକାଦେମି ପୁରସ୍କାର : ବାଲ୍‌ ସାହିତ୍ୟରେ ରାମଚନ୍ଦ୍ର; ଯୁବ ବର୍ଗରେ ଚନ୍ଦ୍ରଶେଖର

ଜୟରାମ ଟୁଡୁଙ୍କ ସାନ୍ତାଳୀ ଭାଷାରେ ବାଲ୍‌ ସାହିତ୍ୟ ପୁରସ୍କାର

ଭୁବନେଶ୍ବର : ଆଜି ଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଆଜି ଘୋଷଣା ହୋଇଛି। ଓଡ଼ିଆ ଭାଷାର ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବାବେଳେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା ଚଳିତବର୍ଷର ‘ଯୁବ ପୁରସ୍କାର’ ପାଇବେ। ସେହିଭଳି ଜୟରାମ ଟୁଡ଼ୁଙ୍କୁ ସାନ୍ତାଳୀ ଭାଷାରେ ‘ବାଲ୍‌ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି। କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ଏହି ଘୋଷଣା କରିଛନ୍ତି।

ରାମଚନ୍ଦ୍ର ନାୟକଙ୍କୁ ତାଙ୍କ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ଓ ଚନ୍ଦ୍ରଶେଖର ହୋତାଙ୍କୁ ତାଙ୍କ ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ବେଷଣ’ ପାଇଁ ଏହି ପୁରସ୍କାର ମିଳିବ। ବାଲ୍‌ ସାହିତ୍ୟ ପୁରସ୍କାର-୨୦୨୦ ପାଇଁ ଚଳିତ ବର୍ଷ ବିଚାରକ ଭାବେ ବୀରେନ୍ଦ୍ର ମହାନ୍ତି, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ଓ ପ୍ରୀତିଧାରା ସାମଲ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସେହିଭଳି ‘ସାହିତ୍ୟ ଅକାଦେମି ଯୁବ ପୁରସ୍କାର’ ପାଇଁ ବିପିନ ବିହାରୀ ନାୟକ, ପ୍ରଫେସର ରାଜକିଶୋର ମିଶ୍ର ଓ ସଂଘମିତ୍ରା ମିଶ୍ର ପ୍ରମୁଖ ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ।

ସାମଗ୍ରିକ କୃତିତ୍ବ ପାଇଁ ୧୯୮୫ ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାସ୍ଥିତ ଗୁର୍ଜିଭଟାରେ ଜନ୍ମିତ ସାହିତ୍ୟିକ ଚନ୍ଦ୍ରଶେଖର ହୋତା ଏବେ ନବରଙ୍ଗପୁରର ଡିଏସ୍‌ପି ଭାବେ କାର୍ଯ୍ୟରତ। ପୂର୍ବରୁ ତାଙ୍କର ଲିଖିତ ସ୍ତମ୍ଭ ଖବରକାଗଜର ପୃଷ୍ଠା ମଣ୍ଡନ କରିଛି। ପାଠକୀୟତାକୁ ଗୁରୁତ୍ବ ଦେଉଥିବା ଲେଖକ ଶ୍ରୀ ହୋତା ନିଜ କବିତାକୁ କବିତାମୟ କରିବାରେ ସଦା ଚେଷ୍ଟିତ। ତାଙ୍କ ପ୍ରବନ୍ଧାବଳୀ ବହୁଶାସ୍ତ୍ରଦର୍ଶିତ ଓ ଗଭୀର ଅବରୋଧର ପରିଚାୟକ। ପୁରସ୍କାର ଖବର ପାଇବା ପ୍ରତିକ୍ରିୟାରେ ସେ କହିଛନ୍ତି, ଏହି ପୁରସ୍କାର ପାଇ ମୁଁ ସ୍ବାଭାବିକ ଭାବେ ଅତ୍ୟନ୍ତ ଆନନ୍ଦିତ ଓ ପୁଲକିତ। ତା’ଠାରୁ ଅଧିକ କିନ୍ତୁ ମୁଁ ଶଙ୍କାକୁଳ। ଶଙ୍କାକୁଳ ଏଥିପାଇଁ କାରଣ ଯେଉଁ ବୌଦ୍ଧିକ ଆଶା ଏବେ ମୋ ଉପରେ ନିରୂପିତ ହେଲା ତାକୁ ନିର୍ବାହ କରିବାର ଗୁରୁ ଦାୟିତ୍ବ। ପ୍ରବନ୍ଧ ସାହିତ୍ୟରେ ଏହି ପୁରସ୍କାର ପାଇବାରୁ ମୁଁ ଆହ୍ଲାଦିତ। ‘ଚେତନାର ଅନ୍ବେଷଣ’ ପ୍ରବନ୍ଧ ପୁସ୍ତକଟି ଫ୍ରେଣ୍ଡ୍‌ସ୍‌ ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛି। ଏଥିରେ ୧୦ଟି ପ୍ରବନ୍ଧ ସନ୍ନିବେଶିତ। ନିରବତାର ଦୁଃଖ, ଯନ୍ତ୍ରଣାର ଆନନ୍ଦ, ଶ୍ରଦ୍ଧାର ସଂଜ୍ଞା ଓ ଭାରତର ବିଭିନ୍ନ ବିଭାଗ ବିଷୟରେ ଏହି ପୁସ୍ତକରେ ପ୍ରବନ୍ଧ ସ୍ଥାନ ପାଇଛି। ଶ୍ରୀ ହୋତାଙ୍କୁ ଅକାଦେମି ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ସ୍ବରୂପ ଏକ ତାମ୍ର ଫଳକ ସହିତ ୫୦ ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ମାନିତ କରାଯିବ।

୧୯୫୦ ମସିହା ଜୁନ୍ ୨୨ ତାରିଖରେ ଅତାସାହି ଗ୍ରାମର ସ୍ବର୍ଗତ ଭାଗୀରଥି ନାୟକ, ସ୍ବର୍ଗତା ଚମ୍ପାବତୀ ନାୟକଙ୍କ ଜ୍ୟେଷ୍ଠପୁତ୍ର ଡ. ନାୟକଙ୍କ ପଞ୍ଚମ ଶ୍ରେଣୀରେ ପଢ଼ିବାବେଳେ ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପ୍ରଶିକ୍ଷକ ରହିଥିବା ଡ. ନାୟକ ଦୀର୍ଘ ୫୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସାହିତ୍ୟ ସାଧନା କରିବା ପରେ ତାଙ୍କୁ ଏହି ସଫଳତା ମିଳିଛି। ସେହିଭଳି ଶ୍ରୀ ନାୟକ ପ୍ରତିକ୍ରିୟାରେ କହିଛନ୍ତି, ‘ଓଡ଼ିଶାର ଅଗଣିତ ଶିଶୁଙ୍କୁ ନିଶ୍ଚିତଭାବେ ଏହି ପୁରସ୍କାରର ଶ୍ରେୟ ଦେବି।’

ପୁରସ୍କାର ଘୋଷଣା ସମୟରେ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର