ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

ଭୁବନେଶ୍ବର: ଗଙ୍ଗାଧର ରଥ ଫାଉଣ୍ଡେସନ ଦ୍ବାରା ମର୍ଯ୍ୟାଦା ଜନକ ‘ସାହିତ୍ୟ ଭାରତୀ ସମ୍ମାନ: ୨୦୨୧’ ପାଇଁ ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ଅର୍ପଣ କରାଯିବା ପାଇଁ ସ୍ଥିର କରାଯାଇଛି। ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଆଦି କ୍ଷେତ୍ରରେ ସେ ପ୍ରତିଷ୍ଠିତ ହେବା ସହିତ ଓଡ଼ିଆ ପାଠକମାନଙ୍କ ନିକଟରେ ଜଣେ ପ୍ରଶାସକ ତଥା ଓଡ଼ିଆ ସଂସ୍କୃତି ଦିଗରେ ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି।

ଏହି ଅନବଦ୍ୟ ଅବଦାନ ପାଇଁ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ କୋଣାର୍କ ମନ୍ଦିରର ଏକ ‌ରୌପ୍ୟ ପ୍ରତିରୂପ ସହିତ ଏକ ଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରାଯିବ। ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ଏବର୍ଷ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ଚିତ୍ରଶିଳ୍ପୀ ଡକ୍ଟର ଯଦୁନାଥ ପ୍ରସାଦ ଦାସଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ସହିତ ଡକ୍ଟର ଦାସଙ୍କୁ ଏକ ରୌପ୍ୟ ଫଳକ ଓ ମାନପତ୍ର ପ୍ରଦାନ କରାଯିବ।

କାବ୍ୟ ସାହିତ୍ୟରେ ବିଶେଷ ପରାକାଷ୍ଠା ପାଇଁ ବିଶିଷ୍ଟ କବି ଶ୍ରୀ ସଦାଶିବ ଦାଶଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଏବଂ କଥାକାର ଶ୍ରୀମତୀ ସରୋଜିନୀ ସାହୁଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ସ୍ବରୂପ ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯିବ। କଥାକାର ଶ୍ରୀ ଚିତ୍ତରଞ୍ଜନ ଚିରଞ୍ଜିତ ଓ କବି ଶ୍ରୀ ମନୋଜ ମେହେରଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ସ୍ବରୂପ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯିବ।

ଆସନ୍ତା ଏପ୍ରିଲ ୪ ତାରିଖ (ରବିବାର) ସନ୍ଧ୍ୟା ୬.୩୦ ଘଟିକା ସମୟରେ କଟକସ୍ଥିତ କଳା ବିକାଶ କେନ୍ଦ୍ରଠାରେ ଆୟୋଜିତ ସାରସ୍ବତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶା ହାଇକୋର୍ଟର ସମ୍ମାନନୀୟ ମୁଖ୍ୟ ବଚାରପତି ଡଃ ଏସ.ମୁରଲୀଧର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିଭାଧାରୀମାନଙ୍କୁ ସମ୍ମାନୀତ କରିବେ। ମୁଖ୍ୟବକ୍ତା ଭାବରେ ଡକ୍ଟର ସଂଘମିତ୍ରା ମିଶ୍ର ଯୋଗ ଦେବେ। ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ଏହି ସଭା‌ରେ ପୌରୋହିତ୍ୟ କରିବେ। ସ୍ମରଣଯୋଗ୍ୟ ଯେ ୧୯୯୬ରୁ ଗଙ୍ଗାଧର ରଥଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ସମ୍ମାନରେ ବହୁ ଯୋଗ୍ୟ ବ୍ୟକ୍ତି ସମ୍ମାନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର