ଭଲଲୋକଙ୍କ ଘର ହେଉ ସାହିତ୍ୟଘର: ସୌମ୍ୟରଞ୍ଜନ 

ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘର ଦ୍ବିତୀୟ ବାର୍ଷିକ ଉତ୍ସବ

ରଗଡ଼ି: ପ୍ରତ୍ୟେକ ଭଲ ଲୋକଙ୍କ ଘର ହେଉ ସାହିତ୍ୟଘର। ଆଉ ସେହି ଘରର ସଦସ୍ୟମାନେ ଦରଦୀ ହୁଅନ୍ତୁ। ସାଧାରଣ ଲୋକଙ୍କ ଭାଷା ଓ ଭାବକୁ ବୁଝନ୍ତୁ। କାରଣ ଭାଷା ଓ ଭାବକୁ ନେଇ ସାହିତ୍ୟରେ ଖେଳହୁଏ। ଯେଉଁଠି ଭାବ ନାହିଁ, ସେଠାରେ ସାହିତ୍ୟ ଜୀବନ୍ତ ହୁଏନାହିଁ। ସାଧାରଣ ଲୋକଙ୍କ କଥା ଚିନ୍ତାକଲେ ସାହିତ୍ୟ ଅଧିକ ସଫଳ ତଥା କାଳଜୟୀ ହେବ। ସେହିପରି ସମୂହ ହିତ ସାଧନ ଯେଉଁଠି ହେଉନି, ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ସାହିତ୍ୟିକ ଅହଙ୍କାରୀ ହେଲେ ସୃଷ୍ଟି ନଷ୍ଟ ହୁଏ ବୋଲି ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ଦ୍ବିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀପଟ୍ଟନାୟକ ଏହି ଭବ୍ୟ ଉତ୍ସବରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆୟୋଜିତ ପରିବେଶ ଖୁବ୍‌ ସୁନ୍ଦର ହୋଇଛି ବୋଲି କହିଥିଲେ। ତେବେ ବାହ୍ୟ ଆଡ଼ମ୍ବରପୂର୍ଣ୍ଣ ପରିବେଶ ତୁଳନାରେ ଆନ୍ତରିକ ଭାବାବେଗପୂର୍ଣ୍ଣ ପରିବେଶ ଅଧିକ ଆବଶ୍ୟକ ବୋଲି ସେ କହିଥିଲେ। ଭାବଗତ ସଂପର୍କ ଆମ ପାଇଁ ଜରୁରୀ। ସାହିତ୍ୟଘର ପକ୍କାଘର ହେବା ଜରୁରି ନୁହଁ, ତାହା ଛୋଟ ଘର ହେଉ ବରଂ ସେଥିରେ ଭାବର ବନ୍ୟା ହେଉ। ସେମିତି ଓଡ଼ିଆ ଭାଷା ଦୁର୍ଦିନରେ ଅଛି ବୋଲି କହିବା ସମସ୍ତଙ୍କର ଅଭ୍ୟାସ ହୋଇଗଲାଣି। ଭାଷା ଆମ ସମସ୍ତଙ୍କର। ଓଡ଼ିଆ ଭାଷାରେ ସାହିତ୍ୟିକ ଯେତିକି ଉପରକୁ ଯାଉଛନ୍ତି, ସାହିତ୍ୟ ସେତେ ଉପରକୁ ଉଠୁନାହିଁ। କବିତା ପୁସ୍ତକ ବଣ୍ଟାଯାଉଛି। ପୁସ୍ତକ ବିକିବାକୁ କି କିଣିବାକୁ କେହି ରାଜି ନୁହନ୍ତି। ବହି ବିକ୍ରି ହେଉନାହିଁ ବୋଲି ସାହିତ୍ୟ ବଞ୍ଚିବନି କୁହାଯାଇ ପାରିବନି। ସାହିତ୍ୟ ମାନେ କେବଳ ଗଳ୍ପ ଓ କବିତା ନୁହେଁ। କବିତା ପାଠର ଶେଷ ଆବୃତ୍ତିଯାଏ ‌ଅପେକ୍ଷା କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ନୂଆ ଚିନ୍ତା କରିବା, ପୁରୁଣା ଚିନ୍ତା ଛାଡ଼ିବାର ସମୟ ଆସିଯାଇଛି। କୋଭିଡ୍‌ ଆମକୁ ଏକଥା ଚେତାଇ ଦେଇଛି ବୋଲି ସେ କହିଥିଲେ। ମଣିଷ ଏକ ସାମାଜିକ ପ୍ରାଣୀ, କିନ୍ତୁ ଏବେ ସାମାଜିକ ଦୂରତା ମୂଳମନ୍ତ୍ର। ତେଣୁ ନୂଆ କଳ୍ପନା ନେଇ ଆଗକୁ ବଢ଼ିବା। ବିଜ୍ଞାନ ଓ ପ୍ରଯୁକ୍ତି ଦ୍ବାରା ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି। କାଳଜୟୀ ସାହିତ୍ୟର ଦୃଷ୍ଟାନ୍ତ ଦେଇ ‌ଶ୍ରୀପଟ୍ଟନାୟକ ରାମାୟଣ ଓ ମହାଭାରତର ଅବତାରଣା କରିଥିଲେ। କିପରି ଏହି ଧାରାବାହିକର ପ୍ରସାରଣ ସମୟରେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଥିଲା ଉଦାହରଣ ଛଳରେ ଦର୍ଶାଇଥିଲେ। ସେହିପରି ସାହିତ୍ୟିକମାନେ ଭଲ ରାଜନୀତି କରିପାରିବେ। ଆମେ ରାଜନୀତିରୁ ଊର୍ଦ୍ଧ୍ବରେ ବୋଲି କହିବା ଅହମିକା ମାତ୍ର। ଗଣତନ୍ତ୍ରରେ ସବୁଠି ରାଜନୀତି ରହିବ। ସାହିତ୍ୟ ନିଆଁ ଲଗାଇପାରେ, ମନର ନିଆଁକୁ ଶାନ୍ତ କରିପାରେ ‌ବୋଲି ସେ ପ୍ରକାଶ କରିଥିଲେ। ଏ ଅବସରରେ ନିଆଁ ଲିଭାଳି (ଅଗ୍ନିଶମ ଅଧିକାରୀ) ଓ ଚିକିତ୍ସକ (ଡାକ୍ତର)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ସେ ପ୍ରଶଂସା କରିଥିଲେ। ପ୍ରତ୍ୟେକ ପରସ୍ପର ସହ ଏଭଳି ଯୋଡ଼ିହେବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଅନାବିଳ ସଂପର୍କ ରଖିବା ଉପରେ ସେ ଗୁରୁତ୍ବ ଦେଇଥିଲେ।

କୋରେଇ ବ୍ଲକ୍‌ ଅନ୍ତର୍ଗତ ରଗଡ଼ି ନଗୁଆଁସ୍ଥିତ ମିଲନ ମଣ୍ଡପରେ ଆୟୋଜିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ବର୍ଷୀୟାନ ରାଜନେତା ତଥା ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ସେ କହିଥିଲେ ଯେ, ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ। କେବଳ ଲେଖାଲେଖି କରୁଥିବା ‌ଲୋକ ଯେ ସାହିତ୍ୟିକ ତାହା ନୁହେଁ। ପ୍ରଚୁର ପଢ଼ୁଥିବା ତଥା ଲେଖା ଓ ଲେଖକଙ୍କୁ ଭଲପାଉଥିବା ଲୋକ ମଧ୍ୟ ଜଣେଜଣେ ସାହିତ୍ୟିକ। ସମସ୍ତେ ଓଡ଼ିଆ କହନ୍ତୁ, ପଢ଼ନ୍ତୁ ଓ ଲେଖନ୍ତୁ। ନିଜ ଘରୁ ଭାଷା ବଞ୍ଚାଇବାର ସଂକଳ୍ପ ନିଅନ୍ତୁ। ସଙ୍କଟରେ ଥିବା ଭାଷାକୁ ବଞ୍ଚାଇ ରଖିବା ଦାୟିତ୍ବ ଆମ ସମସ୍ତଙ୍କର ବୋଲି ସେ କହିଥିଲେ। ୩୫୬ଟି ସାହିତ୍ୟଘର ଶାଖା କାର୍ଯ୍ୟ କରୁଥିବା ଜାଣି ସେ ଆନନ୍ଦିତ ଓ ସାହିତ୍ୟର ଆଦର ବଢ଼ୁଛି ବୋଲି କହିଥିଲେ। ପରିଚୟ ବଢ଼ାଇବାରେ ସାହିତ୍ୟଘରର ବଡ଼ ଭୂମିକା ଅଛି ବୋଲି ସେ କହିଥିଲେ। ଭାଷା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସେ ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟବକ୍ତା ରେରା ସଦସ୍ୟ ତଥା ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ କୁମାର ବିଶ୍ବାଳ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାର ଅଭିନବ ଉଦ୍ୟମ ସମ୍ବାଦ ସାହିତ୍ୟଘର ବୋଲି କହିଥିଲେ। ସମ୍ମାନିତ ଅତିଥି ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବାଦ ସାହିତ୍ୟଘର ଏକ ବୃହତ୍‌ ପରିବାର ଏବଂ ଆମେ ପୁଣି ଆସନ୍ତାବର୍ଷ ଏକାଠି ହେବା ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯାଜପୁରରୋଡ୍‌ ଅଗ୍ନିଶମ ଅଧିକାରୀ ସୌରଭ ରାଉତ, ଡାକ୍ତର ରବିନାରାୟଣ ସେନାପତି, ଯୁବ ସମାଜସେବୀ ଅକ୍ଷୟ କୁମାର ଜେନା, ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର, ଅଧ୍ୟାପିକା ସରିତା ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପାଦକୀୟ ବିବରଣୀ ପାଠ କରିଥିଲେ ସାହିତ୍ୟଘର ସଂପାଦିକା ଧରିତ୍ରୀ ରାଉତ। ସାହିତ୍ୟଘର ସଭାପତି ଅର୍ଜୁନ ଚରଣ ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାୟତ୍ରୀ ନାୟକ କବିତା ମାଧ୍ୟମରେ ସାହିତ୍ୟଘର କର୍ମକର୍ତ୍ତା ତଥା ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ସଭା ସଂ‌ଚାଳନ କରିଥିଲେ ଅଧ୍ୟାପିକା ସରିତା ପୃଷ୍ଟି। ଅତିଥି ପରିଚୟ ଦେଇଥିଲେ ‘ସମ୍ବାଦ’ ସହ ସଂପାଦକ ପ୍ରଦୀପ କୁମାର ଦାସ। ଅଦିତି ଉପାସନା ପଟ୍ଟନାୟକ, ସ୍ଥିତିପ୍ରଜ୍ଞା ବୋଇତାଇ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ବରିଷ୍ଠ ସଦସ୍ୟ ରଘୁନାଥ ଶତପଥୀ ବେଦପାଠ କରିଥିଲେ। ଅସ୍ମିତା ନାୟକ ମାନପତ୍ର ପାଠ କରିଥିଲେ। ଧନ୍ୟବାଦ ଦେଇଥିଲେ ରଗଡ଼ି ‘ସମ୍ବାଦ’ ପ୍ରତିନିଧି ତଥା ସାହିତ୍ୟଘର ସଂଯୋଜକ ପୀତବାସ ଭୂୟାଁ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ ଯାଜପୁର ସଂସ୍କରଣର ଏଜିଏମ୍ (ନ୍ୟୁଜ) ପ୍ରଦୀପ ମହାପାତ୍ର, ମୁଖ୍ୟ ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅମୂଲ୍ୟବାଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ମାତାଜୀ ‌ଆଏଚ, ସମିତିସଭ୍ୟା ମମତାରାଣୀ ଘଡ଼ାଇ, ବ୍ୟାସନଗର ସମ୍ବାଦ ସାହିତ୍ୟଘର ସଭାପତି ସଂଯୁକ୍ତା ମହାପାତ୍ର, ଦାନଗଦୀ ସମ୍ବାଦ ସାହିତ୍ୟଘର ସମ୍ପାଦିକା ଯୁଗପ୍ରଭା ସାବତ, କାହ୍ନୁଚରଣ ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମୋହନ ଚରଣ ଖୁଣ୍ଟିଆ, ସମ୍ବାଦ ସାହିତ୍ୟଘରର ଉପଦେଷ୍ଟା ହୃଷୀକେଶ ସାହୁ, ଗୋପାଳ ଚରଣ ସାହୁ, ସୁଧାଂଶୁ ଶେଖର ସାହୁ, ମଦନ ମୋହନ କର, ଉପସଭାପତି ପ୍ରମୋଦିନୀ ଧଳ, କୋଷାଧ୍ୟକ୍ଷ ବିଶ୍ବନାଥ ଗୁରୁ, ଗଦାଧର ଭୂୟାଁ, ଅମୂଲ୍ୟ ବାରିକ, ଅମୂଲ୍ୟ ନାୟକ ଆର୍ତ୍ତଚରଣ ମଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଦ୍ବିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର