ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟରେ ଥିବା କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଷଡ଼ଯନ୍ତ୍ର ଶିକାର ହୋଇଥିବା ନେଇ କିଛି ଦିନ ହେଲା କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀ ଯେଉଁ ଆଶଙ୍କା ପ୍ରକାଶ କରୁଥିଲେ, ତାହା ସତ ହେଲା। ଭବାନୀପୁରସ୍ଥ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସରୁ ଆଥଲେଟିକ୍ ଓ ତୀରଚାଳନା ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅନ୍ୟତ୍ର ସ୍ଥାନାନ୍ତର କରିନିଆଯାଇଛି। ଏସମ୍ପର୍କିତ ଚିଠି କେନ୍ଦ୍ରରେ ପହଞ୍ଚି ସାରିଥିବା ସୂଚନା ମିଳିଛି। ଏବେ ‘ସାଇ’ରେ ଜିଲ୍ଲାର ଖେଳାଳି କେବଳ ହକି ପ୍ରଶିକ୍ଷଣ ନେବେ।
ବର୍ଷେ ତଳେ ଭବାନୀପୁରସ୍ଥ ରାଜ୍ୟ କ୍ରୀଡ଼ା ଛାତ୍ରାବାସରୁ ସମ୍ପୂର୍ଣ୍ଣ ବାଳକ ବିଭାଗକୁ ପାନପୋଷ ଏବଂ ଆଥଲେଟିକ୍କୁ ଭୁବନେଶ୍ବର ଉଠାଇ ନିଆଯାଇଥିବା ବେଳେ ଏବେ ‘ସାଇ’ରୁ ଦୁଇ ଦୁଇଟି ତାଲିମ ବ୍ୟବସ୍ଥା ଅନ୍ୟତ୍ର ଉଠାଇ ନିଆଯିବା ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ତେବେ ବିଡ଼ମ୍ବନାର ବିଷୟ, ସୁନ୍ଦରଗଡ଼ ମୁଖ୍ୟାଳୟର କ୍ରୀଡ଼ା କ୍ଷେତ୍ରକୁ ଦୁର୍ବଳ କରିବାକୁ ଅହରହ ଚକ୍ରାନ୍ତ ଚାଲିଥିବା ଓ ତାକୁ ଅତି ସହଜ ବା ବିନା ବାଧାରେ କାର୍ଯ୍ୟକାରୀ କରି ନିଆଯାଉଥିଲେ ମଧ୍ୟ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧିମାନେ ମୁହଁ ଖୋଲୁ ନାହାନ୍ତି। ହକି ଓ ଅନ୍ୟ କ୍ରୀଡ଼ାକୁ ନେଇ ସାରା ଦେଶରେ ସୁନ୍ଦରଗଡ଼ର ଯେଉଁ ସୁନାମ ରହିଛି, ଯେଉଁ ସୁନାମଧନ୍ୟ ଖେଳାଳିମାନଙ୍କୁ ନେଇ ଜିଲ୍ଲା ଓ ରାଜ୍ୟ ବାହାରେ ଲୋକ ପ୍ରତିନିଧି, ନେତା ଗର୍ବରେ ଛାତି ଫୁଲାନ୍ତି, ସେହି ସୁନାମକୁ କାଏମ ରଖିବା ପାଇଁ ସେମାନେ ଗୁରୁ ଦାୟିତ୍ବ ବହନ କରିବା କଥା। କିନ୍ତୁ ଏଠି କ୍ରୀଡ଼ା ଷଡ଼ଯନ୍ତ୍ର ବିରୋଧରେ ଶାସକ, ବିରୋଧୀ ସମସ୍ତେ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି।
ଉଲ୍ଲେଖଯୋଗ୍ୟ, ୨୦୦୨ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ପ୍ରତିଷ୍ଠିତ ‘ସାଇ’ ଛାତ୍ରାବାସରେ ହକି, ତୀରଚାଳନା ଓ ଆଥଲେଟିକ୍ ପ୍ରଶିକ୍ଷଣ ଦିଆଯାଇ ଆସୁଛି। ଏଠାରୁ ବିକାଶ ଟପ୍ପୋ, ରୋଶନ ମିଞ୍ଜ, ଦୀନେଶ ଏକ୍କା, ବେଏସଜର ହରୋ, ମନଦୀପ କୁଲ୍ଲୁ, ଭାରତୀୟ ଦଳର ସୁମନ ବେକ୍ ଓ ଅଲିମ୍ପିଆନ ଦୀପଗ୍ରେସ ଏକ୍କା ପରି ହକିର ଅନେକ ସୁନାମଧନ୍ୟ ପ୍ରତିଭା ସୃଷ୍ଟି। କିନ୍ତୁ ‘ସାଇ’ ପ୍ରତିଷ୍ଠାର ୨୦ ବର୍ଷ ପରେ ଏଠାକାର କ୍ରୀଡ଼ା ଭିତ୍ତିଭୂମି କ୍ରମଶଃ ବିକାଶମୁଖୀ ହେବା ବଦଳରେ ଦୁର୍ବଳ ହୋଇଚାଲିଛି। ୨୦୦୭ରେ ଏଠାରେ ହକି ପାଇଁ ତିଆରି ହୋଇଥିଲା ଆଷ୍ଟ୍ରୋଟର୍ଫ। ତାର ଆୟୁଷ ମାତ୍ର ୭ ବର୍ଷ ଥିଲା। ଯାହା ଏବେ ନଷ୍ଟ ହୋଇଗଲାଣି। ଏହା ମଧ୍ୟରେ ୧୫ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ନୂଆ ଟର୍ଫ ଲଗାଇବା ନେଇ ସାଇ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁ ନଥିବାରୁ ସେହି ଦଦରା ଟର୍ଫରେ ଖେଳାଳିମାନେ ଭାଗ୍ୟକୁ ଆଦରି ପ୍ରଶିକ୍ଷଣ ନେଉଛନ୍ତି। ଏସ୍ଥିତିରେ ଆଥଲେଟିକ୍ ଓ ତୀରଚାଳନା ପ୍ରଶିକ୍ଷଣ ବ୍ୟବସ୍ଥାକୁ ଉଠାଇ ନିଆଯାଇ ‘ସାଇ’କୁ କେବଳ ବାଳିକା ଓ ବାଳକ ବର୍ଗ ହକି ପ୍ରଶିକ୍ଷଣରେ ସୀମିତ ରଖାଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ୧୯୯୭ରେ ସୁନ୍ଦରଗଡ଼ ଭବାନୀଶଙ୍କର ଉଚ୍ଚବିଦ୍ୟାଳୟରେ ପ୍ରତିଷ୍ଠିତ ଏବଂ ୨୦୦୭ରେ ଭବାନୀପୁରସ୍ଥିତ ନିଜସ୍ବ କ୍ରୀଡ଼ା ଛାତ୍ରାବାସ ପରିସରକୁ ସ୍ଥାନାନ୍ତରିତ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ଦୁର୍ଦ୍ଦଶା ବି ସାଇ ଭଳି ଦୁର୍ବଳ ହେବାରେ ଲାଗିଛି। ୧୦୫ ଏକର ପରିମିତ ଜମିରେ ଗଢ଼ି ଉଠିଥିବା ଏହି ଛାତ୍ରାବାସରେ ଉଭୟ ବାଳିକ ଓ ବାଳିକା ବର୍ଗରେ ୧୩୨ ଖେଳାଳି ହକି, ଫୁଟବଲ, ଆଥଲେଟିକ୍ ଓ ତୀରଚାଳନା ପ୍ରଶିକ୍ଷଣ ନେଉଥିଲେ। କିନ୍ତୁ ବର୍ଷେ ତଳେ ଏଠାରୁ ବାଳକ ବିଭାଗକୁ ପାନପୋଷ ଉଠାଇ ନିଆଯାଇଥିବା ବେଳେ ଆଥଲେଟିକ୍କୁ ଭୁବନେଶ୍ବର ସ୍ଥାନାନ୍ତର କରି ଦିଆଯାଇଛି। ସୁନ୍ଦରଗଡ଼ର ଖେଳାଳିମାନେ ସେଠାକୁ ଯାଇ ପ୍ରଶିକ୍ଷଣ ନେଉଛନ୍ତି। ଅନ୍ୟପଟେ ଫୁଟବଲ ପ୍ରଶିକ୍ଷଣ ପାଇଁ ଭଲ ପଡ଼ିଆଟେ ନାହିଁ। ଚାରିଆଡ଼େ ଗୋଡ଼ି ମୁରୁମ, ଉଠାପକା ଦଦରା ପଡ଼ିଆରେ ଖେଳାଳିମାନେ ତାଲିମ ନେଉଛନ୍ତି। ଖଣ୍ଡିଆ ଖାବରା ହୋଇ ଭାରତୀୟ ଫୁଟବଲରେ ସ୍ଥାନ ପାଇଥିଲେ ମଞ୍ଜୁ ଗଂଜୁ ଓ ସୁସ୍ମିତା ତନ୍ତୀ। ଏହା ଛଡ଼ା ଅନ୍ତର୍ଜାତୀୟ ଖେଳାଳି ସରିତା ସୋରେଙ୍ଗ ଓ ମନୀଷା ନାଏକଙ୍କ ପରି ଅନେକ ଖେଳାଳି ଏହି ପଡ଼ିଆରୁ ତିଆରି। ହକି ପ୍ରଶିକ୍ଷଣରେ ମଧ୍ୟ ବହୁ ବର୍ଷ ଧରି ଦୁର୍ଦ୍ଦଶା ଭୋଗିଥିଲେ ଖେଳାଳି। ସାଇ ଛାତ୍ରାବାସର ଆଷ୍ଟ୍ରୋଟର୍ଫର ଦୟାରେ ୧୫ ବର୍ଷ ଧରି ହକି ପ୍ରଶିକ୍ଷଣ ନେଇଥିଲେ। ବହୁ ବର୍ଷ ପରେ ନିକଟରେ ବାଳିକା ଖେଳାଳିମାନଙ୍କ ପାଇଁ ଏକ ଆଷ୍ଟ୍ରୋଟର୍ଫ ତିଆରି ହୋଇଛି। ତେବେ ଚରମ ଅବହେଳା ଓ ଉପେକ୍ଷା ମଧ୍ୟରେ ଗୋଟିଏ ପରେ ଗୋଟିଏ କ୍ରୀଡ଼ା ତାଲିମ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ଏହି କ୍ରୀଡ଼ା କ୍ଷେତ୍ର ଏବେ ଶ୍ରୀହୀନ ହୋଇଯାଇଛି କହିଲେ ଭୁଲ୍ ହେବ ନାହିଁ।