ଚିଟ୍‌ଫଣ୍ଡ ଠକେଇ: ସାଇ ସମୃଦ୍ଧି ମୁଖ୍ୟଙ୍କୁ ୫ ବର୍ଷ ଜେଲ୍‌

କଟକ : ସାଇ ସମୃଦ୍ଧି ରିଅଲକନ୍ ଇଣ୍ଡିଆ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ସଂଦୀପ କୁମାର ଦାସଙ୍କୁ ଜମାକାରୀଙ୍କ ଅର୍ଥ ହଡପ ମାମଲାରେ କଟକ ସ୍ବତନ୍ତ୍ର ‌ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ସନ୍ଦୀପଙ୍କୁ ଓଡିଶା ପ୍ରୋଟେକସନ ଅଫ୍‌ ଇଣ୍ଟରେଷ୍ଟସ ଅଫ୍‌ ଡିପୋଜିଟର୍ସ (ଇନ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ)ର ଧାରା ୬ରେ ୫ ବର୍ଷ ଜେଲ, ୧ ଲକ୍ଷ ଟଙ୍କା ଜରିମାନା, ଆଇପିସର ଦଫା ୪୨୦ରେ ୫ ବର୍ଷ ଜେଲ୍ ୧୦ ହଜାର ଟଙ୍କା ଜରିମାନା ଦଣ୍ତାଦେଶ ପ୍ରଦାନ କରାଯାଇଛି। ଦୁଇଟି ଯାକ ଦଣ୍ଡ ଏକା ସହିତ ସେ ଭୋଗ କରିବେ। ଜରିମାନା ରାଶି ନ ଦେଲେ ତାଙ୍କୁ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ ସାଇ ସମୃଦ୍ଧି ସଂସ୍ଥା ଉପରେ ଅଦାଲତ ୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଅର୍ଥ ଯଦି ଅନାଦେୟ ହୁଏ ତେବେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏକ ବର୍ଷ ଜେଲଦଣ୍ଡ ଭୋଗ କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫ରେ ପୁରୀଘାଟ ଥାନାରେ ସାଇ ସମୃଦ୍ଧି ରିଅଲକନ୍ ଇଣ୍ଡିଆ ଲିମିଟେଡ୍ ସଂସ୍ଥା ବିରୋଧରେ ଜମାକାରୀଙ୍କୁ ଠକେଇ ନେଇ ଅଭିଯୋଗ ହୋଇଥିଲା। ବିଭିନ୍ନ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମା ରାଶିର ଦୁଇ ଗୁଣ ପ୍ରଦାନ କରାଯିବ ବୋଲି ସଂସ୍ଥା ତରଫରୁ କୁହାଯାଇ ଅର୍ଥ ସଂଗ୍ରହ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜମାକାରୀଙ୍କ ଅର୍ଥ ଫେରସ୍ତ ଦିଆଯାଇ ନଥିଲା। ସଂସ୍ଥା ତରଫରୁ ଜମାକାରୀଙ୍କୁ ପ୍ରଦାନ କରାଯାଇଥିବା ପୋଷ୍ଟଡେଟେଡ୍ ଚେକ୍ ବାଉନ୍ସ ହୋଇଥିଲା। ଜମାକରୀ ହତାଶ ହୋଇ ପୁରୀଘାଟ ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୁରୀଘାଟ ଥାନାର ତତ୍କାଳୀନ ଆଇଆଇସି ତାପସ ପ୍ରଧାନ ଘଟଣାର ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ। ଏହାପରେ ଚିଟଫଣ୍ଡ ମାମଲାର ଶୁଣାଣି ପାଇଁ ଗଠିତ ସ୍ବତନ୍ତ୍ର ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ଅଦାଲତରେ ତଦନ୍ତକାରୀ ଅଧିକାରୀ ଓ କ୍ଷତିଗ୍ରସ୍ତ ଜମାକାରୀଙ୍କ ସମେତ ୧୦ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତଦନ୍ତ ସମୟରେ ଜବତ କରାଯାଇଥିବା ବିଭିନ୍ନ ନଥିପତ୍ର ଦାଖଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର