ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି। ସାତ ଦଶନ୍ଧି ଧରି ବିସ୍ଥାପିତ ପରିବାର ନିଯୁକ୍ତି ପାଇଁ ସଂଘର୍ଷ ଜାରି ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅଛନ୍ତି ୧୬୩ ପରିବାର। ଦ୍ବିତୀୟ ପର୍ଯ୍ୟାୟରେ ରହିଛନ୍ତି ୧୦୯୮ ପରିବାର। ହେଲେ ଆଜି ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ଜଣକୁ ହେଲେ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିନି। ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରସ୍ତରରେ ଅନେକବାର ଉଚ୍ଚସ୍ତରୀୟ ବୈଠକ ବସିଛି। ନିଯୁକ୍ତି ପ୍ରତିଶ୍ରୁତି ମିଳିଛି। ହେଲେ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପିର ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିପାରୁନି।

Advertisment

ଗତ ୨୦୨୩ ସେ‌ପ୍ଟେମ୍ବର ୧୩ରେ ଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବିସ୍ଥାପିତଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଅଧ୍ୟକ୍ଷତା କରିଥିଲେ ଜାତୀୟ ଅନୁସୂଚିତ ଜନଜାତି ଉପାଧ୍ୟକ୍ଷ ଅନନ୍ତ ନାୟକ। ମାସକ ମଧ୍ୟରେ ପ୍ରକ୍ରିୟା ଆରମ୍ଭ କରିବାକୁ ସେଲ୍‌ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମାସକ ମଧ୍ୟରେ କୌଣସି ପଦକ୍ଷେପ ନିଆ ନଯିବାରୁ ଏସ୍‌ଜିଏସ୍‌ ଉପାଧ୍ୟକ୍ଷ ଶ୍ରୀ ନାୟକ ଆସନ୍ତା ୧୯ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ସେଲ୍‌ର ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବୈଠକରେ ଯୋଗଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ହେବାକୁ ଯାଉଥିବା ଉଚ୍ଚସ୍ତରୀୟ ବୈଠକରେ ବିସ୍ଥାପିତଙ୍କ ନିଯୁକ୍ତି ପ୍ରସଙ୍ଗରେ ବାଟ ଖୋଲିବ ବୋଲି ରାଉରକେଲା ଇସ୍ପାତ କାରଖାନା ଓ ମାର୍ଶଲିଂ ୟାର୍ଡ ବିସ୍ଥାପିତ ସଂଘର ସଭାପତି ଲଚ୍ଛୁ ଓରାମ କହିଛନ୍ତି। ସେ କହିଛନ୍ତି, ସଂଘ ପକ୍ଷରୁ ୨୦୦୬ରୁ ଆନ୍ଦୋଳନ ଜାରି ରହିଛି। ଧାରଣା ସହ ଆମରଣ ଅନଶନରେ ବସିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଗେଟ୍‌ରେ ଅନେକ ବାର ତାଲା ମାରିଛନ୍ତି। ରାଉରକେଲାରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବୈଠକ ବସିଛି। ହେଲେ ସମସ୍ୟାର ପୂର୍ଣ୍ଣଚ୍ଛେଦ ପଡି ପାରୁନି।

ଜାତୀୟ ଜନଜାତି କମିଶନ ସେଲ୍‌ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୈଠକ ପରେ ବୈଠକ କରି ଜିଲ୍ଲା ପ୍ରଶାସନ ଦ୍ବାରା ଚିହ୍ନଟ ୧୬୩ ଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ବିସ୍ଥାପିତ ଅବ୍ୟହୃତ ଜାଗାରେ କୌଣସି ପ୍ରକଳ୍ପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ବିସ୍ଥାପିତମାନଙ୍କ ଦୁଃଖ ଶୁଣିବାକୁ ଏମାନଙ୍କ ପାଖରେ ଯେମିତି ସମୟ ନାହିଁ।

ଉଲ୍ଲେଖଯୋଗ୍ୟ, ୧୯୫୫ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ପାଇଁ ସେଲ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୨୦ ହଜାର ଏକରରୁ ଅଧିକ ଜମି ଅଧିଗ୍ରହଣ କରିଥିଲେ। ରାଉରକେଲା, ପୁରୁଣା ରାଉରକେଲା, ଦୁର୍ଗାପୁର, ଛେଣ୍ଡ, ପ୍ରଧାନପାଲୀ, ବାଙ୍କିଆ, ଲୁଆକେରା, ତୁମକେଲା, ହମିରପୁର, ପ୍ରଧାନପାଲୀ, ଟାଙ୍ଗରପାଲି, ବିଜୁବନ୍ଧ, ମନ୍ଦିରା ଡ୍ୟାମ ଆଦି ଅଞ୍ଚଳର ୪୦୯୪ରୁ ଅଧିକ ପରିବାର ବିସ୍ଥାପିତ ହୋଇଥିଲେ। ଭିଟାମାଟି, ଚାଷ ଜମି ହରାଇଥିଲେ। ଏମାନଙ୍କୁ ଯେଉଁସବୁ ସ୍ଥାନରେ ଥଇଥାନ କରାଯାଇଛି, ଅଧିକାଂଶ ଥଇଥାନ କଲୋନି ମୌଳିକ ସୁବିଧା ପାଉନି। ସେପଟେ ଆର୍‌ଏସ୍‌ପି ସହ ଅଧିକାରୀ ଓ କର୍ମଚାରୀଙ୍କ ରହିବା ପାଇଁ କ୍ବାର୍ଟର୍ସ ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ କରିବା ପରେ ୫ ହଜାର ଜମି ବ୍ୟବହାର ହୋଇ ନଥିଲା। ପରେ ଆର୍‌ଏସ୍‌ପି ଅବ୍ୟବହୃ୍ତ ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରି ଦେଇଥିଲେ। ଯେଉଁ ଜମିଗୁଡ଼ିକ ସହର ଓ ଏହାର ଆଖପାଖରେ ପଡିଛି। କେତେକ ଜାଗାରେ ବିଭିନ୍ନ ପ୍ରକାର ପ୍ରକଳ୍ପ ହୋଇଛି। ମାତ୍ର ଅଦ୍ୟାବଧି ଏହି ଜମି ନିଯୁକ୍ତି ପାଇନଥିବା ପରିବାରକୁ ଫେରସ୍ତ କରାଯିବାକୁ କୌଣସି ପ୍ରକାର ବ୍ୟବସ୍ଥା ହେଉ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା, ବିସ୍ଥାପିତଙ୍କ ନାଁରେ ଅନେକ ଲୋକ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଛନ୍ତି। ବିସ୍ଥାପିତ ସଂଘର ଅଭିଯୋଗ ଆଧାରରେ ନିକଟରେ ନିଯୁକ୍ତି ପାଇଥିବା କିଛି ଆର୍‌ଏସ୍‌ପି କର୍ମଚାରୀଙ୍କ କାଗଜପତ୍ର ଯାଞ୍ଚ କରି କାମ ସାରିଦେଇଛନ୍ତି।