ବର୍ଷକୁ ୧୨୭ କୋଟି ସଞ୍ଚୟ ଲକ୍ଷ୍ୟରେ ସେଲ୍‌ର ଭିଆର୍‌ଏସ୍‌

ରାଉରକେଲା : ଶ୍ରମ ଶକ୍ତିର ସୁବିନିଯୋଗ ଓ ମାନବ ସମ୍ବଳ ବ୍ୟୟର ସର୍ବାଧିକ ଉପଯୋଗ ଜରିଆରେ ଖର୍ଚ୍ଚ କାଟ୍‌ ଏବଂ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ଚଳିତ ବର୍ଷ ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌) କାର୍ଯ୍ୟକାରୀ କରିଛି। ପ୍ରଥମ ପର୍ଯ୍ୟାୟରେ ୧୨୬୯ ଜଣ କର୍ମଜୀବୀଙ୍କ ଭିଆର୍‌ଏସ୍‌ ଆବେଦନ ସେଲ୍‌ ବୋର୍ଡ଼ ବୈଠକରେ ଅନୁମୋଦନ ଲାଭ କରିଛି। ସେମାନଙ୍କ ପ୍ରାପ୍ୟ ବା କ୍ଷତିପୂରଣ ବାବଦରେ ୨୫୪ କୋଟି ଟଙ୍କା ଖର୍ଚ୍ଚ ହେବ। ଅର୍ଥାତ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରୁଥିବା କର୍ମଚାରୀମାନେ ମୁଣ୍ଡପିଛା ହାରାହାରି ୨୦ ଲକ୍ଷ ଟଙ୍କା ଲେଖାଏଁ ପାଇବେ। ‘ଭିଆର୍‌ଏସ୍‌-୨୦୧୭’ ନାମରେ ପ୍ରବର୍ତ୍ତିତ ଏହି ଯୋଜନାରେ ଗତ ଜୁନ୍‌ ୧୫ରୁ ନଭେମ୍ବର ୩୦ ମଧ୍ୟରେ ଆବେଦନ ଗ୍ରହଣ କରାଯାଇଥିଲା। ଶେଷରେ ୧୨୬୯ଟି ଆବେଦନକୁ ବୋର୍ଡ଼ ମଞ୍ଜୁରୀ ପ୍ରଦାନ କରିଥିଲେ। ଇସ୍ପାତ ବଜାରର ମାନ୍ଦାବସ୍ଥା ଓ ଅନ୍ୟାନ୍ୟ କାରଣରୁ ସେଲ୍‌ ପରିଚାଳନାଧୀନ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ୫ଟି ସମନ୍ଵିତ ଷ୍ଟିଲ୍‌ ପ୍ଲାଣ୍ଟ ଓ ୩ଟି ସ୍ୱତନ୍ତ୍ର ଷ୍ଟିଲ୍‌ ପ୍ଲାଣ୍ଟ କ୍ରମାଗତ କ୍ଷତିର ସମ୍ମୁଖୀନ ହୋଇ ଆସିଛନ୍ତି। ଏଭଳି ପରିସ୍ଥିତିରେ ସେଲ୍‌ ନୂଆ ଭିଆର୍‌ଏସ୍‌ ଜରିଆରେ ବାର୍ଷିକ ୧୨୭ କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର