ରାଉରକେଲା : ଦେଶରେ କରୋନା ରୋଗୀଙ୍କ ପାଇଁ ବଡ଼ ବିପଦ ସାଜିଛି ଅମ୍ଲଜାନର ଅଭାବ। ଏମଧ୍ୟରେ ଅମ୍ଲଜାନ ନପାଇ ଅନେକ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି। ଦେଶରେ ଏହାର ଅଭାବକୁ ପୂରଣ କରିବାକୁ ରାଜ୍ୟମାନେ ଏକତ୍ରିତ ହୋଇଥିବା ବେଳେ ପରସ୍ପରକୁ ଅମ୍ଲଜାନ ଯୋଗାଇବାରେ ସାହାଯ୍ୟ କରୁଛନ୍ତି। ରାଜ୍ୟରେ ଅମ୍ଲଜାନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବଂ ଅନ୍ୟ ରାଜ୍ୟକୁ ଅମ୍ଲଜାନ ଯୋଗାଇବା ପାଇଁ ଏବେ ସେଲ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିଛି।

Advertisment

ସୂଚନା ମୁତାବକ, ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ପାଇଁ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନର ଅତ୍ୟଧିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ତଥା ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେଲ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିଛି। ବିଓଓ ପ୍ଲାଣ୍ଟ ଓ ନିଜର ଅମ୍ଳଜାନ ପ୍ଲାଣ୍ଟରେ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ କରୁଛି ଆରଏସପି। ଦୁଇଟି ପ୍ଲାଣ୍ଟରେ କର୍ମଚାରୀ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟ କରୁଛନ୍ତି, ଯାହା ଦ୍ବାରା କ୍ରମାଗତ ଭାବରେ ତରଳ ମେଡିକାଲ ଅମ୍ଳଜାନ(ଏଲଏମଓ) ଉତ୍ପାଦନ ହେବ ଏବଂ ମୂଲ୍ୟବାନ ଜୀବନ ବଞ୍ଚିବ। ଓଡ଼ିଶାର ଆବଶ୍ୟକତା ପୂରଣ କରିବା ବ୍ୟତୀତ ଗୁଜୁରାଟ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ, ଦିଲ୍ଲୀ, ହରିୟାଣା, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ଆରଏସପିରୁ ଏଲଏମଓ ଯୋଗାଇ ଦିଆଯାଉଛି। ଏପ୍ରିଲ୍ ମାସରେ, ଆରଏସପିରୁ ଦେଶର ବିଭିନ୍ନ ସ୍ଥାନକୁ ପ୍ରାୟ ୧୭୫୦ଟନ୍ ଏଲଏମଓ ଯୋଗାଇ ଦିଆଯାଇଛି।