ଭୁବନେଶ୍ବର : ବିଶ୍ୱ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀ ଏକାଠି ହେବା ଖୁସିର ବିଷୟ। ଏହା କେବଳ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇବ ତାହା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଓ ସମସ୍ୟା ସମାଧାନର କୌଶଳ ସୃଷ୍ଟି କରିବ ବୋଲି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍ସ୍ (ସାଇମୁନ୍)ର ୧୧ତମ ସଂସ୍କରଣକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ୩୦ହଜାର ବର୍ଗଫୁଟ ବିଶିଷ୍ଟ ‘ବିଜୟ ଇନଡ଼ୋର ଷ୍ଟାଡିୟମ୍’ ଓ ୪୦ ହଜାର ବର୍ଗଫୁଟ୍ ବିଶିଷ୍ଟ ‘ବିଜୟ ମଇଦାନ୍’କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।
ସ୍କୁଲ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଲେ, ଏହି ସମ୍ମିଳନୀ ଆପଣଙ୍କ ଚାରିପାଖରେ ଥିବା ବିଶ୍ୱ, ସମାଜ ଓ ଲୋକଙ୍କୁ ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ବିବିଧ ସଂସ୍କୃତି ଓ ଅଭ୍ୟାସ ଉପରେ ଜ୍ଞାନ ଆମର ବିବିଧତା ପାଇଁ ଗ୍ରହଣୀୟତାକୁ ବୃଦ୍ଧି କରିବା ସହ ବିଶ୍ୱ ଶାନ୍ତି, ସମନ୍ୱୟ ଏବଂ ଅଭିବୃଦ୍ଧିର ଏକ ସାଧାରଣ ଆଭିମୁଖ୍ୟ ଖୋଜିବାରେ ସାହାଯ୍ୟ କରେ। ଏଠାରୁ ପାଇଥିବା ଅନୁଭୂତିଗୁଡ଼ିକ ଆପଣମାନଙ୍କୁ ବିଶ୍ୱସ୍ତରୀୟ ନେତା ହେବାକୁ ଏବଂ ମାନବଜାତି ପ୍ରତି ସକରାତ୍ମକ ଅବଦାନ ପ୍ରଦାନ କରିବା ଦିଗରେ ସହାୟକ ହେବ। ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ ନୂଆ ଦିଗ ଦେବାରେ ସ୍ବର୍ଗତ ବିଜୟ ସାହୁଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଏହି ବିଦ୍ୟାଳୟ ଉଭୟ ଶୈକ୍ଷକ ଓ ଅଣ ଶୈକ୍ଷିକ କ୍ଷେତ୍ରରେ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ମାନ୍ୟତା ପାଇଛି। ବିଦ୍ୟାଳୟ ତା’ର ସଫଳତାର ଜୟଯାତ୍ରା ବଜାୟ ରଖିବା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।
ସାଇ ଇଣ୍ଟରନ୍ୟାସନାଲ୍ର ଚେୟାରପର୍ସନ ଶିଳ୍ପୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇବା ସହ ଯୁବପିଢ଼ିଙ୍କ ପାଇଁ ବିଶ୍ୱ ସମସ୍ୟାର ସମାଧାନ କରିବାରେ ଏହି କାର୍ଯ୍ୟକ୍ରମ ବହୁଳ ଭାବେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ସାଇମୁନ୍ ଏକ ଯୁବ ସମାବେଶ ହୋଇଥିବାବେଳେ ଏଥିରେ ବିଶ୍ୱର ପ୍ରମୁଖ ସମସ୍ୟା ଓ ତା'ର ସମାଧାନ ଉପରେ ଅଧିବେଶନ ମାଧ୍ୟମରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତ ସମେତ ବିଶ୍ୱର ୧୦ଟି ଦେଶର ୮୦୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି ସାମିଲ ହୋଇଛନ୍ତି। ଏହି ସମ୍ମିଳନୀର ବିଶ୍ୱର ଅନେକ ସ୍କୁଲ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମେମୋରିଆଲ୍ ମୁକ ବଧିର ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।
ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି ଆଦି ବିଷୟରେ ଆଲୋଚନା ହୋଇଛି। 'ବସୁଧୈବ କୁଟୁମ୍ବକମ୍' ସାରା ବିଶ୍ୱ ଗୋଟିଏ ପରିବାର ଶୀର୍ଷକ ବାର୍ତ୍ତାଦେଇ ୧୦ଟି ଦେଶର ଛାତ୍ରଛାତ୍ରୀ, ୧୦ଟି କମିଟି ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଶ୍ୱର ବିଭିନ୍ନ ଦେଶରେ ଘଟୁଥିବା ସମସ୍ୟାର ସମାଧାନର ସରଳ ଉପାୟ ଏକ ପୁସ୍ତିକା ଆକାରରେ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯିବ। ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ।