ସରିଲା ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା, ଫେବ୍ରୁଆରିରେ ପ୍ରକାଶ ପାଇବ ଫଳ

ଭୁବନେଶ୍ବର : ଭୁବନେଶ୍ବର ସମେତ ନୂଆ କରି ଆରମ୍ଭ ହେବାକୁ ଥିବା ସମ୍ବଲପୁର ସୈନିକ ସ୍କୁଲରେ ନାମଲେଖା ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ଓଡ଼ିଶାର ୮ଟି ସେଣ୍ଟରରେ ହୋଇଥିବା ଏହି ପ୍ରବେଶିକା ପରୀକ୍ଷାରେ ସୈନିକ ସ୍କୁଲ, ଭୁବନେଶ୍ବର ନିମନ୍ତେ ଷଷ୍ଠ ଶ୍ରେଣୀ ପାଇଁ ୧୪୨୦ ଜଣ ଓ ୯ମ ଶ୍ରେଣୀ ଲାଗି ୪୧୧ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସୈନିକ ସ୍କୁଲ, ସମ୍ବଲପୁର ନିମନ୍ତେ ୭୫୬ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସମସ୍ତ ୮ଟି ଯାକ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଶେଷ ହୋଇଛି।

ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ଏହି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରମାନଙ୍କୁ ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୧୦ ମଧ୍ୟରେ ମେଡିକାଲ ତଥା ଶାରୀରିକ ପରୀକ୍ଷା ନିମନ୍ତେ ଉପସ୍ଥିତ ରହିବାକୁ ଜଣାଇ ଦିଆଯିବ। ପ୍ରବେଶିକା ପରୀକ୍ଷାର ଚୂଡ଼ାନ୍ତ ତାଲିକା ମାର୍ଚ୍ଚ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ସୈନିକ ସ୍କୁଲ ଭୁବନେଶ୍ବରର ଅଧ୍ୟକ୍ଷ ଗ୍ରୁପ୍‌ କ୍ୟାପଟେନ୍‌ ଏସ୍‌. ଡୋମିନିକ ରାୟନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର