‘ମୋ ସରକାର’ ପ୍ରଭାବ : କୁକୁଡ଼ା, ଅଣ୍ଡା ମାଗି ପୁଲିସ୍‌ବାବୁ ନିଲମ୍ବିତ

ସଇନ୍ତଲା : ସମ୍ପ୍ରତି ଲୋକଙ୍କ ପ୍ରତି ପ୍ରଶାସନର ଉତ୍ତରଦାୟିତ୍ବ ବୃଦ୍ଧି ପାଇଁ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି। ଏହାର ପ୍ରଭାବରେ ସଇନ୍ତଲା ଥାନାର ଏଏସ୍‌ଆଇ ଜଗଦୀଶ ମହାନନ୍ଦ ନିଲମ୍ବିତ ହୋଇଛନ୍ତି। ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ସଇନ୍ତଲା ଗାଁର ଆଶିଷ ସାହୁଙ୍କ ଉପରେ ଆକ୍ରମଣ ହୋଇଥିଲା। ଗତ ୧୨ ତାରିଖରେ ଆଶିଷଙ୍କ ଅଭିଯୋଗ ଅଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏଏସ୍‌ଆଇ ଶ୍ରୀ ମହାନନ୍ଦ ଏହାର ତଦନ୍ତ କରୁଥିଲେ। ତେବେ ଗତ ୩୦ ତାରିଖରେ ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁସାରେ ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା। ଥାନା ଅଧିକାରୀ ବାରିଣୀ ଦାସଙ୍କ ବ୍ୟବହାର ଉତ୍ତମ ଥିବା ଓ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଶ୍ରୀ ମହାନନ୍ଦ ମାଗଣାରେ କୁକୁଡ଼ା ଓ ଅଣ୍ଡା ଆଣିବାକୁ ବାଧ୍ୟ କରିଥିବା ଆଶିଷ କହିଥିଲେ। ଫଳରେ ଗତ ୧ ତାରିଖରେ ଏଏସଆଇ ଶ୍ରୀ ମହାନନ୍ଦଙ୍କୁ ବଲାଙ୍ଗୀର ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଥିଲା। ଏହି ଘଟଣା କ୍ରମରେ ଶୁକ୍ରବାର ବଲାଙ୍ଗୀର ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଏଏସ୍‌ଆଇ ଶ୍ରୀ ମହାନନ୍ଦଙ୍କୁ ପଚାରିବାରୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ ବିରୋଧରେ ଅଭିଯୋଗକାରୀ ମିଥ୍ୟା ତଥ୍ୟ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର