ନିବେଶ ପାଇଁ ନବୀନଙ୍କୁ କଥା ଦେଲେ ସଜ୍ଜନ ଜିନ୍ଦଲ : ୧୦ବର୍ଷରେ ଲକ୍ଷେ କୋଟି

ଖୁବ୍‌ଶୀଘ୍ର ୧୩.୨ ନିୟୁତ ଟନ୍ ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ

ଆଇଆଇଏମ୍ ସମ୍ବଲପୁର ସହ ମିଶି ହେବ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍‌
କୋଇଡ଼ାରେ ହେବ ଡାକ୍ତରଖାନା ଓ ସ୍କୁଲ୍‌

ଭୁବନେଶ୍ୱର : ଆସନ୍ତା ୧୦ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲୁ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ବେଳେ ଜେଏସ୍‌ଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଏଭଳି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଜଗତସିଂହପୁରର ଜଟାଧାର ଠାରେ ଜିନ୍ଦଲ ଖୁବ୍ ଶୀଘ୍ର ବାର୍ଷିକ ୧୩.୨ ନିୟୁତ ଟନ୍ ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ କରିବ ବୋଲି ସେ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ଜଳ ଏବଂ ବିଦ୍ୟୁତ ବ୍ୟବସ୍ଥା କରିଛନ୍ତି। ଏଣୁ ଏହି ପ୍ରକଳ୍ପ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ଜିନ୍ଦଲ ସୂଚାଇ ଦେଇଛନ୍ତି। ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ସୃଷ୍ଟି ଏବଂ ରାଜସ୍ୱ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ମଧ୍ୟରେ ରାଜ୍ୟ ସମ୍ବଳର ସର୍ବାଧିକ ମୂଲ୍ୟ ଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡିଶାରେ ଜେଏସଡବ୍ଲୁ ଆଗକୁ କିଭଳି ବିନିଯୋଗ କରିବାକୁ ଚାହୁଁଛି ସେ ନେଇ ମଧ୍ୟ ଜାଣିବା ଲାଗି ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ।

ଶ୍ରୀ ଜିନ୍ଦଲ କହିଥିଲେ ଯେ ରାଜ୍ୟରେ ଥିବା ସମସ୍ତ ପ୍ରକଳ୍ପ ପାଇଁ ଜେଏସଡବ୍ଲୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି। ଏହାର ବିଭିନ୍ନ ଶିଳ୍ପ ପ୍ରକଳ୍ପ ପାଇଁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାରେ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ସନ୍ତୋଷଜନକ।

ଏହି ଅବସରରେ ସେ ଆହୁରି କହିଥିଲେ ଯେ ଓଡିଶା ଜେଏସ୍‌ଡବ୍ଲୁ ଆଇଆଇଏମ୍ ସମ୍ବଲପୁର ସହିତ ମିଶି ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଜେଏସଡବ୍ଲୁ ଖଣି ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ଭାଗିଦାରୀ ଭିତ୍ତିରେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବ। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ବିକାଶ ପ୍ରକଳ୍ପ ଶୀଘ୍ର ପ୍ରତିଷ୍ଠା ହେବ ବୋଲି ସେ ଏହି ଅବସରରେ ସୂଚନା ଦେଇ ରାଜ୍ୟରେ ଆସନ୍ତା ୧୦ବର୍ଷରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ ଲାଗି ଯୋଜନା ହୋଇଥିବା କହିଥିଲେ।

ଏଠାରେ ଉଲ୍ଲେଖଥାଉକି, ସ୍ଥାନୀୟ େଲାକଙ୍କ ବିରୋଧ କାରଣରୁ ପୋସ୍କୋ କଂପାନି ଜଗତସିଂହପୁରରେ ପ୍ରକଳ୍ପ ପ୍ରତିଷ୍ଠାରୁ ଦୂରେଇ ଯାଇଥିଲା। କଂପାନି ସେଠାରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ୧୨ ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ପ୍ରସ୍ତୁତ କରିଥାନ୍ତା।

ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ପାଖାପାଖି ୨୯୮୦ ଏକର ଜମି ସରକାର ଜେଏସ୍‌ଡବ୍ଲୁକୁ ଦେବାକୁ ମନସ୍ଥ କରିଛନ୍ତି। ଏ ସଂକ୍ରାନ୍ତରେ ଗୋଟିଏ ପର୍ଯ୍ୟାୟ ଜନଶୁଣାଣି ବି ଶେଷ ହୋଇଛି। ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ଜେଏସ୍‌ଡବ୍ଲୁ ୫୩ହଜାର ୭୦୦କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି। ଇସ୍ପାତ ପ୍ରକଳ୍ପ ସହିତ ବାର୍ଷିକ ୧୦ନିୟୁତ ଟନ୍ ବିଶିଷ୍ଟ ସିମେଣ୍ଟ କାରଖାନା ଓ ୯୦୦ ମେଗାଵାଟ୍‌ ବିଶିଷ୍ଟ ନିଜସ୍ବ ବିଦ୍ୟୁତ ପ୍ରକଳ୍ପ କରିବାକୁ ସଂସ୍ଥା ଯୋଜନା ଚଳାଇଛି। ବାର୍ଷିକ ୫୨ନିୟୁତ ଟନ୍ ବିଶିଷ୍ଟ ଏକ ବହୁମୁଖୀ କାର୍ଗୋ ପରିବହନ ଭିତ୍ତିକ ଜେଟି ମଧ୍ୟ କରିବାକୁ ସଂସ୍ଥା ପ୍ରସ୍ତାବ ରଖିଥିବା କୁହାଯାଉଛି।

ଆଜିର ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ, ସିଏମଡି ଇପିକଲ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର