ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ସାକେରୀ ଦିଅଁକୁଣ୍ତ

ଓଡ଼ଗାଁ : ଓଡ଼ଗାଁ ବ୍ଲକ୍‌ ସାକେରୀ ପଞ୍ଚାୟତ ଶୁଳିଆ ପାହାଡ଼ ପାଦ ଦେଶରେ ଥିବା ଦିଅଁକୁଣ୍ତ ଜଳପ୍ରପାତ ଓ ପୀଠ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଓଡ଼ଗାଁ ବ୍ଲକ୍‌ କାର୍ଯ୍ୟାଳୟଠାରୁ ୧୦ କିମି ଓ ସାକେରୀ ଗ୍ରାମଠାରୁ ୨ କିମି ଦୂରରେ ଥିବା ଶୁଳିଆ ପାହାଡ଼ରୁ ଏହି ଜଳ ପ୍ରପାତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବିଶାଳ ପଥର ଖୋଲ ମଧ୍ୟରେ ପ୍ରତିଷ୍ଠା ହୋଇଛନ୍ତି ଦିଅଁକୁଣ୍ତ ଠାକୁରାଣୀ। ତାଙ୍କରି ନାମରେ ନାମିତ ଏହି ସ୍ଥାନ ଓ ଜଳପ୍ରପାତ। ଏହି ପ୍ରତ୍ୟକ୍ଷ ଠାକୁରାଣୀଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ସବୁ ସମୟରେ ଏଠାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ପୀଠରେ ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳିତ ହୋଇଆସୁଛି। ସେଥି ମଧ୍ୟରୁ ଗହ୍ମାପୂର୍ଣ୍ଣମୀ ପର୍ବ ଖୁବ୍ ଧୂମ୍‌ଧାମରେ ପାଳିତ ହୁଏ। ଭକ୍ତମାନେ ଏଠାରେ ମାନସିକ ରଖି ବ୍ରତ ପାଳନ କରିଥାଆନ୍ତି। ପାହାଡ଼ ଜଙ୍ଗଲ ଘେରା ଏହି ଅଂଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇଥିବାରୁ ବିଭିନ୍ନ ସମୟରେ ଲୋକମାନେ ଏଠାକୁ ବଣଭୋଜି କରିବାକୁ ଆସି ବେଶ୍ ମଜା ଉଠାଇଥାଆନ୍ତି। ଦିଅଁକୁଣ୍ତ ଜଳପ୍ରପାତର ପାଣି ବହିଯାଇ କୁସୁମୀ ନଦୀରେ ମିଶିଛି। ଆଖପାଖ ଗ୍ରାମର ଚାଷୀମାନେ ବହିଯାଇଥିବା ଜଳରାଣିକୁ ଅଟକାଇ ନିଜ ନିଜ ଚାଷ ଜମିରେ ମଧ୍ୟ ବ୍ୟବହାର କରୁଛନ୍ତି। ତେବେ ଏଠାରେ ଯଦି ଏକ ଆଡ଼ିବନ୍ଧ ନିର୍ମାଣ କରାଯାଆନ୍ତା ତେବେ ବହିଯାଉଥିବା ଜଳରାଶିର ଉପଯୁକ୍ତ ବିନିଯୋଗ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତଦେଇଛନ୍ତି। ଦିଅଁକୁଣ୍ତର ଜଳରାଶିରେ ଗାଧୋଇଲେ ବିଭିନ୍ନ ଚର୍ମରୋଗ ଭଲ ହୋଇଯିବା ସହିତ ଶରୀର ସୁସ୍ଥ ରହେ ବୋଲି ଗ୍ରାମର ବୟସ୍କ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି। ତେବେ ଏହି ପୀଠକୁ ଭଲ ରାସ୍ତାଟିଏ ନଥିବାରୁ ଯାତ୍ରୀମାନଙ୍କୁ ଯାତାୟାତରେ ଅସୁବିଧାର ହେଉଛି। ଏଠାକୁ ଯିବା ପାଇଁ ଲୋକଙ୍କ ଆଗ୍ରହ ଥିଲେ ମଧ୍ୟ ରାସ୍ତା ବାଧକ ସାଜିଛି। ଏଭଳି ଏକ ଦର୍ଶନୀୟ ସ୍ଥାନ ଓ ପୀଠର ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର