ପୁରୀ : ବିରୋଧ ସତ୍ତ୍ବେ ମା’ ନିଜର ଝିଅକୁ ପରପୁରୁଷ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଲଜ୍ଜାରେ ନା ଯୁବତୀ ଜଣକ ନିଜ ମା’ଙ୍କର ଏହି ନିର୍ଯ୍ୟାତନା ସମ୍ପର୍କରେ ଥାନାରେ ଅଭିଯୋଗ କରିପାରୁଥିଲେ, ନା କାହାକୁ ମୁହଁ ଖୋଲି କହିପାରୁଥିଲେ। ଶେଷରେ ଘର ଛାଡ଼ି ଚାଲି ଆସି ଯୁବତୀ ଜଣକ ରାସ୍ତାରେ ଅସହାୟ ଅବସ୍ଥାରେ ବୁଲୁଥିଲେ। ଯୁବତୀଙ୍କୁ ଉଦ୍ଧାର ପରେ ‘ସଖି: ୱାନ୍ ଷ୍ଟପ୍ ସେଣ୍ଟର୍’ ପୁରୀର ଟିମ୍ ଗୋପ ଅଞ୍ଚଳର ନିର୍ଯାତିତ ଯୁବତୀଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଥିଲେ। ଶେଷରେ ଯୁବତୀଙ୍କ ମା’ଙ୍କ ସମେତ ଦୁଇଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପରିଚାଳିତ ‘ସଖି’ କେବଳ ଏହି ଜଣେ ଯୁବତୀ ନୁହେଁ, ବରଂ ପୁରୀ ଜିଲ୍ଲାରେ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୪୬୫ ପୀଡ଼ିତ, ନିର୍ଯ୍ୟାତିତ, ପାରିବାରିକ ହିଂସାର ଶିକାର ହୋଇଥିବା ମହିଳାଙ୍କୁ ନ୍ୟାୟ ଦେଇଛି ବୋଲି କହିଛନ୍ତି ‘ସଖି’ ପୁରୀର କେନ୍ଦ୍ର ବ୍ୟବସ୍ଥାପିକା ବିଜୟଲକ୍ଷ୍ମୀ ବଡ଼ଜେନା। ତେବେ ସଚେତନତା ଓ ସଖି ବାବଦରେ ଅନେକ ଜାଣିନଥିବାରୁ ନ୍ୟାୟ ନେବାକୁ ସାହସ ଜୁଟାଇପାରୁନାହାନ୍ତି।
ଶନିବାର ଦିନ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରେଳ ଷ୍ଟେସନ ପରିସରରେ ଲୋକଙ୍କୁ ଏହି କେନ୍ଦ୍ର ସମ୍ପର୍କରେ ସଚେତନ କରାଯିବା ଅବସରରେ ଶ୍ରୀମତୀ ବଡ଼ଜେନା କହିଛନ୍ତି, ବହୁ ମହିଳା ନିର୍ଯାତିତ ହେଉଛନ୍ତି କିନ୍ତୁ ଲୋକ ଲଜ୍ଜା ଭୟରେ ମୁହଁ ଖୋଲୁନାହାନ୍ତି। ଅନେକ ଡରରେ ସବୁ କିଛି ସହିଯାଉଛନ୍ତି। ତେଣୁ ଜନଜାଗରଣର ଆବଶ୍ୟକତା ରହିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସଖି ୱାନ୍ ଷ୍ଟପ୍ ସେଣ୍ଟର୍ ରହିଛି। ଯେଉଁ ମହିଳାମାନେ ଦୁଷ୍କର୍ମ, ଅପହରଣ, ନିଖୋଜ, ପାରିବାରିକ ହିଂସା, ଏସିଡ୍ ଆକ୍ରମଣ, ଯୌନ ଉତ୍ପୀଡ଼ନ, ମହିଳା ଚାଲାଣ, ଶିଶୁ ଯୌନ ଉତ୍ପୀଡ଼ନ, ବାଲ୍ୟ ବିବାହ, ସାଇବର ଅପରାଧ, ଯୌତୁକ ନିର୍ଯାତନା ଓ ଅନ୍ୟ ହିଂସାର ଶିକାର ହେଉଛନ୍ତି ସେମାନେ ‘ସଖି’ର ସାହାରା ନେଇପାରିବେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କେନ୍ଦ୍ରରେ ଏକକାଳୀନ ୫ ଜଣ ମହିଳାଙ୍କୁ ୫ ଦିନ ପର୍ଯ୍ୟନ୍ତ ରଖାଯାଇ ଡାକ୍ତରୀ ସେବା, ନ୍ୟାୟ ପାଇଁ ଓକିଲ ସେବା, ପୁଲିସ୍ ଓ କାଉନସେଲରଙ୍କ ସହଯୋଗ ନେଇ ନିଜ ସମସ୍ୟାର ସମାଧାନ କରିପାରିବେ।
ଯେଉଁ ମହିଳାମାନେ ଘରୁ ଚାଲି ଆସିଥିବେ କିମ୍ବା ଆଶ୍ରା ଖୋଜୁଥିବେ ସେଥିପାଇଁ ପୁରୀ ଜିଲ୍ଲାରେ କଣାସ, ସଦରରେ ଦତ୍ତତୋଟା ଓ ମୁକୁନ୍ଦମିଶ୍ର ନଗର, ଡେଲାଙ୍ଗରେ ଗୋଟିଏ ଲେଖାଏଁ ସୁଧାର ଗୃହ ରହିଛି। ମୋଟ୍ ୪ଟି ସୁଧାର ଗୃହ ସହ ଏକ ଉଜ୍ଜ୍ବଳା ଗୃହର ବ୍ୟବସ୍ଥା ମଧ୍ୟ ରହିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେକୌଣସି ମହିଳା କୌଣସି ପ୍ରକାର ନିର୍ଯାତନାର ଶିକାର ହେଲେ ସେମାନଙ୍କୁ ‘ସଖି’ ସହଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ଏନେଇ ୦୬୭୫୨-୨୯୫୯୦୦ରେ ସିଧାସଳଖ ଯୋଗାଯୋଗ କରି କିମ୍ବା ହ୍ବାଟସଆପ ନମ୍ବର ୮୪୮୦୧୫୭୭୬୦ ଓ ୯୮୨୭୯୩୮୯୩୯ରେ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲ ଶ୍ରୀମତୀ ବଡ଼ଜେନା କହିଛନ୍ତି।
ଏହି ଅବସରରେ ରେଳଷ୍ଟେସନ୍ ପରିସରରେ ‘ସଖି’ ପକ୍ଷରୁ ମହିଳା ହିଂସା ବିରୋଧରେ ସଚେତନତା ଓ ଦସ୍ତଖତ ଅଭିଯାନକୁ ଜିଆର୍ପି ଥାନା ଇନ୍ଚାର୍ଜ ସନ୍ତୋଷ କୁମାର ବାହିନୀପତି ଉଦ୍ଘାଟନ କରି ଲୋକଙ୍କୁ ସଚେତନ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୀରେନ ପ୍ରତାପ ସିଂହ, ଶର୍ମିଷ୍ଠା ହୋତା, ଭିନିତ ଶର୍ମା ପ୍ରମୁଖ ଦସ୍ତଖତ କରିବା ସହ ‘ସଖି’ର ଆଭିମୁଖ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ସଖି’ର କାଉନସେଲର୍ ଇତିବାଳା ପ୍ରଧାନ, ଆକ୍ସନ ହେଡ୍ ସୁନିତା ଘୋଷ, ଚାଇଲ୍ଡ ଲାଇନ୍ର ବିଜୟ କୁମାର ପ୍ରଧାନଓ ଅନ୍ୟମାନେ ଯାତ୍ରୀମାନଙ୍କୁ ସଚେତନ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/p55.jpg)